ଓଡ଼ିଶାଲାଇଭ୍ ବ୍ୟୁରୋ  

 

  • ଘରୁ କାମ କରିବେ ସରକାରୀ କର୍ମଚାରୀ
  • ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଘରୋଇ କାର୍ଯ୍ୟାଳୟ
  • ମେଟ୍ରୋ ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ନେବାକୁ ଅନୁମତି

ଭାରତର ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ ହେଉଥିବାରୁ କୋଭିଡ କଟକଣାକୁ କଡ଼ାକଡ଼ି କରାଯାଇଛି। ଲୋକଙ୍କ ସରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ଶନିବାର ଏବଂ ରବିବାର ଦୁଇଦିନ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ କେହି ଅକାରଣରେ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ। ସମସ୍ତ ସରକାରୀ କର୍ମଚାରୀ ଘରୁକାମ କରିବେ। ଘରୋଇ କମ୍ପାନିମାନଙ୍କୁ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ଅନୁମତି ଦିଆଯାଇଛି। ଏ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସୂଚନା ଦେଇଛନ୍ତି।

ଗୁରୁତ୍ଵପୂର୍ଣ୍ଣ ସେବାଗୁଡ଼ିକୁ ଛାଡି ବାକି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପୂର୍ବରୁ କୋଭିଡ଼ ଯୋଗୁ ମେଟ୍ରୋ ଏବଂ ବସ୍ ଯାତ୍ରୀଙ୍କ ସଂଖ୍ୟାକୁ ସୀମିତ କରାଯାଇଥିଲା। ବର୍ତ୍ତମାନ ଏହି ନିୟମ ପ୍ରତ୍ୟାହାର କରାଯାଇଛି। ଏବେ ମେଟ୍ରୋ ଏବଂ ବସରେ ସିଟ୍ ଅନୁସାରେ ଯାତ୍ରୀଙ୍କୁ ନେବା ପାଇଁ ଅନୁମତି ମିଳିଛି। ଯାତ୍ରା ସମୟରେ ଯାତ୍ରୀଙ୍କୁ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି।

ଦିଲ୍ଲୀରେ ଏକ ସପ୍ତହ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଗତ ବର୍ଷ ଡିସେମ୍ବର ୨୮ ତାରିଖରେ ୪୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଡିସେମ୍ବର ୨୯ରେ ୯୨୩ ଜଣ, ଡିସେମ୍ବର ୩୦ରେ ୧୩୧୩ ଜଣ, ଡିସେମ୍ବର ୩୧ରେ ୧୭୯୬ ଜଣ ଏବଂ ୨୦୨୨ ଜାନୁଆରି ୧ ତାରିଖରେ ୨୭୧୬ ଜଣ, ଜାନୁଆରି ୨ ତାରିଖରେ ୩୧୯୪ ଜଣ ଓ ୩ ତାରିଖରେ ୪ ହଜାର ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ପରିସ୍ଥିତିକୁ ଦେଖି ସରକାରଙ୍କ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

Comment