ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାକୁ ନେଇ ଆସିଲା ଆଉ ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ୭୦ପ୍ରତିଶତ ସିଲାବସ୍‌କୁ ନେଇ ହେବ ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଜୁଲାଇ ୩୦ରୁ ଅଫ୍‌ଲାଇନ୍ ପରୀକ୍ଷା ହେବ। ଏଥିପାଇଁ ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯିବ ବୋଲି ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପରୀକ୍ଷାର ୧୫ଦିନ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ। ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ। ରେଜଲ୍ଟ ବାହାରିବା ପରେ ଉକ୍ତ ମାର୍କ ଆଧାରରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଏଥିସହ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ପରୀକ୍ଷା ଫି’ ଛାଡ଼ କରାଯାଇଛି।କରୋନା ମହାମାରୀ ପାଇଁ ଏବର୍ଷ ମାଟ୍ରିକ ପରୀକ୍ଷା ହୋଇନଥିଲା। ପୂର୍ବ ବର୍ଷର ପରୀକ୍ଷା ଫଳ ଅନୁସାରେ ମୂଲ୍ୟାୟନ କରାଯାଇ ଜୁନ୍ ୨୫ରେ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଅନେକ ଛାତ୍ରଛାତ୍ରୀ ଏହି ମୂଲ୍ୟାୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ କିଛି ସ୍ଥାନରେ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଲା ପକାଇବା ସହ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପଟେ ପରୀକ୍ଷା ଫଳ ୩୦ ପ୍ରତିଶତ ବୃଦ୍ଧି କରାଯାଉ ବୋଲି ଦାବି କରିଥିଲେ ଛାତ୍ରଛାତ୍ରୀ।

ସେ ସବୁକୁ ବିଚାରକୁ ନେଇ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜ ଦାଶ।

Comment