ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ଯୋଗୁଁ ଏ ବର୍ଷ ବି ଫିକା ପଡ଼ିଲା ସରସ୍ୱତୀ ପୂଜା। କଟକଣା ମଧ୍ୟରେ କେବଳ ସ୍ୱଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାଗୁଡ଼ିକରେ ସରସ୍ଵତୀ ପୂଜା ପାଳନ କରାଯାଇଛି। ପ୍ରତି ବର୍ଷ ସ୍କୁଲ, କଲେଜ ଏବଂ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ଧୁମଧାମ ସହ ସରସ୍ୱତୀ ପୂଜା ପାଳନ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ରାଜ୍ୟରେ ଜାରି ରହିଥିବା କୋଭିଡ ପରିସ୍ଥିତି ଯୋଗୁଁ କଟକଣା ମଧ୍ୟରେ ସମସ୍ତ ରୀତିନୀତିରେ ପୂଜା ଅନୁଷ୍ଠିତ ହୋଇଛି। କିଛି ଲୋକ ନିଜ ନିଜ ଘରେ ମଧ୍ୟ ସରସ୍ୱତୀ ପୂଜାର ଆୟୋଜନ କରିଛନ୍ତି।

ପ୍ରତି ବର୍ଷ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ତିଥିରେ ମା’ ସରସ୍ୱତୀଙ୍କୁ ପୂଜା କଲେ ଶୀଘ୍ର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ଗତ ମାସରେ ସରସ୍ଵତୀ ପୂଜା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିଲା। କେବଳ ସ୍କୁଲ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପୂଜା ପାଇଁ ଅନୁମତି ରହିନଥିଲା। କୋଭିଡ ନିୟମ ପାଳନ କରି ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ଵତୀ ପୂଜା ପାଳନ କରିବାକୁ ଗାଇଡ ଲାଇନରେ ଉଲ୍ଲେଖ ରହିଥିଲା। ଅନ୍ୟମାନଙ୍କୁ ଘର ମଧ୍ୟରେ ସରସ୍ଵତୀ ପୂଜା ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା।

Comment