ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଜୟକୃଷ୍ଣ ପଟେଲ ଓଡ଼ିଶା ରାଜ୍ୟ ମାନବାଧିକାର କମିସନ(ଓଏଚ୍‌ଆର୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ମାନବାଧିକାର କମିସନ ଅଧ୍ୟକ୍ଷ ଥିବା ଜଷ୍ଟିସ୍ ବି.ପି. ଦାସ ଗତ ୧୪ ତାରିଖରେ ଅବସର ଗ୍ରହଣ କରିବା ପରେ ଏହି ପଦ ଖାଲିପଡ଼ିଥିଲା। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ଜଷ୍ଟିସ୍ ପଟେଲ୍‌ଙ୍କ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୁନ୍ଦରଗଡ଼ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ୍ ପଟେଲ ଗତ ୨୦୦୮ ମସିହା ଜାନୁଆରି ୧୭ ତାରିଖରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୫ ମସିହା ଜାନୁଆରି ୨୩ ତାରିଖରେ ସେ ହାଇକୋର୍ଟର ବିଚାରପତି ପଦବୀରୁ ଅବସର ଗ୍ରହଣ କରିଥିଲେ। ପରେ ସେ ଓଡ଼ିଶା ରାଜ୍ୟ ଖାଉଟି କମିସନର ସଭାପତି ଭାବେ ତିନି ବର୍ଷ ପାଇଁ କାର୍ଯ୍ୟ କରିଥିଲେ।ଜଷ୍ଟିସ୍ ପଟେଲ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫାକଲ୍‌ଟି ଅଫ୍  ଲ’ରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିଲେ। ୧୯୭୯ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଜଣେ ଆଇନଜୀବୀ ଭାବେ ଜଷ୍ଟିସ୍ ପଟେଲ ନିଜ ନାମ ପଞ୍ଜିକୃତ କରିଥିଲେ। ଆଇନଜୀବୀ ଭାବେ ବୃତ୍ତିଗତ ଜୀବନ ନିର୍ବାହ ଅବସରରେ ସେ ୧୯୯୩ରେ ଓଏସ୍‌ଜେଏସ୍‌(ବରିଷ୍ଠ ବ୍ରାଞ୍ଚ୍‌)କୁ ଚୟନ ହୋଇଥିଲେ।

ପୁରୀ ଜିଲ୍ଲାରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌, ପରେ ବଲାଙ୍ଗିରର ଜିଲ୍ଲା ଦୌରାଜଜ୍‌, ପୁଣି ପୁରୀର ଜିଲ୍ଲା ଦୌରାଜଜ୍ ଭାବେ କାର୍ଯ୍ୟ କରିବା ପରେ ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟସଚିବ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ହାଇକୋର୍ଟର ରେଜିଷ୍ଟ୍ରାର(ପ୍ରଶାସକ)ରେ କାର୍ଯ୍ୟ କରିବା ପରେ ଓଡିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେହିପରି ୨୦୦୭ ମସିହାରେ ଆଇନ ବିଭାଗ ପ୍ରମୁଖ ଶାସନସଚିବ ପଦବୀରେ କାର୍ଯ୍ୟ କରିବା ପରେ ୨୦୦୮ ଜାନୁଆରି ୧୭ ତାରିଖରେ ହାଇକୋର୍ଟର ବିଚାରପତି ପଦବୀରେ ନିଯୁକ୍ତି ପାଇଥିଲେ।

Comment