ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଘରର ଝିଅ ନୁସରତ୍‌ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି, ତାହା ଆଗାମୀ କିଛି ବର୍ଷ ଭିତରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ, ସାରା ପୃଥିବୀରେ, ଏକ ବଳିଷ୍ଠ ପ୍ରୟୋଗ ହେବାକୁ ଯାଉଛି। ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ଓ୍ଵେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଜୁଲାଇ ଅଧ୍ୟାୟରେ ଏହି ଯୁବ ଉଦ୍ୟୋଗୀଙ୍କ କାହାଣୀ ସ୍ଥାନ ପାଇଛି। ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଫେସବୁକ୍ ପେଜରେ ଏହି ଭିଡିଓ ସାକ୍ଷାତକାର ପ୍ରସାରିତ ହୋଇଛି।ମହିଳା ଉଦ୍ୟୋଗୀ ନୁସରତ୍ ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ପରିବାର, ଛାତ୍ର ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

କ୍ୟାନସର ଚିକିତ୍ସାର ଏକ ପୁରୁଣା ପଦ୍ଧତି ହେଉଛି କେମୋଥେରାପି। କିନ୍ତୁ ଏହି କେମୋଥେରାପିର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ରୋଗୀମାନେ ବହୁ ଯନ୍ତ୍ରଣା ଓ ଅସୁବିଧା ଭୋଗିଥାନ୍ତି। ତା’ର ବଡ଼ କାରଣ ହେଉଛି, କେମୋଥେରାପି ବେଳେ ମଣିଷ ଶରୀରର କ୍ୟାନସରଗ୍ରସ୍ତ ସେଲ୍‌ ବା କୋଷକୁ ମାରିବାକୁ ଯେତିକି ଔଷଧ ଦିଆଯାଏ, ତା’ ଭିତରୁ କିଛି ପରିମାଣର ଔଷଧ ନିର୍ଦ୍ଦିଷ୍ଟ କୋଷ ବାହାରେ ରହିଯାଏ। ଫଳରେ, ଏହି ବିଷାକ୍ତ ପଦାର୍ଥ ଶରୀରର ସୁସ୍ଥ କୋଷକୁ ମଧ୍ୟ ପ୍ରଭାବିତ କରିଥାଏ। ଏ ବିଷୟରେ ଗବେଷଣା କରି ସାରା ପୃଥିବୀକୁ ଏବେ ନୂଆ ଆଲୋକ ଦେଖାଇବାକୁ ବାହାରିଛନ୍ତି ଓଡ଼ିଆ ଝିଅ ନୁସରତ୍‌।ନୁସରତ୍‌ଙ୍କ ବାପା ଦିନେ କ୍ୟାନସର ରୋଗରେ ପିଡ଼ିତ ହୋଇଥିଲେ। ବାପାଙ୍କ କଷ୍ଟ ତାଙ୍କ ଭିତରେ ନିଜର ସ୍ଵପ୍ନକୁ ସାକାର କରିବା ପାଇଁ ଅଧିକ ଦୃଢ଼ତା ଆଣିଦେଇଥିଲା। ସେହି ବଳିଷ୍ଠ ଲକ୍ଷ୍ୟର ଏକ ସଫଳ ରୂପ ହେଉଛି ତାଙ୍କର ଷ୍ଟାର୍ଟଅପ୍ କମ୍ପାନି ‘ସାଇଜେନିକା’। ନୁସରତ୍‌ଙ୍କ କମ୍ପାନି ତିଆରି କରୁଛି ଏପରି ଏକ ସୂକ୍ଷ୍ମ ଯନ୍ତ୍ର ଯାହା ଅତ୍ୟନ୍ତ କମ୍ ମାତ୍ରାରେ କେମୋ ବ୍ୟବହାର କରିବ ଏବଂ କେମୋ ଔଷଧକୁ ଠିକ୍ ରୋଗଗ୍ରସ୍ତ ସେଲ୍‌ର ବାହ୍ୟ ଆବରଣକୁ ଭେଦ କରି ଭିତରକୁ ନେଇଯିବ। ଏହା ଫଳରେ ଚିକିତ୍ସା ଅଧିକ ଫଳପ୍ରଦ ହେବା ସହିତ ରୋଗୀଙ୍କର କଷ୍ଟ ବହୁମାତ୍ରାରେ ଲାଘବ ହୋଇପାରିବ, ଖର୍ଚ୍ଚ ମଧ୍ୟ କମ୍ ହେବ।

ପିଲାଟି ବେଳୁ ଡାକ୍ତର ହେବେ ବୋଲି ସ୍ଵପ୍ନ ଦେଖିଥିଲେ ନୁସରତ୍। କିନ୍ତୁ ତାଙ୍କର ଏ ସ୍ଵପ୍ନ ପୂରା ହୋଇପାରି ନଥିଲା। ହେଲେ ସେଥିରେ ଭାଙ୍ଗି ନଯାଇ କେମେଷ୍ଟ୍ରି ଓ ପରେ ବାୟୋଟେକ୍ନୋଲୋଜି ବିଷୟକୁ ଆୟତ୍ତ କରି ସେ କ୍ୟାନସର ଗବେଷଣା ପାଇଁ ମନ ବଳାଇଥିଲେ। ତାଙ୍କର ପ୍ରତିଭା ଓ ସାଧନା ବଳରେ ଆଜି ସେ ଏତେ କମ ବୟସରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ବିରାଟ ସମ୍ଭାବନା ରୂପେ ଠିଆ ହୋଇଛନ୍ତି। ଭୁବନେଶ୍ଵରରେ ଥିବା କିଟ୍ ଟିବିଆଇରୁ ଯୁବ ଉଦ୍ୟୋଗୀ ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ନୁସରତ୍ ଆଜି ଦେଶ ବିଦେଶରେ କାମ କରୁଥିବା ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ନିଜ ପାଇଁ ଅଲଗା ସ୍ଥାନ ତିଆରି କରିପାରିଛନ୍ତି।‘ଷ୍ଟାର୍ଟଅପ୍‌ ଷ୍ଟୋରି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭ୍‌ରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଏହି କାର୍ଯ୍ୟକ୍ରମରେ ସହଭାଗିତା କରୁଛି ରାଜ୍ୟ ସରକାରଙ୍କ ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ଏହା ସହିତ ‘ମୋ କଲେଜ’ ଅଭିଯାନ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି। ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍‌। ରେଡିଓ ନମସ୍କାର, ରେଡିଓ ସୁରଭି ଓ ରେଡିଓ ବୁଲ୍‌ବୁଲ୍‌ ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି।

‘ଷ୍ଟାର୍ଟଅପ୍‌ ଷ୍ଟୋରି’ କାର୍ଯ୍ୟକ୍ରମ ଓଡ଼ିଶାଲାଇଭ୍‌ର ବିଭିନ୍ନ ଡିଜିଟାଲ୍ ମିଡିଆ ପେଜ୍ ସହ ପ୍ରିଣ୍ଟ୍ ଓ ରେଡିଓ ମାଧ୍ୟମରେ ପ୍ରକାଶିତ ହେଉଛି। ସେହିପରି ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ‘ସମ୍ବାଦ ରବିବାର’ର ସାପ୍ତାହିକ ପୃଷ୍ଠା ଏବଂ ‘ସମ୍ବାଦ’ ନ୍ୟୁଜ୍ ପୋର୍ଟାଲରେ ମୁଦ୍ରିତ ହୋଇ ଏକ ବୃହତ୍ତର ପାଠକଙ୍କ ପାଖରେ ପହଞ୍ଚିପାରୁଛି।

Comment