ଓଡ଼ିଶାଲାଇଭ୍‌ ବ୍ୟୁରୋ

କିମ୍‌ସ୍‌ କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ମାନବାଧିକାର କମିସନଙ୍କ ଛାଟ। ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କମିସନ। କିମ୍‌ସ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଶିଶୁ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ କରି ଅଢ଼େଇ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିସନ।

ପୁରୀ ଜିଲ୍ଲା ପୁରୁଷୋତ୍ତମ ନଗର ଗ୍ରାମର ଶିବ ପ୍ରସାଦ ନନ୍ଦଙ୍କ ସ୍ତ୍ରୀ ମଧୁସ୍ମିତା ନନ୍ଦ ୨୦୧୭ ଫେବ୍ରୁଆରି ୯ ତାରିଖରେ କିମ୍‌ସ୍‌ ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଜନ୍ମିତ ଶିଶୁକୁ ହସ୍ପିଟାଲ କର୍ତ୍ତୃପକ୍ଷ ମା’ ବାପାଙ୍କୁ ଦେଖିବାର ସୁଯୋଗ ଦେଇ ନଥିଲେ। ଅସୁସ୍ଥ ଥିବା କହି ୭୨ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ରଖିଥିଲେ।

ଫେବ୍ରୁଆରି ୧୫ରେ ହସ୍ପିଟାଲ ପକ୍ଷରୁ ଶିବପ୍ରସାଦଙ୍କୁ ଫୋନ୍‌ କରି ଶିଶୁପୁତ୍ରଟିର ହୃଦସ୍ପନ୍ଦନ ବନ୍ଦ ହୋଇ ଯାଇଥିବା ଜଣାଇ ଦିଆଯାଇଥିଲା। ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ବୈଠ କରି ମୃତ ଶିଶୁକୁ ନେଇଯିବା ପାଇଁ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।

ହସ୍ପିଟାଲ ପକ୍ଷରୁ ମୃତ ଶିଶୁକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ବେଳେ ତାକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖାଯାଇଥିଲା। ହେଲେ ଶିଶୁ ମୁଣ୍ଡରେ ୪୦ରୁ ଅଧିକ ଷ୍ଟିଚ୍ ପଡ଼ିଥିବା ଶ୍ମଶାନରେ ଦେଖିବାକୁ ପାଇଥିଲେ ପରିବାର ଲୋକ।

ଏଥିରେ ଶିବ ପ୍ରସାଦଙ୍କର ସନ୍ଦେହ ହୋଇଥିଲା। ଶିଶୁଟିର ଜନ୍ମ ପରେ ପରେ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଅଯଥାରେ ଆଇସିୟୁରେ ୭ ଦିନ ରଖି ତାଙ୍କଠାରୁ ଟଙ୍କା ନେଇଥିବା ଜାଣିବାକୁ ପାଇଥିଲେ ଶିବ ପ୍ରସାଦ।

ଏହି ଘଟଣାରେ ସେ ନ୍ୟାୟ ଦାବିରେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ୱାରସ୍ତ ହୋଇଥିଲେ। କମିସନ ତଦନ୍ତ କରି କିମ୍‌ସ କର୍ତ୍ତୃପକ୍ଷଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦୁଇ ମାସ ଭିତରେ ଅଭିଯୋଗକାରୀଙ୍କୁ ଯଦି କ୍ଷତିପୂରଣ ଦିଆ ନଯାଏ ତାହାଲେ ଡିଏମ୍‌ଇଟି ଏହାର କାରଣ କମିସନଙ୍କୁ ଜଣାଇବେ।

Comment