ଓଡ଼ିଶାଲାଇଭ୍ ବ୍ୟୁରୋ

NALCOନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ) ୨୦୨୦-୨୧ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ବ୍ୟବସାୟ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ନାଲ୍‌କୋର ନିଟ୍ ଲାଭ ୮୪୦ ପ୍ରତିଶତ ବଢ଼ି ୧,୨୯୯.୫୬ କୋଟି ଟଙ୍କା ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୧୩୮.୨୩ କୋଟି ଟଙ୍କା ରହିଥିଲା। ସୋମବାର ଭୁବନେଶ୍ଵରସ୍ଥିତ ନାଲ୍‌କୋ କାର୍ଯ୍ୟାଳୟରେ ଅନୁଷ୍ଠିତ ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ଏହି ଘୋଷଣା କରାଯାଇଛି।

୨୦୧୯-୨୦ ଆର୍ଥିକ ବର୍ଷରେ କମ୍ପାନିର ନିଟ୍ ବ୍ୟବସାୟ ପରିମାଣ ୮,୪୨୫.୭୫ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଏହା ୮,୮୬୯.୨୯ କୋଟି ଟଙ୍କା ହୋଇଛି। ସେହିପରି କମ୍ପାନି ୨୦୨୦-୨୧ ଆର୍ଥିକ ବର୍ଷରେ ୭୩.୬୫ ଲକ୍ଷ ଟନ୍ ବକ୍ସାଇଟ୍, ୨୦.୮୫ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍, ୪.୧୮ ଲକ୍ଷ ଟନ୍ ଆଲୁମିନିୟମ୍ ଧାତୁ ଉତ୍ପାଦନ କରିଥିବା ବେଳେ ୧.୯୨ ଲକ୍ଷ ଟନ୍ ଧାତୁ ରପ୍ତାନି କରିଛି। ଫଳରେ ରପ୍ତାନିରେ କମ୍ପାନି ଦଶ ବର୍ଷ ପୁରୁଣା ରେକର୍ଡକୁ ଅତିକ୍ରମ କରିଛି। ୨୦୦୯-୧୦ରେ କମ୍ପାନି ୧.୪୬ ଲକ୍ଷ ଟନ୍ ରପ୍ତାନି କରିଥିଲା।ଏହି ଅବସରରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କହିଥିଲେ,”ଟିମ୍ ଓ୍ଵାର୍କ ଓ କର୍ମଚାରୀମାନଙ୍କର କମ୍ପାନି ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହି ସଫଳତା ମିଳିପାରିଛି। ଏଥିସହ କମ୍ପାନିର ବ୍ୟବସାୟିକ ପ୍ରତିଷ୍ଠାନ ସୁପରିଚାଳନା, ଉତ୍ପାଦନ, ଉତ୍ପାଦକତା ଓ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ଵ ଏହି ଉଲ୍ଲେଖନୀୟ ସଫଳତା ଆଣିଛି। କରୋନା କଟକଣା କୋହଳ ହେଉଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ୁଥିବାରୁ ଓ ନୂଆ କୋଇଲା ବ୍ଲକ୍ ଖୋଲିବା ଉପରେ ଗୁରୁତ୍ଵାରୋପ କରି ଦୀର୍ଘମିଆଦୀ ଅଭିବୃଦ୍ଧି ହାସଲ କରିବାକୁ ଆମେ ଆଶାବାଦୀ ରହିଛୁ।”

Comment