ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମର ତପସ୍ଵିନୀ ଦାଶ ଏବଂ ଡାକ୍ତର ସୁମିତ ସାହୁଙ୍କ ବୈବାହିକ ଜୀବନକୁ ନେଇ ଚାଲିଥିବା ବିବାଦ ଦିନକୁ ଦିନ ଅଡୁଆ ହେବାରେ ଲାଗିଛି। ଗୋଟିଏ ପଟେ ସୁମିତଙ୍କ ସହ ପୁଣିଥରେ ସଂସାର କରିବାକୁ ତପସ୍ଵିନୀ ଜିଦ୍ ଧରିଥିବା ବେଳେ ଏକାଠି ରହିବାକୁ ଅରାଜି ହେଉଛନ୍ତି ସୁମିତ। ଏହାରି ମଧ୍ୟରେ ଘଟଣାରେ ନୂଆ ମୋଡ଼ ଆସିଛି। ଜଣେ ମନ୍ତ୍ରୀଙ୍କ ଝିଅ ସହ ସୁମିତଙ୍କ ବିବାହ ସ୍ଥିର ହୋଇଥିବା ତପସ୍ଵିନୀ ଦାବି କରିଛନ୍ତି। ଏହି ଘଟଣାଟି ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ତପସ୍ଵିନୀଙ୍କ ସହ ରହିବାକୁ ସୁମିତ ଅରାଜି

ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ତପସ୍ଵିନୀ-ସୁମିତଙ୍କୁ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ। ହେଲେ ସୁମିତ ଏସଡିଜେଏମ୍ କୋର୍ଟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ମାମଲାର ବିଚାର ପାଇଁ ଆବେଦନ କରିଛନ୍ତି। ସୁମିତଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ, ତପସ୍ଵିନୀ ଏବଂ ସୁମିତଙ୍କ ଛାଡ଼ପତ୍ର ମାମଲା ପରିବାର କୋର୍ଟରେ ବିଚାରଧୀନ ରହିଛି। ତେଣୁ ସେମାନଙ୍କୁ ଏକାଠି ରହିବାକୁ ବାଧ୍ୟ କରାଯାଇ ପାରିବନାହିଁ।

ତପସ୍ଵିନୀଙ୍କୁ ଛାଡ଼ି ସୁମିତ ଫେରାର!

ସ୍ଵାମୀ ସୁମିତଙ୍କ ସହ ସଂସାର କରିବାକୁ ତପସ୍ଵିନୀ ଜିଦ୍ ଧରିଥିବାବେଳେ ସୁମିତ କିନ୍ତୁ ଧରାଛୁଆଁ ଦେଉନାହାନ୍ତି। ଏପରିକି କୋର୍ଟଙ୍କ ରାୟକୁ ଅବମାନନା କରି ତପସ୍ଵିନୀଙ୍କୁ ଏକୁଟିଆ ଛାଡ଼ି ସୁମିତ ଫେରାର ହୋଇଯାଇଛନ୍ତି ବୋଲି ତପସ୍ଵିନୀ ଅଭିଯୋଗ କରିଛନ୍ତି। ଗତ ୯ ତାରିଖରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ଉଭୟ ସୁମିତ ଓ ତପସ୍ଵିନୀଙ୍କୁ ସାତଦିନ ଏକଠି ରହିବାକୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୧୧ ତାରିଖଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା। ଉଭୟେ ଏକାଠି ମଧ୍ୟ ରହିଲେ। ହେଲେ ଗତ ୧୫ ତାରିଖରେ ସୁମିତ ବାଲିସିରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ଆଉ ତପସ୍ଵିନୀଙ୍କ ପାଖକୁ ଫେରିନଥିଲେ। ତପସ୍ଵିନୀଙ୍କୁ କିଛି ନଜଣାଇ ହଠାତ୍ ସୁମିତ ଏପରି ଫେରାର ହୋଇଯିବା ପରେ ତପସ୍ଵିନୀ ସୁମିତଙ୍କୁ ଫୋନ କରିଥିଲେ କିନ୍ତୁ ତାଙ୍କ ମୋବାଇଲ୍ ବନ୍ଦ ରହିଥିଲା। ବ୍ୟସ୍ତ ହୋଇ ତପସ୍ଵିନୀ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇ ତଦନ୍ତ କରିଥିଲା। ମାନସିକ ଅସ୍ଥିରତା ଏବଂ ଅସୁସ୍ଥତା ଯୋଗୁଁ ସୁମିତ ଛୁଟି ପାଇଁ ଆବେଦନ କରିଥିବା ଜାଣିବାକୁ ପାଇଥିଲେ।ମନ୍ତ୍ରୀଙ୍କ ଝିଅକୁ ବିବାହ କରିବେ ସୁମିତ!

