ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଇ-ଯାନ ପଲିସି ସମେତ ମୋଟ୍ ୧୪ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।  

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଏବେ ଇଲେକ୍‌ଟ୍ରିକ୍ ଯାନକୁ ଗୁରୁତ୍ୱ ଦିଆଯାଉଛି। ଏହିକ୍ରମରେ ଓଡ଼ିଶା ଇ-ଯାନ ପଲିସି ୨୦୨୧ ଉପରେ ଆଜି ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି। ୨୦୨୫ ସୁଦ୍ଧା ରାଜ୍ୟରେ ପଞ୍ଜୀକୃତ ହେବାକୁ ଥିବା ମୋଟ୍‌ ଯାନର ୨୦ ପ୍ରତିଶତ ଇ-ଯାନ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୩ତମ କ୍ୟାବିନେଟ୍ ବୈଠକରେ ମୋଟ୍ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥିରେ ଇଲେକ୍‌ଟ୍ରିକ୍ ଯାନର ବ୍ୟବହାରକୁ ବୃଦ୍ଧି କରିବା ନିମନ୍ତେ ଲୋକମାନଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ବ୍ୟବସ୍ଥା କରିଛନ୍ତି।ଇ-ଯାନ କିଣିଲେ ମିଳିବ ରିହାତି

ଇଲେକ୍‌ଟ୍ରିକ୍ ବା ଇ-ଯାନ କିଣିଲେ ଆର୍ଥିକ ରିହାତି ସହ ପଞ୍ଜୀକରଣ ଦେୟ ଓ ରୋଡ୍ ଟିକସ ଛାଡ଼ କରିବାର ବ୍ୟବସ୍ଥା କରାଯାଇଛି। ଏହାସହ ଇ-ଯାନ ବିକାଶ ଉପରେ ଗବେଷଣା କିମ୍ଵା ଉତ୍ପାଦନକାରୀ କମ୍ପାନିକୁ ମଧ୍ୟ ଆର୍ଥିକ ରିହାତି ଦିଆଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ପୁରୁଣା ଗାଡିଗୁଡିକୁ ସ୍କ୍ରାପ ପାଇଁ ପ୍ରୋତ୍ସାହିତ କରିବା ସହ ଇଲେକ୍‌ଟ୍ରିକ୍ ଗାଡି କିଣିବା ପାଇଁ ଋଣ ବାବଦକୁ ସୁଧ ଛାଡର ବ୍ୟବସ୍ଥା ରହିବା ନେଇ ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି।

ଭେଟେନାରୀ କ୍ଷେତ୍ରରେ ନୂଆ ନିଯୁକ୍ତି ସୃଷ୍ଟି

ଇ-ଯାନ ପଲିସି ବ୍ୟତୀତ ଭେଟେନାରୀ କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟରେ ଏବେ ମୋଟ୍ ୧୪୮୧ଟି ଭେଟେନାରୀ ରହିଥିବା ବେଳେ ତାହାକୁ ବଢ଼ାଇ ୧୯୧୦ କରିବାକୁ ପ୍ରସ୍ତାବ ରହିଛି। ଏହାଦ୍ଵାରା ରାଜ୍ୟରେ ୪୨୯ଟି ନୂଆ ଭେଟେନାରୀ ପଦବୀ ସୃଷ୍ଟି ହେବ। ଏଥିସହ ଭେଟେନାରୀ କ୍ୟାଡର ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯାଇଛି।ସେହିପରି ଓଡ଼ିଶା ସରକାରଙ୍କ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟକ୍ଷଙ୍କୁ କଲେଜର ଅନ୍ୟ କର୍ମଚାରୀଙ୍କ ପେନସନ୍ ମଞ୍ଜୁର କରାଇବାର କ୍ଷମତା ପ୍ରଦାନ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହାଦ୍ଵାରା କଲେଜର ଅଧ୍ୟକ୍ଷମାନେ ସେମାନଙ୍କ କଲେଜର ଅନ୍ୟ କର୍ମଚାରୀଙ୍କ ପେନସନ୍ ମଞ୍ଜୁର କରାଇପାରିବେ। ପୂର୍ବରୁ ଏଥିଲାଗି ବିଭାଗୀୟ ନିର୍ଦ୍ଦେଶାଳୟ ଉପରେ ନିର୍ଭର କରିବାକୁ ପଡୁଥିଲା।

ଏଥିସହ ବାଲି ଖାଦାନ ପଲିସି, ଓଡ଼ିଶା ସାମାଜିକ ସୁରକ୍ଷା ସେବା, ଇସ୍ପାତ ଖନନ ପଲିସିର ୪ଟି ସେବା ନିୟମ, ବ୍ଲକ୍ ହାତକୁ ଆଦର୍ଶ ବିଦ୍ୟାଳୟର ପରିଚାଳନା ଭାର ଆଦି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ର ମୋହର ବାଜିଛି।

LEAVE A REPLY

Please enter your comment!
Please enter your name here