ଓଡ଼ିଶାଲାଇଭ୍ ବ୍ୟୁରୋ

ରାସ୍ତା ଖରାପ ଯୋଗୁଁ ଘର ପାଖକୁ ଯାଇପାରିଲାନି ଆମ୍ବୁଲାନ୍ସ। ପରିବାର ଲୋକ ରୋଗୀଙ୍କୁ ଖଟିଆରେ ବୋହି ନେଲେ ଡାକ୍ତରଖାନା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଞ୍ଚଳର ଜଙ୍ଗଲ ପାହାଡ଼ ଘେରା ବାଡ଼ିବାରୀ ଗାଁରେ।

ବାଡ଼ିବାରୀ ଗାଁର ଜଣେ ଯୁବକ ହେଉଛନ୍ତି ବଳରାମ ମଳିକ। ସେ ରବିବାର ଦିନ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ନିମନ୍ତେ ବଳରାମଙ୍କ ପରିବାର ଲୋକ ନିକଟରେ ଥିବା ମହିପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ  ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ବର୍ଷା କାରଣରୁ ଗାଁର ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ଯାଇପାରିବନି କହିଥିଲେ କର୍ମଚାରୀ।

ଶେଷରେ ପରିବାର ଲୋକ କୌଣସି ଉପାୟ ନପାଇ ବଳରାମଙ୍କୁ ଖଟିଆରେ କାନ୍ଧେଇ ୨ କିଲୋମିଟର ଦୂର ନେବାପରେ, ରାସ୍ତାରୁ ଏକ ଅଟୋ ଯୋଗେ ମହିପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ବଳରାମଙ୍କ ଅଧିକ ଚିକିତ୍ସା ନିମନ୍ତେ ମହିପୁର ସ୍ୱାସ୍ଥ୍ୟକେନ୍ଦ୍ରରୁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏବେବି ନୟାଗଡ଼ ଜିଲ୍ଲାରେ ଏମିତି କିଛି ଅଞ୍ଚଳ ରହିଛି, ଯେଉଁଠାର ଲୋକମାନେ ଠିକ୍ ଭାବରେ ସ୍ୱାସ୍ଥ୍ୟସେବା ପାଇପାରୁନାହାଁନ୍ତି। ଖାଲି ସ୍ୱାସ୍ଥ୍ୟସେବା ନୁହେଁ, ଯେକୌଣସି ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଛନ୍ତି ଉକ୍ତ ଅଞ୍ଚଳବାସୀ। ସେପଟେ ରାଜନୈତିକ ଓ ପ୍ରଶାସନିକସ୍ତରରେ ଅବହେଳା ଯୋଗୁଁ ଗାଁରେ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରୁନାହିଁ ବୋଲି କହିଛନ୍ତି ବାଡ଼ିବାରୀ ଗାଁ ଲୋକେ।

LEAVE A REPLY

Please enter your comment!
Please enter your name here