ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାଙ୍ଗଷ୍ଟର୍ ହାଇଦର୍ ଏନକାଉଣ୍ଟର୍ ଘଟଣାରେ ସରକାରଙ୍କୁ ଜବାବ ମାଗିଛନ୍ତି ଓଡ଼ିଶା ମାନବ ଅଧିକାର କମିସନ। ଗଣମାଧ୍ୟମର ରିପୋର୍ଟକୁ ଭିତ୍ତି କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ତଲବ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିସନ। ଏନେଇ ସୋମବାର ଦିନ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୋଲିସ ଡିଜି, ଜେଲ ଡିଜି ଏବଂ ଟୁଇନ୍ ସିଟି କମିସନରଙ୍କୁ ନୋଟିସ୍ କରାଯାଇଛି।

ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ଏହି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ମାନବ ଅଧିକାର କମିସନ୍ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଗତ ୨୪ ତାରିଖରେ କୁଖ୍ୟାତ ଅପରାଧୀ ହାଇଦରକୁ କଟକ ଚୌଦ୍ଵାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବାବେଳେ ସିମୁଳିଆ ନିକଟରରେ ପରିସ୍ରା ବାହାନା କରି ସେ ଖସିଯିବାକୁ ଚେଷ୍ଟା କରିଥିଲା। ପୋଲିସ କର୍ମୀମାନେ ତାକୁ ଅଟକାଇବାରୁ ହାଇଦରପୋଲିସଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା। ତେଣୁ ଘଟଣାସ୍ଥଳରେ ହାଇଦରକୁ ପୋଲିସ କର୍ମୀ ଏନ୍‌କାଉଣ୍ଟର କରିଥିଲେ।

ହାଇଦରର ପେଟରେ ଗୁଳି ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲା। ଏହାପରେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ଏନେଇ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ପୋଲିସ ପକ୍ଷରୁ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି। ହାଇଦରକୁ ଏସକର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏହି ଏତଲା ଦେଇଛନ୍ତି।୧୯୭୫ ମସିହାରେ ଏକ କେନ୍ଦ୍ରାପଡ଼ାରେ ଏକ ରିକ୍ସା ଚାଳକ ଭାବେ କାମ କରୁଥିବା ସେକ୍ ହାଇଦର ଅଲ୍ଲୀ ପରେ ଜଣେ ଗ୍ୟାଙ୍ଗଷ୍ଟର ପାଲଟିଥିଲା। ଟେଣ୍ଡର ଫିକ୍ସିଂଠାରୁ ଆରମ୍ଭ କରି ହତ୍ୟା, ଦାଦା ବଟି ଆଦାୟ, ଚୋରି ସବୁଥିରେ ହାଇଦର ନିଜର ପତିଆରା ସୃଷ୍ଟି କରିଥିଲା। ପ୍ରଥମେ କେନ୍ଦ୍ରାପଡ଼ାରୁ ଗ୍ୟାଙ୍ଗ ତିଆରି କରି ପରେ କଟକ, ଜଗତସିଂହପୁର, ବାଲେଶ୍ଵର, ଯାଜପୁର ଆଦି ଜିଲ୍ଲାରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିଲା ହାଇଦର। ଦିନକୁ ଦିନ ତାର ଗୁଣ୍ଡାଗିରି ବଢ଼ିବା ପରେ ପୋଲିସ ତାକୁ ଗିରଫ କରିଥିଲା।

Comment