ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଥମ ଦିନରେ ରାଜ୍ୟର ଦିବଙ୍ଗତ ନେତା ଓ ପୋଲିସ ଅଧିକାରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୁକ୍ରବାର ଅପରାହ୍ଣରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ।

ଶୁକ୍ରବାର ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭାର ନୂଆ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଶପଥ ଗ୍ରହଣ କରିଥିଲେ। ଏହାପରେ ତାଙ୍କ ଅଧ୍ୟକ୍ଷତାରେ ଅଧିବେଶନ ଆରମ୍ଭ ହୋଇଥିଲା।

ଏଠାରେ ଦିବଙ୍ଗତ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ନିବେଦିତା ପ୍ରଧାନ, କୁମର ବେହେରା ଓ ରମେଶ ସୋରେନ ଏବଂ ଦିବଙ୍ଗତ ପୁଲିସ ଅଧିକାରୀ ଦେବାଶିଷ ବିଶ୍ଵାଳ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।

ଏହି ଅବସରରେ ସେମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସମର୍ଥନ କରି ଦିବଙ୍ଗତ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହାପରେ ଶୁକ୍ରବାର ଅପରାହ୍ଣ ୫ଟା ଯାଏଁ ବିଧାନସଭାକୁ ମୁଲତବୀ ରଖାଯାଇଛି। ଅପରାହ୍ଣରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଅକ୍ଟୋବର ୪ ତାରିଖ ଯାଏଁ ବିଧାନସଭାର ଏହି ମୌସୁମୀ ଅଧିବେଶନ ଚାଲିବ।

Tags: #OdishaAssembly #MonsoonSession #AdditionalBudget #Odisha

Comment