ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମାଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ହାଇଦରକୁ ଖୋଜିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିବା ବେଳେ ସୋମବାର ତାର ସହଯୋଗୀ ୟାକୁବ୍ ଖାଁ ଆତ୍ମସମର୍ପଣ କରିଛି। ହାଇଦରକୁ ଧରିବାରେ ପୋଲିସକୁ ସମସ୍ତ ପ୍ରକାର ସାହାଯ୍ୟ କରିବ କହି କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ୍।

ଆତ୍ମସମର୍ପଣ ବେଳେ ସୂଚନା ଦେଇ ୟାକୁବ୍ କହିଛି,”ଶନିବାର ଗଣମାଧ୍ୟମରୁ ଜାଣିଲି ହାଇଦର ଦାଦା ଫେରାର ହୋଇଯାଇଛନ୍ତି। ସେ ଏମିତି ଖସି ପଳାଇବେ ବୋଲି ଜାଣି ନ ଥିଲି। ଭୟରେ ମୁଁ ଲୁଚିଥିଲି। କିନ୍ତୁ ପୋଲିସ ମୋ ଘରକୁ ଆସି ଯାଞ୍ଚ କରି ଯାଇଛି। ମୁଁ ଚାହୁଁନାହିଁ ମୋ ପରିବାର ମୋ ପାଇଁ ଅସୁବିଧାରେ ପଡୁ। ତେଣୁ ମୁଁ ଆତ୍ମସମର୍ପଣ କରିବାକୁ ଆସିଛି। ହାଇଦରକୁ ଖୋଜିବାରେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବି।”ଗତ ଶନିବାର ଏସ୍‌ସିବି ମେଡିକାଲ୍‌ରେ ସୁରକ୍ଷା କର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିଲା କୁଖ୍ୟାତ ଅପରାଧୀ ହାଇଦର। ତାକୁ ଗିରଫ କରିବା ପାଇଁ କମିସନରେଟ୍‌ ପୋଲିସ କଟକ ଜିଲ୍ଲାର ସୀମାକୁ ସିଲ୍‌ କରି ରାତି ତମାମ ତଲାସୀ କରିଥିଲା। ହେଲେ ତାକୁ ଧରିବାରେ ବିଫଳ ହୋଇଥିଲା। ଏହାପରେ ହାଇଦରକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୋଲିସର ଯୋଗାଯୋଗରେ ରହିଛି ଓଡ଼ିଶା ପୋଲିସ।

ଅନ୍ୟପଟେ ଏସ୍‌ସିବିରେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ପୋଲିସ କର୍ମଚାରୀ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଲ ବୁଲବୁଲ୍‌ ସାହୁ, କନଷ୍ଟେବଲ ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝିଙ୍କୁ ନିଲମ୍ଵିତ କରାଯାଇଛି।

ଗ୍ୟାଙ୍ଗଷ୍ଟର ହାଇଦର ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା। ୨୦୦୭ ମେ’ ୨୭ ତାରିଖରେ ସେ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିଲା।

Comment