ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ
  • ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର
  • ମୁତୟନ ହେବେ ମୋଟ ୩୭,୨୪୫ ପୋଲିସ୍
  • ଭୋଟ ପରିଚୟ ପତ୍ର ନଥିବା ଭୋଟରଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା
  • ୧୩ଟି ବିକଳ୍ପ ପରିଚୟ ପତ୍ରରେ ଭୋଟ ଦେଇ ହେବ
  • କୋଭିଡ ପଜିଟିଭ ଭୋଟର କରିପାରିବେ ମତଦାନ

ଫେବ୍ରୁଆରି ୧୬ ତାରିଖ ରାଜ୍ୟରେ ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ମୋଟ ୧,୬୬୯ ପଞ୍ଚାୟତରେ ୨୨,୩୭୯ ବୁଥରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ମଙ୍ଗଳବାର ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ନିଜ ନିଜର କେନ୍ଦ୍ରରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି। ବିଭିନ୍ନ ମତଦାନ କେନ୍ଦ୍ର ପାଇଁ ମୋଟ ୩୭,୨୪୫ ଜଣ ପୋଲିସ ନିୟୋଜିତ ହେବେ। ବର୍ତ୍ତମାନ ୨୨୫ ପ୍ଲାଟୁନ ପୋଲିସ୍ ମୁତୟନ ରହିଛନ୍ତି। ଓଡ଼ିଶା ଆର୍ମଡ ପୋଲିସ୍, ଇଣ୍ଡିଆ ରିଜର୍ଭ ବାଟେଲିଅନ ଏବଂ ସ୍ପେସାଲ ସିକ୍ୟୁରିଟି ବାଟେଲିଅନ ଏହି ଫୋର୍ସରେ ସାମିଲ ହୋଇଛନ୍ତି। ସକାଳ ୭ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର।

ଭୋଟ ପରିଚୟ ପତ୍ର ନଥିବା ଭୋଟରଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଭୋଟରମାନଙ୍କ ପାଖରେ ଭୋଟ ପରିଚୟ ପତ୍ର ନଥିଲେ ମଧ୍ୟ ସେମାନେ ମତଦାନ କରିପାରିବେ। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଭୋଟ ପରିଚୟ ପତ୍ର ନଥିବା ଭୋଟରଙ୍କ ପାଇଁ ୧୩ଟି ପରିଚୟ ପତ୍ରକୁ ବିକଳ୍ପ କରାଯାଇଛି। ଏଗୁଡ଼ିକ ମଧ୍ୟରେ ପ୍ୟାନକାର୍ଡ, ଆଧାରକାର୍ଡ, ପାସପୋର୍ଟ, ନରେଗା କାର୍ଡ ଆଦି ସାମିଲ ରହିଛି। ଏହି ସବୁ ପରିଚୟ ପତ୍ର ଦେଖାଇ ଜଣେ ଭୋଟର ନିଜର ମତଦାନ ସାବ୍ୟସ୍ତ କରିପାରିବେ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

କୋଭିଡ ପଜିଟିଭ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

କୋଭିଡ ଗାଇଡଲାଇନ ଅନୁସାରେ ଚଳିତ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନ କେନ୍ଦ୍ରରେ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବା ସହ ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରିବାକୁ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି। ଅନ୍ୟ ପକ୍ଷରେ କୋଭିଡ ପଜିଟିଭ ଥିବା ଭୋଟରଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପ୍ରତି ଜିଲ୍ଲା ହସ୍ପିଟାଲକୁ କୋଭିଡ ପଜିଟିଭ ବ୍ୟକ୍ତିଙ୍କ ତାଲିକା ଦେବାକୁ କୁହାଯାଇଛି। ତାଲିକା ଆସିବା ପରେ ଚିହ୍ନଟ କରାଯାଇ କୋଭିଡ ପଜିଟଭ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଅଣାଯିବ। ସାଧାରଣ ଭୋଟର ମତଦାନ କରିସାରିବା ପରେ କୋଭିଡ ପଜିଟିଭ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିପାରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।

LEAVE A REPLY

Please enter your comment!
Please enter your name here