ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଫଗାନିସ୍ତାନରେ ତାଲିବାନ ଆତଙ୍କ
  • ଜାତୀୟ ରାଜଧାନୀ କାବୁଲ ଅଭିମୁଖେ ଆତଙ୍କୀ ଗୋଷ୍ଠୀ
  • ବଢ଼ିଲା ଭାରତର ଚିନ୍ତା

ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଏବେ ଗୋଟିଏ ପରେ ଗୋଟିଏ ସହରକୁ କବ୍‌ଜାକୁ ନେଇ ଦେଶରେ ଆତଙ୍କ ଖେଳାଇଛନ୍ତି। କେଉଁଠି ମୁଣ୍ଡକାଟ ହେଉଛି ତ ଆଉ କେଉଁଠି ଆତଙ୍କୀମାନେ ଭିଆଉଛନ୍ତି ବର୍ବରକାଣ୍ଡ। ତାଲିବାନଙ୍କ ପାଦୁର୍ଭାବରେ ଆଫଗାନବାସୀଙ୍କ ବଞ୍ଚିବା ମୁସ୍କିଲ ହେଲାଣି। ଏପଟେ ଦେଶର ୮୫ ପ୍ରତିଶତ ଭାଗ କବଜାକୁ ନେଇଥିବା ଏହି ଗୋଷ୍ଠୀ ଏବେ ଜାତୀୟ ରାଜଧାନୀ କାବୁଲ୍‌ ଆଡ଼କୁ ମାଡ଼ି ଆସୁଥିବା ସୂଚନା ମିଳିଛି। ଏହିପରି ଭାବେ ଯଦି ସମ୍ପୂର୍ଣ୍ଣ ଆଫଗାନିସ୍ତାନ ତାଲିବାନର ହାତ ମୁଠାକୁ ଚାଲିଯାଏ ତାହେଲେ ଭାରତ ପାଇଁ ଏହା ବିପଦ ହେବ ବୋଲି ଚର୍ଚ୍ଚା ହେଉଛି।

କାବୁଲ କବଜା କରିବାକୁ ତାଲିବାନଙ୍କ ଉଦ୍ୟମ

 ନିକଟରେ ତାଲିବାନମାନେ ଆଫଗାନିସ୍ତାନର ତୃତୀୟ ବୃହତ୍ତମ ସହର ହେରାତ୍‌ ଓ ଗଜନିକୁ ଦଖଲ କରି ନେଇଛନ୍ତି। ଏହାପରେ ସେମାନେ କାବୁଲ-କାନ୍ଦାହାର ରାଜପଥକୁ ଅକ୍ତିଆର କରିଛନ୍ତି। ଏହି ରାଜପଥ ଦ୍ୱାରା ସେମାନେ କାବୁଲରେ ପହଞ୍ଚିବେ। ଫଳରେ କାବୁଲ ଦଖଲ କରିବା ତାଲିବାନଙ୍କ ପାଇଁ ସହଜ ହେବ।

ସେନା ପ୍ରତ୍ୟାହାର କରୁଛି ଆମେରିକା

ଆଫାଗାନିସ୍ଥାନକୁ ସୁରକ୍ଷା ଯୋଗାଇ ଦେବା ପାଇଁ ୨୦୦୧ରୁ ଆମେରିକୀୟ ସେନା ଏଠାରେ ମୁତୟନ ଥିଲେ। ମାତ୍ର ଏବେ ଦେଶରେ ତାଲିବାନଙ୍କ ଆତଙ୍କ ବଢ଼ିଥିବା ବେଳେ ଆମେରିକା ନିଜର ସେନା ପ୍ରତ୍ୟାହାର କରି ନେଉଛି। ଚଳିତ ବର୍ଷ ସେପ୍ଟେମ୍ବର ୧୧ ସୁଦ୍ଧା ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଯିବ। ପେଣ୍ଟାଗନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୯୦ ପ୍ରତିଶତ ସେନା ଆମେରିକା ଫେରିଗଲେଣି।

ଗତ ୨୦ ବର୍ଷ ଧରି ଆମେରିକା ଓ ଅନ୍ୟ ବିଦେଶୀ ସେନାଙ୍କ ଉପସ୍ଥିତିରେ ଆଫଗାନବାସୀ ଶାନ୍ତିରେ ଜୀବନ କାଟୁଥିଲେ। ଏବେ ବିଦେଶୀ ସେନା ପ୍ରତ୍ୟାହାର ପ୍ରକ୍ରିୟା ସରିବାକୁ ଆସୁଥିବା ବେଳେ ତାଲିବାନ ସକ୍ରିୟ ହୋଇଉଠୁଛି।

