ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସ୍କୁଲ ଯିବେ ନବମ ଶ୍ରେଣୀ ଛାତ୍ରଛାତ୍ରୀ। ଅଗଷ୍ଟ ୧୬ରୁ କ୍ଲାସରୁମରେ ଆରମ୍ଭ ହେବ ଅଫଲାଇନ ପାଠ ପଢ଼ା। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲର ନବମ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଵତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି।

ନିର୍ଦ୍ଦେଶନାମା ଅନୁସାରେ, ସକାଳ ୯ଟାରୁ ୧୨ଟା ୩୦ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଯିବ। ତେବେ ରବିବାର ଓ ଅନ୍ୟାନ୍ୟ ଛୁଟିଦିନଗୁଡ଼ିକରେ ପାଠ ପଢ଼ା ବନ୍ଦ ରହିବ। ଅଭିଭାବକଙ୍କ ପରାମର୍ଶକ୍ରମେ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। ଏଥିସହ ଯେଉଁମାନେ ଅନଲାଇନ କ୍ଲାସ କରିବାକୁ ଚାହିଁବେ, ସେମାନେ ଘରେ ରହି ଅନଲାଇନ କ୍ଲାସ ମଧ୍ୟ କରିପାରିବେ। ଅଫଲାଇନ ପାଠ ପଢ଼ାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବ ନାହିଁ।ସେହିପରି ନବମ ଶ୍ରେଣୀ ପିଲାଙ୍କ ପାଇଁ ଅଗଷ୍ଟ ୧୬ରୁ ହଷ୍ଟେଲଗୁଡ଼ିକ ଖୋଲିବ। ରାଜ୍ୟରେ କରୋନା ସଙ୍କଟ ଟଳିନଥିବାରୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ଗାଇଡଲାଇନକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୨୬ରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠ ପଢ଼ା ଜାରି ରହିଛି। ଏବେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠ ପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

LEAVE A REPLY

Please enter your comment!
Please enter your name here