ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଲିକମ କ୍ଷେତ୍ରରେ ଏକ ବଡ଼ ଧରଣର ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର। ଏହା ମାଧ୍ୟମରେ ଟେଲିକମ କମ୍ପାନିଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ସରକାର ଚିନ୍ତା କରିଛନ୍ତି। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଟେଲିକମ କ୍ଷେତ୍ରରେ ଆପଣା ଛାଏଁ ବା ଅଟୋମେଟିକ ରୁଟ ଜରିଆରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆଇ) ହୋଇପାରିବ। ଏଣିକି ବିଦେଶୀ କମ୍ପାନିଗୁଡ଼ିକ ଭାରତର ଟେଲିକମ ଶିଳ୍ପରେ ପୁଞ୍ଜି ନିବେଶ କରିବା ସହ ଏହାକୁ ପରିଚାଳନା ମଧ୍ୟ କରିପାରିବେ।

ଟେଲିକମ୍ କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ କ୍ୟାବିନେଟର ଅନୁମୋଦନ ମିଳିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିସହ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, “ଟେଲିକମ ଅପରେଟରମାନଙ୍କ ଉପରେ ରହିଥିବା ବକେୟା ଅର୍ଥ ଉପରେ ୪ ବର୍ଷର ମୋରାଟରିୟମ ପିରିୟଡ଼ ବା ମହଲତ ସମୟ ଦିଆଯାଇଛି। ଏହି ମୋରାଟୋରିୟମ ପିରିୟଡରେ ଅପରେଟରମାନଙ୍କୁ ବକେୟା ଅର୍ଥ ଉପରେ ସୁଧ ଦେବାକୁ ପଡ଼ିବ।”

ସେପଟେ କ୍ୟାବିନେଟ ବିବାଦୀୟ ଏଜିଆର ପରିଭାଷାକୁ ଅଧିକ ସରଳୀକରଣ କରି ଜରିମାନା ନିୟମକୁ ଶେଷ କରିଛି। ଏହାପୂର୍ବରୁ ସୁପ୍ରିମକୋର୍ଟ ୧୦ ବର୍ଷ ମଧ୍ୟରେ ବକେୟା ଏଜିଆର ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର କ୍ୟାବିନେଟର ଏହି ମହଲତ ସମୟ ଭୋଡାଫୋନ-ଆଇଡିଆ ଭଳି କ୍ଷତିରେ ଚାଲୁଥିବା ଟେଲିକମ କମ୍ପାନିଗୁଡ଼ିକୁ ସହାୟତା କରିବ ବୋଲି ଟେଲିକମ୍ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏଥିସହ ଟେଲିକମ ସେକ୍ଟରରେ ୧୦୦ ପ୍ରତିଶତ ଏଫଡିଆଇକୁ ଅନୁମତି ମିଳିବା ଦ୍ୱାରା ବାହାରୁ ପୁଞ୍ଜି ବିନିଯୋଗ ହୋଇପାରିବ। କେନ୍ଦ୍ର ସରକାରଙ୍କ ରାଜସ୍ୱ ଅଭାବ ଥିବାବେଳେ ବିଦେଶୀ ପୁଞ୍ଜି ଟେଲିକମ କ୍ଷେତ୍ରକୁ ରାସ୍ତାକୁ ଆଣିବାରେ ସହାୟକ ହେବ। କ୍ୟାବିନେଟ ଦ୍ୱାରା ଅନ୍ୟ ଯେଉଁ ୯ଟି ଢାଞ୍ଚାଗତ ସଂସ୍କାର ଓ ୫ଟି ପ୍ରକ୍ରିୟାଗତ ସଂସ୍କାରକୁ ମଞ୍ଜୁରୀ ମିଳିଛି ସେଗୁଡ଼ିକ ରୁଗ୍ଣ ହୋଇପଡିଥିବା ଟେଲିକମ ସେକ୍ଟରର ସମ୍ପୂର୍ଣ୍ଣ ରୂପରେଖକୁ ବଦଳାଇ ଦେବ ଏହି ଆଶା କରାଯାଉଛି।

ଅଧିକ ନିଯୁକ୍ତି ସୃଷ୍ଟି, ଗ୍ରାହକଙ୍କ ସ୍ୱାର୍ଥ ସାଧନ ଏବଂ ଅଭିବୃଦ୍ଧିରେ ସହାୟତା ଉଦ୍ଦେଶ୍ୟରେ ଅଣାଯାଇଥିବା ସଂସ୍କାରର ଆଉ ଏକ ବଡ଼ ଦିଗ ହେଲା ଏଣିକି ସ୍ପେକ୍‌ଟ୍ରମର ନିଲାମ, ପ୍ରତି ଆର୍ଥିକ ବର୍ଷର ଶେଷ ତିନି ମାସରେ କରାଯିବ। ସ୍ପେକ୍‌ଟ୍ରମ ନିଲାମ ଅବଧିକୁ ମଧ୍ୟ ୨୦ରୁ ୩୦ ବର୍ଷକୁ ବୃଦ୍ଧି କରାଯାଇଛି। ୧୦ ବର୍ଷ ପରେ ଯେକୌଣସି କମ୍ପାନି ଏହାକୁ ସରେଣ୍ଡର କରିପାରିବେ। ମାଗଣା ସ୍ପେକ୍‌ଟ୍ରମ ସେୟାରିଙ୍ଗକୁ ମଧ୍ୟ କ୍ୟାବିନେଟ ଅନୁମତି ଦେଇଛି। ଟେଲିକମ କ୍ଷେତ୍ରରେ ଏହି ସଂସ୍କାର କେବଳ ସମୟପଯୋଗୀ ନୁହେଁ ଏହାର ଆବଶ୍ୟକତା ମଧ୍ୟ ରହିଥିଲା।

Comment