ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ପ୍ରଭାବରେ ଦୁଇ ଦିନ ହେବ ସାରା ରାଜ୍ୟରେ ବର୍ଷା ଲାଗିରହିଥିବାବେଳେ, ନୟାଗଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଫଳରେ ଅନେକ ପରିବାର ଏବେବି ଜଳବନ୍ଦୀ ହୋଇ ରହିଛନ୍ତି। ଲଘୁଚାପ ବର୍ଷାରେ ଜନଜୀବନ ବ୍ୟାହତ ହେବା ସହ ଯାତାୟତରେ ମଧ୍ୟ ବାଧା ଉପୁଜିଛି।

ନୟାଗଡ଼ ଜିଲ୍ଲାରେ ଶନିବାରଠାରୁ ବର୍ଷା ଲାଗି ରହିଛି। ଏଥିରେ ନୟାଗଡ଼ ସହର ସମେତ ଜିଲ୍ଲାର ବିଭିନ୍ନ ଗାଁ ଓ ବିଦ୍ୟାଳୟଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି। ଏବେବି ଜିଲ୍ଲାର ଅନେକ ଅଞ୍ଚଳ ଜଳ ଘେରରେ ରହିଛି। ଏହାକୁ ନଜରରେ ରଖି ୨ ଦିନ ପାଇଁ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।ଗ୍ରାମାଞ୍ଚଳ ସମେତ ସହରାଞ୍ଚଳ ଓ ବ୍ଲକ ଅଞ୍ଚଳରେ ମଧ୍ୟ ଲଘୁଚାପ ବର୍ଷା କ୍ଷୟକ୍ଷତି ଘଟାଇଛି। ଅନେକ ସ୍ଥାନରେ ରାସ୍ତାଉପରେ ୨ରୁ ୩ ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏହି କାରଣରୁ ଯାତାୟତ ବନ୍ଦ ରହିଛି। ସେପଟେ ଜିଲ୍ଲାର ବୃତ୍ତଙ୍ଗ, କୁଆଁରୀଆ, କୁସୁମୀ, କାଳିଗିରୀ, ଘୋଡାମାରୀ, ଲୁଣିଝରା, ଡାହୁକା, ଦୂଆଣ୍ଟ ଆଦି ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେବାରୁ ଡାହୁକା ନଦୀ ବନ୍ଧର ଆଙ୍କୁଲିପାଟ୍ଟଣା ଗାଁ ନିକଟରେ ଏକ ଘାଇ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି। ଏହିଭଳି ଯଦି ଆଉ ଦିନେ କି ଦୁଇଦିନ ଲଘୁଚାପ ବର୍ଷା ଲାଗି ରହେ ତେବେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହେବା ଆଶଙ୍କା କରାଯାଉଛି।

Comment