ବିବାହିତ ହୋଇଥିବା ପରେ ବି ଜଣେ ମନ୍ତ୍ରୀଙ୍କ ଝିଅ ସହ ସୁମିତଙ୍କର ବିବାହ ସ୍ଥିର ହୋଇଥିବା ତପସ୍ଵିନୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସୁମିତଙ୍କ ପରିବାର ଲୋକେ ଟଙ୍କା ଲୋଭରେ ତାଙ୍କ ପୁଅର ବିବାହ ବଡ଼ଘରେ କରିବାକୁ ଯୋଜନା କରୁଛନ୍ତି। ପରିବାର ଲୋକେ ଏଥିପାଇଁ ସୁମିତଙ୍କୁ ଚାପ ପକାଇ ବାଧ୍ୟ କରୁଛନ୍ତି। ଏହି କାରଣକୁ ସୁମିତଙ୍କୁ ମୋଠାରୁ ଅଲଗା କରିବାକୁ ତାଙ୍କ ପରିବାର ଲୋକେ ଷଡ଼ଯନ୍ତ୍ର କରୁଛନ୍ତି।”

ତପସ୍ଵିନୀ ପାଇଁ ମୁଁ ବର୍ବାବ ହେଇଗଲି: ସୁମିତ

ଦୀର୍ଘଦିନର ନିରବତା ପରେ ଗୁରୁବାର ଏକ ଅଡ଼ିଓ ବାର୍ତ୍ତା ଜାରି କରି ସୁମିତ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଫେରାର ହୋଇନଥିବା ସ୍ପଷ୍ଟ କରିବା ସହ ବର୍ତ୍ତମାନ ମାନସିକ ଏବଂ ଶାରୀରିକ ଭାବେ ଅସୁସ୍ଥ ଥିବାରୁ ବିଶ୍ରାମ ନେଉଛନ୍ତି। ଏଥିଲାଗି ସେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଛୁଟିରେ ରହିଥିବା ମଧ୍ୟ କହିଛନ୍ତି। ହେଲେ ତପସ୍ଵିନୀ ତାଙ୍କ ବିରୋଧ ମିଛ ଅଭିଯୋଗ ଆଣି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ସୁମିତ କହିଛନ୍ତି।

ସୁମିତ କହିଛନ୍ତି, “ତପସ୍ଵିନୀ ମୋତେ ବର୍ବାଦ କରିଦେଲାଣି। ମୋ ପରିବାରକୁ ବିରୋଧରେ ତପସ୍ଵିନୀ ମିଛ ଅଭିଯୋଗ ଆଣି ଆମକୁ ବଦନାମ କରୁଛନ୍ତି। ଏଥିପାଇଁ ମୁଁ ମାନସିକ ଚାପରେ ରହୁଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ତପସ୍ଵିନୀଙ୍କ ସହ ସେ ଗୋଟିଏ ଘରେ ସାତଦିନ ରହିଥିଲି। ହେଲେ ଏହି ସମୟ ମଧ୍ୟରେ ଆମ ସମ୍ପର୍କ ବିଗିଡ଼ି ନାହିଁ, କି ଠିକ୍ ବି ହୋଇପାରିନାହିଁ। ଅସୁସ୍ଥ ଏବଂ ମାନସିକ ଚାପ ପାଇଁ କୋର୍ଟଙ୍କ ଅନୁମତି ନେଇ ମୁଁ ଅନ୍ୟତ୍ର ବିଶ୍ରାମ ନେଉଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଜର ପ୍ରଚାର ଏବଂ ସହାନୁଭୂତି ସାଉଁଣ୍ଟିବା ପାଇଁ ତପସ୍ଵିନୀ ଆମକୁ ବଦନାମ କରୁଛନ୍ତି। ହେଲେ ଆମକୁ ଏତେ ଲୋକହସା କରିବା ପରେ ମଧ୍ୟ କାହିଁକି ମୋ ସହ ରହିବାକୁ ଚାହୁଁଛନ୍ତି ବୋଲି ସେ ସୁମିତ ପ୍ରଶ୍ନ କରିଛନ୍ତି।ତପସ୍ଵିନୀ-ସୁମିତ ବିବାଦ କାହିଁକି?