ବଢ଼ିଲା ଭାରତର ଚିନ୍ତା

ଆଫାଗାନିସ୍ତାନରେ ଯଦି ତାଲିବାନମାନେ ଶାସନ କରିବା ଆରମ୍ଭ କରି ଦିଅନ୍ତି ତେବେ ଏହା ଭାରତ ପାଇଁ ବିପଦ ହୋଇପାରେ। କାରଣ ଭାରତର ୨ ଶତ୍ରୁ ରାଷ୍ଟ୍ର ଚୀନ ଓ ପାକିସ୍ତାନର ଏହାର ଫାଇଦା ଉଠାଇପାରେ। ଏହାପଛରେ କାରଣ ହେଉଛି ତାଲିବାନ ସହିତ ପାକିସ୍ତାନର ସମ୍ପର୍କ ରହିଛି। ତାଲିବାନକୁ ବିଭିନ୍ନ ବାଟେ ପାକିସ୍ତାନ ସହାୟତା ଦେଉଥିବା ମଧ୍ୟ ନଜିର ରହିଛି। ଯଦି ଆଫଗାନିସ୍ତାନରେ ତାଲିବାନଙ୍କୁ କ୍ଷମତା ମିଳିଯାଏ ତେବେ ଏହି ଆତଙ୍କୀ ଗୋଷ୍ଠୀଙ୍କୁ ନେଇ ପାକିସ୍ତାନ ଭାରତରେ ଆତଙ୍କୀ ଉପଦ୍ରବ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପଟେ ଚୀନ ସହିତ ମଧ୍ୟ ଭାରତର ବିବାଦ ଦେଖାଯାଉଛି। ସୀମା ବିବାଦକୁ ନେଇ ଉଭୟ ଦେଶ ଅନେକ ସମୟରେ ମୁହାଁମୁହିଁ ହେଉଛନ୍ତି। ଚୀନ ତାଲିବାନକୁ ପରୋକ୍ଷ ଭାବେ ସମର୍ଥନ କରୁଥିବା ବୁଦ୍ଧିଜୀବୀ ମହଲରେ କୁହାଯାଉଛି। କାରଣ ଅନ୍ତର୍ଜତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଆଫଗାନିସ୍ଥାନରେ ଚୀନର ବିଭିନ୍ନ ପ୍ରକଳ୍ପକୁ ତାଲିବାନମାନେ କ୍ଷତି ପହଞ୍ଚାଉନାହାନ୍ତି।

ରିପୋର୍ଟ ଅନୁସାରେ ଆଫଗାନିସ୍ଥାନରେ ଭାରତ ପକ୍ଷରୁ ପ୍ରାୟ ୫୦୦ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୨୫୦୦ କୋଟି ଟଙ୍କା ନିବେଶ କରାଯାଇଛି। କିନ୍ତୁ ଏହି ପ୍ରକଳ୍ପରେ ଏବେ ତାଲିବାନ ପ୍ରତିବନ୍ଧକ ସାଜିଛି। ଏହା ଭାରତ ପାଇଁ ବିପଦ ହୋଇପାରେ।

ହିଂସା ରୋକିବାକୁ ଆଫଗାନ ରାଷ୍ଟ୍ରପତିଙ୍କ ପ୍ରୟାସ

ଆଫଗାନିସ୍ତାନରେ ଏବେ ତାଲିବାନଙ୍କ ଆତଙ୍କ ବଢ଼ିଛି। ଭୟ, ଆତଙ୍କ ଭିତରେ ଦେଶବାସୀ ଦିନ କାଟୁଛନ୍ତି। ମହିଳାଙ୍କ ପାଇଁ ମଧ୍ୟ ସମସ୍ୟା ବଢ଼ିଛି। ଏଭଳି ସ୍ଥିତରେ ଆଫଗାନ ରାଷ୍ଟ୍ରପତି ଅସରଫ ଘନି ପ୍ରୟାସ କରୁଛନ୍ତି। ଆଫଗାନ ଶାନ୍ତି ପ୍ରକ୍ରିୟାର ମଧ୍ୟସ୍ଥି କତାର ମାଧ୍ୟମରେ ତାଲିବାନକୁ ନୂଆ ଶାନ୍ତି ପ୍ରସ୍ତାବ ଦେଇଛି। ତୁରନ୍ତ ହିଂସା ରୋକିବାକୁ କୁହାଯାଇଛି। ମାତ୍ର ତାଲିବାନ ପକ୍ଷରୁ ଏନେଇ କୌଣସି ଜବାବ ମିଳିନାହିଁ।

Comment