ଓଡ଼ିଶାଲାଇଭ୍ ବ୍ୟୁରୋ

ଭକ୍ତଙ୍କ ଦର୍ଶନ ପାଇଁ ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ସମ୍ପୂର୍ଣ୍ଣ ଟିକା ନେଇଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ। ମନ୍ଦିର ପ୍ରବେଶ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ସହ ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ସାଙ୍ଗରେ ନେବାକୁ ପଡ଼ିବ। ଦର୍ଶନ ସମୟରେ କୋଭିଡର ସମସ୍ତ ନିୟମ ପାଳନ କରିବା ସହ ସାମାଜିକ ଦୂରତା ଏବଂ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଧର୍ମାନୁଷ୍ଠାନ ଖୋଲିବା ନେଇ ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।

ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଏକା ଥରକେ ୧୦୦ ଜଣ ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯାଇଛି। ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁ ହିଁ ଦେବଦେବୀ ଦର୍ଶନ କରିପାରିବେ। ୧୫ରୁ କମ୍ ବର୍ଷର ପିଲାମାନେ ପରିଚୟ ପତ୍ର ନେଇ ଅଭିଭାବକଙ୍କ ସହ ମନ୍ଦିର ପ୍ରବେଶ କରିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଭୁବନେଶ୍ଵରରେ ରହିଥିବା ସମସ୍ତ ଚର୍ଚ୍ଚ, ମସଜିତ ଏବଂ ଗୁରୁଦ୍ଵାରା ପ୍ରବେଶ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି।

ରାଜ୍ୟରେ କୋଭିଡ ପରିସ୍ଥିତି ଉଦବେଗ ଜନକ ରହିଥିବାରୁ ଜନତାଙ୍କ ସୁରକ୍ଷା ଦୃଷ୍ଟରୁ ରାଜ୍ୟର ସମସ୍ତ ମନ୍ଦିର, ମସଜିତ, ଚର୍ଚ୍ଚ ଏବଂ ଗୁରୁଦ୍ଵାରାକୁ ବନ୍ଦ ରଖାଯାଇଥିଲା। ବର୍ତ୍ତମାନ କୋଭିଡ ସ୍ଥିତି ସୁଧରିଲାଣି। ଧୀରେ ଧୀରେ ସ୍କୁଲ, କଲେଜ ଆଦି ଖୋଲା ଗଲାଣି। ସ୍ଥିତି ଦେଖି ସରକାର କୋଭିଡ କଟକଣା ମଧ୍ୟ କୋହଳ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ବନ୍ଦ ରହିଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comment