ଗଞ୍ଜାମ ଛତ୍ରପୁରର ତପସ୍ଵିନୀ ଦାଶ ଏବଂ ବାଲିସିରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଯୁବ ଡାକ୍ତର ସୁମିତ ସାହୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୨୦ରେ ଉଭୟଙ୍କ ପରିବାର ଅଜାଣତରେ ସେମାନେ କୋର୍ଟରେ ବିବାହ କରି ଏକାଠି ରହୁଥିଲେ। ପରେ ସୁମିତଙ୍କ ପରିବାର ଲୋକେ ତପସ୍ଵିନୀଙ୍କୁ ଘରକୁ ନେଇଥିଲେ। କିଛିଦିନ ସୁରୁଖୁରୁରେ ଚଳିବା ପରେ ତପସ୍ଵିନୀଙ୍କୁ ତାଙ୍କ ଶାଶୁ, ଶ୍ଵଶୁର ବିଭିନ୍ନ ପ୍ରକାର ନିର୍ଯାତନା ଦେବା ଆରମ୍ଭ କରିଥିବା ନେଇ ତପସ୍ଵିନୀ ଅଭିଯୋଗ କରିଥିଲେ। ଏପରିକି ଚାପ ପକାଇ ଗର୍ଭ ନଷ୍ଟ କରାଯାଇଥିବା ମଧ୍ୟ ସେ କହିଥିଲେ। ଏହାପରେ ତପସ୍ଵିନୀ ବ୍ରହ୍ମପୁର ମହିଳା ଥାନାର ଦ୍ଵାରସ୍ଥ ହୋଇଥିଲେ।ଏହିଠାରୁ ତପସ୍ଵିନୀ ଏବଂ ସୁମିତ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଥାନାରୁ ମାମଲା ଉଠାଇବା ସର୍ତ୍ତରେ ସୁମିତ ଓ ତପସ୍ଵିନୀଙ୍କ ବାହାଘର କରାଇଦେବାକୁ ସୁମିତଙ୍କ ପରିବାର ଲୋକେ ତପସ୍ଵିନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଗତ ନଭେମ୍ବର ମାସ ୨୨ ତାରିଖକୁ ବିବାହ ଲଗ୍ନ ମଧ୍ୟ ଧାର୍ଯ୍ୟ ହେଲା। କିନ୍ତୁ ସୁମିତଙ୍କ ପରିବାର ଲୋକେ ବିବାହ ପାଇଁ କୌଣସି ବନ୍ଦୋବସ୍ତ କରିନଥିଲେ। ଏହା ପରେ ନ୍ୟାୟ ପାଇଁ ତପସ୍ଵିନୀ ଜଣେ ସମାଜସେବୀଙ୍କ ସହାୟତାରେ ଶାଶୁ ଘର ସମ୍ମୁଖରେ ଧାରଣାରେ ବସିଲେ। ଏପରିକି ଶାଶୁ ଘର ଆଗରେ ମାଣ ବସାଇଲେ। ସେହିଦିନ ସୁମିତଙ୍କ ପରିବାର ତାଙ୍କୁ ଆପଣାଇବାକୁ ସେ ଦାବି କରି ଆସୁଛନ୍ତି।

Comment