ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ର-ଓଡ଼ିଶା ସ୍ୱତନ୍ତ୍ର ଜୋନ୍ କମିଟିର ୬ ଜଣ କ୍ୟାଡର ମାଓବାଦୀ ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଗୌତମ ସ୍ୱାଙ୍ଗଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଚିକ୍କୁଡୁ ଚିନ୍ନା ରାଓ ଓରଫ ସୁଧୀର, ଭାଣ୍ଟାଲା ଭାନୁ, ମାଡାକମ୍ ସୋମିଡି, ମାଡାକମ୍ ମଙ୍ଗଲୁ, ପୋୟାମ ରୁକିନି ଏବଂ ସୋଡି ଭୀମ। ଏମାନେ ସମସ୍ତେ ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏହି ମାଓବାଦୀମାନଙ୍କ ମଧ୍ୟରେ ଥିବା ସୁଧୀର ନାମରେ ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ଥାନାରେ ସର୍ବାଧିକ ୯୩ଟି ଅପରାଧିକ ମାମଲା ରହିଥିବା ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ପୋଲିସ ଡିଜି ଗୌତମ ସ୍ୱାଙ୍ଗ। ସେ କହିଛନ୍ତି, “ବର୍ତ୍ତମାନ ସମୟର ମାଓବାଦୀଙ୍କୁ ଜନସାଧାରଣଙ୍କ ସମର୍ଥନ ମିଳୁନାହିଁ। ଆଦିବାସୀଙ୍କ ନିଯୁକ୍ତି ଅଭାବ, ନକ୍ସଲ ନେତୃତ୍ୱର ଭେଦ ଭାବ ଏବଂ ପୁରୁଣା ଆଦର୍ଶରେ ଅସନ୍ତୋଷ ଯୋଗୁଁ ବହୁ ମାଓବାଦୀ ନିଜ ନିଜ ଦଳ ଛାଡି ଆତ୍ମସମର୍ପଣ କରୁଛନ୍ତି।”

ସେ ଆଉ ମଧ୍ୟ କହିଛନ୍ତି, “ଆନ୍ଧ୍ରପ୍ରଦେଶର ଅଧିକାଂଶ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ହ୍ରାସ ଘଟିଛି ଓ ଏମିତି ବି କିଛି ଜିଲ୍ଲା ରହିଛି, ଯେଉଁଠାରେ ମାଓବାଦୀଙ୍କ କାର୍ଯ୍ୟକଳାପ କିଛି ଦେଖିବାକୁ ମିଳୁନାହିଁ। ସାଧାରଣତଃ ଏହି ମାଓ କାର୍ଯ୍ୟକଳାପ ମୁଖ୍ୟତଃ ବିଶାଖାପାଟଣା ଓ ପୂର୍ବ ଗୋଦାବରୀ ଜିଲ୍ଲା ମଧ୍ୟରେ ସୀମିତ ରହିଛି।”

Comment