ଓଡ଼ିଶାଲାଇଭ୍ ବ୍ୟୁରୋ![](https://odisha.live/wp-content/uploads/2021/08/nayagarh-300x169.jpg)
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳର ଜଣେ ଚାଷୀ ଜମିରେ ହଳ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯାଉ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି କରାଯାଉଛି।
ଓଡଗାଁ ଅଞ୍ଚଳର ଗୁଆନ୍ଦ ଗ୍ରାମର ଜଣେ ଚାଷୀ ହେଉଛନ୍ତି ପ୍ରମୋଦ ନାଏକ। ବୟସ ତାଙ୍କର ୪୫ ବର୍ଷ। ସେ ସୋମବାର ଦିନ ପୂର୍ବାହ୍ଣରେ ଜମିରେ ହଳ କରିବା ପାଇଁ ଯାଇଥିଲେ। କିଛି ସମୟ ହଳ କରିବାପରେ ଅଚାନକ ବଳଦମାନେ କୌଣସି କାରଣରୁ ଦୌଡ଼ିବାକୁ ଲାଗିଥିଲେ। ବଳଦମାନଙ୍କ ପଛରେ ଲଙ୍ଗଳ ସହ ଘୋଷାରି ହୋଇ ଯାଇ ଏକ ଜଳାଶୟ ଭିତରେ ପଡ଼ିଯାଇଥିଲେ ପ୍ରମୋଦ। ଏହି ଘଟଣାକୁ ଦେଖି ପାଖ ଜମିରେ ଚାଷ କରୁଥିବା ଚାଷୀମାନେ ଦୌଡ଼ି ଆସି ପ୍ରମୋଦଙ୍କୁ ଜଳାଶୟରୁ ଉଦ୍ଧାର କରିଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ସେତେବେଳକୁ ପ୍ରମୋଦଙ୍କର ଦେହାନ୍ତ ହୋଇଯାଇଥିଲା।
ଏହି ଘଟଣା ସମ୍ପର୍କରେ ମୃତକଙ୍କ ସାନ ଭାଇ ଶଙ୍କର, ଓଡଗାଁ ଥାନାରେ ଲିଖିତ ଭାବେ ଜଣାଇବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ପ୍ରମୋଦଙ୍କ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ।
ଅନ୍ୟପକ୍ଷରେ ଗରିବ ଶ୍ରେଣୀର ଚାଷୀ ପ୍ରମୋଦଙ୍କର ଏପରି ମୃତ୍ୟୁରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପ୍ରମୋଦ ଥିଲେ ପରିବାରରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଏବେ ତାଙ୍କ ମୃତ୍ୟୁରେ ପୁରା ପରିବାର ଅସହାୟ ହୋଇପଡିଥିବାବେଳେ ଏଭଳି କ୍ଷେତ୍ରରେ ମୃତ ଚାଷୀ ପ୍ରମୋଦଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯାଉ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।