ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୯୯ ମସିହାରେ ଡିସେମ୍ବର ୨୪ ତାରିଖରେ ତାଲିବାନ ଆତଙ୍କବାଦୀମାନେ ଏୟାର ଇଣ୍ଡିଆର ଆଇସି ୮୧୪ ବିମାନକୁ ଅପହରଣ କରି ନେଇଥିଲେ। ବିମାନଟିକୁ ୭ ଦିନ ଧରି ଆତଙ୍କବାଦୀମାନେ କବ୍‌ଜାରେ ରଖିଥିଲେ। ୨୨ ବର୍ଷ ତଳର ସେହି ଭୟଙ୍କର ଦିନକୁ ଏବେ ପୁଣି ମନେ ପକାଇଛନ୍ତି ବିମାନର ପାଇଲଟ୍‌ ଥିବା କ୍ୟାପଟେନ୍‌ ଦେବୀ ଶରନ।

‘‘ତାଲିବାନ ଆତଙ୍କବାଦୀମାନେ ସେତେବେଳେ ଯେଉଁଭଳି କ୍ରୁର ଥିଲେ ଏବେ ବି ସେମିତି ଅଛନ୍ତି। ସେତେବେଳେ ତାଲିବାନିମାନେ ଯେଉଁ ବ୍ୟବହାର ଦେଖାଇଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେମାନଙ୍କ ନିଷ୍ଠୁରତା ଦେଖି ସମସ୍ତେ ଆତଙ୍କିତ ଥିଲେ। ସେ ସମୟ ଓ ଆଜି ଭିତରେ କିଛି ଫରକ ନାହିଁ। ସେତେବେଳେ ବିମାନରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷାର ଆବଶ୍ୟକ ଥିଲା, ଆଜି କାବୁଲ କାବୁଲ ବିମାନବନ୍ଦରରେ ଥିବା ଯାତ୍ରୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ’’, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି କ୍ୟାପଟେନ ଦେବୀ ଶରନ।

୨୪ ଡିସେମ୍ବର ୧୯୯୯ ମସିହାରେ ଇଣ୍ଡିଆନ ଏୟାର ଲାଇନ୍ସର ଏକ ବିମାନ ଆଇସି-୮୧୪କୁ ଅପହରଣ କରାଯାଇଥିଲା। ୧୮୦ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ସେଇ ଦିନ ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବିମାନ ଉଡ଼ାଣ ଭରିଥିଲା। ଭାରତ ସୀମାରେ ବିମାନଟି ପଶିବା ପରେ ଆତଙ୍କବାଦୀମାନେ ବିମାନକୁ ଅପହରଣ କରିନେଇଥିଲେ।

ପ୍ରଥମେ ଅମୃତସରରୁ ଲାହୋର, ଲାହୋରରୁ ଦୁବାଇ ଏବଂ ଶେଷରେ ଆଫଗାନିସ୍ତାନର କାନ୍ଦାହାରରେ ପହଞ୍ଚିଥିଲା। ଆତଙ୍କବାଦୀମାନେ ବିମାନଯାତ୍ରୀମାନଙ୍କୁ ଛାଡିବା ପାଇଁ ଭାରତୀୟ ଜେଲରେ ବନ୍ଦୀ ଥିବା କିଛି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଛାଡିବାକୁ ସର୍ତ୍ତ ରଖିଥିଲେ, ଯେଉଁମାନଙ୍କ ମଧ୍ୟରେ ଥିଲେ ମୁଶାକ ଅହମ୍ମଦ ଜାରଗର, ଅହମ୍ମଦ ଓମାର ସଇଦ ଶେଖ୍ ଓ ମୌଲାନା ମାସୁଦ ଅଜହର ଭଳି ଆତଙ୍କବାଦୀ।

ଯାତ୍ରୀଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କୁ ଆତଙ୍କବାଦୀଙ୍କ ସର୍ତ୍ତ ମାନିବାକୁ ପଡ଼ିଥିଲା। ୩ ଆତଙ୍କବାଦୀଙ୍କୁ ଛାଡ଼ିବା ପରେ ଆତଙ୍କବାଦୀମାନେ ବିମାନକୁ ଛାଡ଼ିଥିଲେ।

Comment