ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ବର୍ଷା ଯୋଗୁଁ ଉବୁଟୁବୁ ହେଲା ସମଗ୍ର ଦିଲ୍ଲୀ। ସହରର ଚାରିଆଡ଼େ ପାଣିର ସୁଅ ଛୁଟୁଥିବାବେଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବି ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଥିଲା। ବର୍ଷା ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଶନିବାର ଦିଲ୍ଲୀରେ ହୋଇଥିବା ବର୍ଷାର ପରିମାଣ ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ଏହାର ପ୍ରଭାବ ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରର ପଡ଼ିଥିଲା। ଜମି ରହିଥିବା ପାଣି ଯୋଗୁଁ ବିମାନଗୁଡ଼ିକ ଉଡ଼ାଣ ଭରି ପାରିନଥିଲା। ଫଳରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟୁଇଟ ଜରିଆରେ କୁହାଯାଇଛି, ଅଚାନକ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା। ପରେ ପାଣି ନିଷ୍କାସିତ କରାଯାଇଛି। ଏବେ ସ୍ଥିତି ସ୍ଵାଭାବିକ୍ ରହିଛି।

ପାଣିପାଗ ବିଭାଗର ସୂଚନା ମୂତାବକ ଶନିବାର ସଫଦରଗଞ୍ଜଠାରେ ୧୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ପୂର୍ବରୁ ଉକ୍ତ ସ୍ଥାନରେ ୨୦୦୩ ମସିହାରେ ସର୍ବାଧିକ ୧୦୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସେପଟେ ଦିଲ୍ଲୀ ଜଖିରା ଅଣ୍ଡରପାସଠାରେ ବର୍ଷା ଯୋଗୁଁ ୧୦ ଫୁଟ ଉଚ୍ଚତାର ପାଣି ଜମି ଯାଇଛି। ଫଳରେ ଗାଡି ମଟର ଚଳାଚଳ ହୋଇପାରୁନାହିଁ।

କିଛି ଦିନ ଦିଲ୍ଲୀ-ଏନସିଆର୍‌ ସମେତ ନିକଟତର ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଏନସିଆର୍ ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Comment