ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀର ଆଶଙ୍କା ଭିତରେ ସୋମବାରଠାରୁ ଆରମ୍ଭ ହୋଇଯାଇଛି ସଂସଦର ମୌସୁମୀ ଅଧିବେଶନ। ତେବେ ପ୍ରଥମ ଦିନରୁ ହିଁ ସଂସଦୀୟ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା। ଲୋକସଭା ଓ ରାଜ୍ୟସଭା ଉଭୟ ଗୃହରେ ହଟ୍ଟଗୋଳ ଯୋଗୁଁ  ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରଥମ ଦିନ ୫୬ ଜଣ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଆରମ୍ଭ ହୋଇଥିଲା ସଂସଦର କାର୍ଯ୍ୟକ୍ରମ। ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଭ୍ୟମାନଙ୍କୁ ଯୁକ୍ତିଯୁକ୍ତ ପ୍ରଶ୍ନ ପଚାରିବା ସହ ସରକାରଙ୍କ ଉତ୍ତରକୁ ଶୁଣିବାକୁ ବିରୋଧୀମାନଙ୍କୁ ଅନୁରୋଧ କରିଥିଲେ। ପରେ ଯେତେବେଳେ ସେ ନୂଆମନ୍ତ୍ରୀମାନଙ୍କର ପରିଚୟ ପ୍ରଦାନ କରିବା ପାଇଁ ଉଦ୍ୟତ କଲେ ବିରୋଧୀମାନେ ହୋ ହାଲ୍ଲା ଆରମ୍ଭ କରି ଦେଇଥିଲେ। ଏହାକୁ ନେଇ ଉଭୟ ସଦନର ବୈଠକକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଥିଲେ, ତାଙ୍କ ୨୪ ବର୍ଷର ସାଂସଦ ଜୀବନରେ କେବେ ବି ଏଭଳି ହେବାର ସେ ଦେଖିନଥିଲେ।ଅପରାହ୍ଣରେ ପୁଣି ବୈଠକ ଆରମ୍ଭ ହେଲା। ବିରୋଧୀ ଦଳର ସଦସ୍ୟମାନେ କୋଭିଡ ପରିଚାଳନା, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଓ ଚୀନ ପ୍ରସଙ୍ଗରେ ଉଭୟ ଗୃହରେ ହୋ ହାଲ୍ଲା କରିବା ଫଳରେ ଉଭୟ ସଦନର ବୈଠକକୁ ମଙ୍ଗଳବାର ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

କୋଭିଡ ମହାମାରୀ ଭିତରେ ସଂସଦର ଅଧିବେଶନ ଶୃଙ୍ଖଳିତଭାବେ ଚାଲିବା ଦରକାର ଏଥିରେ ବହୁମତ ନାହିଁ। ଯଦି ସଦସ୍ୟମାନେ ଗଠନମୂଳକ ପ୍ରସ୍ତାବ ଆଗତ କରନ୍ତି ଓ ନିଜ ନିଜ ଅଞ୍ଚଳର ସମସ୍ୟାକୁ ଉପସ୍ଥାପିତ କରନ୍ତି, ତେବେ ସରକାରଙ୍କ ପାଇଁ କରୋନା ମୁକାବିଲା ସହଜ ହେବ। ଅବଶ୍ୟ କୋଭିଡ ବ୍ୟତୀତ ଆହୁରି ଅନେକ ଗମ୍ଭୀର ସମସ୍ୟା ଦେଶରେ ରହିଛି, ଯାହାର ତୁରନ୍ତ ସମାଧାନ ଆବଶ୍ୟକ। ଦର ବୃଦ୍ଧି, ଚାଷୀ ଆନ୍ଦୋଳନ, ଖାଦ୍ୟ ସାମଗ୍ରୀ ମହଙ୍ଗା, ବେରୋଜଗର ଓ ପେଗାସସ ଗୋଇନ୍ଦାଗିରି  ଆଦି ବହୁ ଜରୁରୀ ପ୍ରସଙ୍ଗ ରହିଛି ଯାହାର  ଘମାଘୋଟ ଚର୍ଚ୍ଚା ସଂସଦରେ ହେବା ଦରକାର।

ଦୀର୍ଘ ସମୟ ପରେ ସଂସଦର ବାସ୍ତବ ବୈଠକ ବସୁଛି ଓ ସାଂସଦମାନେ ବ୍ୟକ୍ତିଗତ ଭାବେ ଗୃହରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ ପାଇଁ ସୁଯୋଗ ପାଉଛନ୍ତି। ଏଣୁ ଉଭୟ ସରକାରୀ ଓ ବିରୋଧୀ ଦଳ ଏହି ସୁଯୋଗକୁ ହାତଛଡ଼ା କରିବା ଅନୁଚିତ। ସରକାରଙ୍କ ତୁଳନାରେ ବିରୋଧୀ ଦଳର ଦାୟିତ୍ୱ ପ୍ରକୃତରେ ଏଠି ବେଶୀ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବା ଦାୟିତ୍ୱ ହେଉଛି ବିରୋଧୀ ଦଳର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଧିବେଶନ ଆରମ୍ଭରେ କହିଥିଲେ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଠିକ ଆଲୋଚନା ଓ ବିତର୍କ ହେବା ଦରକାର। ଯଦି ବିରୋଧୀ ଦଳ ଗୃହ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବେ କ୍ଷତି କେବଳ ସେମାନଙ୍କର ହେବ। ସରକାରୀ ପକ୍ଷ ତ ସବୁବେଳେ ଚାହିଁବ ଆଲୋଚନା/ବିତର୍କ ନହେଉ। ସେହିଭଳି, ବିରୋଧୀ ଦଳର ସଦସ୍ୟଙ୍କ କଥା ମଧ୍ୟ ସରକାର ଶୁଣିବା ଆବଶ୍ୟକ। ଆମର ସଂଖ୍ୟା ଗରିଷ୍ଠତା ଅଛି ବୋଲି କହି ବିରୋଧୀଙ୍କ ସ୍ୱରକୁ ଚପେଇ ଦେବାର ଉଦ୍ୟମ ସରକାର ନକରନ୍ତୁ।

Comment