ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୨୩ତାରିଖରୁ ଖୋଲିବ ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ। ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ସ୍ଵତନ୍ତ୍ର ମାର୍ଗଦର୍ଶିକା। ତେବେ ମନ୍ଦିର ଭିତରେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି ।

କରୋନା କଟକଣା ଭିତରେ ଭୁବନେଶ୍ଵରରେ ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ଵାର ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଏମ୍‌ସି। ନିଷ୍ପତ୍ତି ଅନୁସାରେ, ମନ୍ଦିରଗୁଡ଼ିକରେ କେବଳ ଦର୍ଶନ ପାଇଁ ଅନୁମତି ମିଳିବ। ଗର୍ଭଗୃହ ପ୍ରବେଶ ବା ସହାଣମେଲା ଦର୍ଶନ ଉପରେ କଟକଣା ଜାରି ରହିବ। ଏଥିସହ ମନ୍ଦିର ଭିତରକୁ କୌଣସି ପ୍ରକାରର ପ୍ରସାଦ ଭକ୍ତମାନେ ନେଇପାରିବେ ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।ଅନ୍ୟପଟେ ୨୩ ତାରିଖ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନଙ୍କ ଉପରେ ନିଷ୍ପତ୍ତି ଦାୟିତ୍ଵ ଦିଆଯାଇଛି। ଏଥିସହ ଲିଙ୍ଗରାଜ ମନ୍ଦିର ଖୋଲିଲେ କେବଳ ୧୦୦ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବା ସହ ବିଏମ୍‌ସି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ଭୁବନେଶ୍ଵରର ଅନ୍ୟାନ୍ୟ ଧର୍ମାନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ଭିତରକୁ ସର୍ବାଧିକ ୨୫ ଜଣ ଶ୍ରଦ୍ଧାଳୁ ଯାଇପାରିବେ। ମନ୍ଦିର ପରିସରରେ ଛେପ ପକାଇବା ଓ ଗୁଟଖା ଖାଇବା ଉପରେ ରୋକ ଲଗାଯାଇଛି। ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ୧୮ବର୍ଷରୁ କମ ବୟସ୍କ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିକୁ ଧର୍ମାନୁଷ୍ଠାନ ଯିବାକୁ ବାରଣ କରାଯାଇଛି।

Comment