ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ମହାନଦୀରେ ଆସିଥିବା ବନ୍ୟାରେ ନୟାଗଡ଼ ଜିଲ୍ଲାର ୫୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଜିଲ୍ଲାର ଗଣିଆଁ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହିସବୁ ବ୍ଲକର ଅଧିକାଂଶ ଅଞ୍ଚଳ ବନ୍ୟାଜଳ ଘେରରେ ରହିଥିବାବେଳେ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁରୁବାର ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀମାନେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଗୁରୁବାର ଭାପୁର ବ୍ଲକର କରବର, ଗୁଡ଼ୁପଡ଼ା, ନଣ୍ଡାବର, ମାଣିତ୍ରୀ ଓ ମଣିପୁର ଆଦି ଗାଁ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ବନ୍ୟା ପ୍ରଭାବିତ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେ ଖଣ୍ଡପଡ଼ା ବ୍ଲକର କେତେକ ଗାଁକୁ ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ।

ନାୟଗଡ଼ରେ ବନ୍ୟା ପ୍ରଭାବରେ ଭାପୁର-କଳାପଥର ରାସ୍ତାର କାଳୀଗିରି ପୋଲଠାରୁ ମଣିପୁର ବନ୍ଧ ରାସ୍ତାରେ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ସେହିପରି ଜିଲ୍ଲାର କରବର-ବୈଦେଶ୍ୱର ରାସ୍ତାରେ ମଧ୍ୟ ବନ୍ୟା ପାଇଁ ଯାତାୟତ ବନ୍ଦ ରହିଛି।

ଅନ୍ୟପଟେ ଗଣିଆଁ ବ୍ଲକର ରାସଙ୍ଗ, କଳାପାଟ, ଡଙ୍କାରୀସାହି ରାସ୍ତା ଉପରେ ୩ରୁ ୪ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି। ଏହା ପ୍ରଭାବରେ ବ୍ଲକର ଛାମୁଣ୍ଡିଆ, ବଡ଼ସିଲିଙ୍ଗା ଏବଂ କିଶୋର ପ୍ରସାଦ ପଞ୍ଚାୟତର ୪୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଏହାଛଡ଼ା ମହାନଦୀ ପାଣି ଗଣିଆଁର ବିଭିନ୍ନ ଜନବସତି ଅଞ୍ଚଳକୁ ପ୍ରବେଶ କରିବା ସହିତ ଚାଷ ଜମିରେ ମଧ୍ୟ ମାଡ଼ି ଫସଲ ନଷ୍ଠ କରିଦେଇଛି। ନୟାଗଡ଼ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଗୁରୁବାର ଗଣିଆଁର ବିଭିନ୍ନ  ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।

ଏବେ ନୟାଗଡ଼ରେ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଭାବିତ ଅଞ୍ଚଳରେ ରାସନ, ଜରୁରୀ କାଳୀନ ଔଷଧ ଓ ଅନ୍ୟ ରିଲିଫ ସାମଗ୍ରୀ ଯୋଗାଯାଉଛି। ସେହିପରି ବନ୍ୟାଞ୍ଚଳରେ ଡଙ୍ଗା ଓ ବୋଟ ଚଳାଚଳ ଆରମ୍ଭ ହୋଇଛି। ଅନ୍ୟପଟେ ମହାନଦୀରେ ଆଗକୁ ଯଦି ଜଳସ୍ତର ଆହୁରି ବଢ଼ିବ ତେବେ ଜିଲ୍ଲାରେ ବଡ଼ଧରଣର ବନ୍ୟା ହେବ ବୋଲି ଆଶଙ୍କା କରାଯାଉଛି।

Tags: #FloodSituation #HeavyRainfall #NayagarhDistrict #Mahanadi #Odisha

 

Comment