ବିଶ୍ଵଜିତ ସାହୁ

ଖୋର୍ଦ୍ଧା ମଙ୍ଗଳାଯୋଡ଼ିର ଅଶୋକ କୁମାର ସାହୁ। ପକ୍ଷୀଙ୍କ ପ୍ରତି ଥିବା ପ୍ରେମ ଆଜି ତାଙ୍କୁ ଜଣେ ସଫଳ ଇକୋ ଟୁରିଜିମ୍ ଗାଇଡ୍‌ର ପରିଚୟ ଦେଇଛି।

“ସ୍କୁଲରେ ପାଠ ପଢ଼ିଲା ବେଳେ ଆମ ମଙ୍ଗଳାଯୋଡ଼ିକୁ ଏତେ ପକ୍ଷୀ ଆସନ୍ତି ବୋଲି ମୁଁ ଜାଣି ନଥିଲି। ଯେତେବେଳେ ଜାଣିଲି ପ୍ରାୟ ପ୍ରତିଦିନ ପକ୍ଷୀ ବିହାରରେ ଯାଇ ବସିଲି। ପକ୍ଷୀମାନେ ମତେ ଧୀରେ ଧୀରେ ଭଲ ଲାଗିଲେ। ସେମାନଙ୍କ ସହ ସମୟ ବିତାଇବାକୁ ମନରେ ଇଚ୍ଛା ଜାଗ୍ରତ ହେଲା। ତେଣୁ ଗାଇଡ୍ ହୋଇ ଆମ ଅଞ୍ଚଳର ବିଶେଷତ୍ଵକୁ ଲୋକଙ୍କୁ କହିଲି, ପର୍ଯ୍ୟଟକମାନଙ୍କୁ ପକ୍ଷୀ ଚିହ୍ନାଇଲି, ଏଥିରୁ ଯାହା ରୋଜଗାର ହେଲା ତାହା ପରିବାର ଚଳାଇବାରେ ମଧ୍ୟ ସାହାଯ୍ୟ କଲା”, ପକ୍ଷୀମାନଙ୍କ ସହ ପ୍ରେମ ଆଉ ମଙ୍ଗଳାଯୋଡ଼ିରେ ଜଣେ ଗାଇଡ୍ ହେବାନେଇ ଏପରି କହନ୍ତି ଅଶୋକ କୁମାର ସାହୁ।

କେବଳ ଅଶୋକ ନୁହନ୍ତି, ମଙ୍ଗଳାଯୋଡ଼ି ଇକୋ ଟୁରିଜିମ୍‌ରେ ତାଙ୍କପରି ଅନେକ ବ୍ୟକ୍ତି ଗାଇଡ୍ ବୃତ୍ତିକୁ ଆପଣାଇ ପର୍ଯ୍ୟଟକମାନଙ୍କୁ ପକ୍ଷୀ ଚିହ୍ନାଇ ବେଶ୍ ଦି ପଇସା ରୋଜଗାର ବି କରିପାରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଥିବା ଏହି ମଙ୍ଗଳାଯୋଡ଼ି ଆର୍ଦ୍ରଭୂମିକୁ ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷାଧିକ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଆସିଥାନ୍ତି। ଏଥିପାଇଁ ନଭେମ୍ଵରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ମଙ୍ଗଳାଯୋଡ଼ି ବୁଲି ଆସନ୍ତି। ପର୍ଯ୍ୟଟକମାନଙ୍କୁ ପକ୍ଷୀ ଦେଖାଇବାକୁ ଏଠାରେ ୩ଟି ଟୁରିଜିମ୍ କମ୍ୟୁନିଟି ରହିଛି। ମଙ୍ଗଳାଯୋଡ଼ି ଇକୋ ଟୁରିଜିମ୍, ମଙ୍ଗଳାଯୋଡ଼ି କନଜରଭେସନ ଇକୋ ଟୁରିଜିମ୍ ଟ୍ରଷ୍ଟ ଏବଂ ମହାବୀର ପକ୍ଷୀ ସୁରକ୍ଷା ସମିତି। ଏହି ୩ଟି କମ୍ୟୁନିଟିରେ ପ୍ରାୟ ୧୦୦ ଜଣ ଗାଇଡ୍‌ ରହିଛନ୍ତି। ସେ ମଧ୍ୟରେ ରହିଛନ୍ତି ସ୍ଥାନୀୟ ଅଞ୍ଚଳର ଯୁବକ ଅଶୋକ ସାହୁ।ପକ୍ଷୀ ପ୍ରେମୀରୁ ହୋଇଥିଲେ ଟୁରିଜିମ୍ ଗାଇଡ୍   

ସ୍କୁଲ ପଢ଼ା ସାରିବା ପରେ ୨୦୦୮ ମସିହାରେ ମଙ୍ଗଳାଯୋଡ଼ିର ଜଣେ ଗାଇଡ୍ ପୂର୍ଣ୍ଣଚନ୍ଦ୍ର ବେହେରା ଅଶୋକଙ୍କୁ ଗାଇଡ୍ ହେବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ସହ ମିଶି ମଙ୍ଗଳାଯୋଡ଼ିକୁ ଆସୁଥିବା ବିଭିନ୍ନ ପକ୍ଷୀମାନଙ୍କୁ ଚିହ୍ନିବାକୁ ଲାଗିଲେ ଅଶୋକ। ଧୀରେ ଧୀରେ ପକ୍ଷୀମାନଙ୍କ ପ୍ରତି ତାଙ୍କ ମନରେ ଆକର୍ଷଣ ବଢ଼ିଥିଲା। ପରେ ୨୦୦୯-୧୦ରେ ମଙ୍ଗଳାଯୋଡ଼ିରେ ଇଣ୍ଡିଆନ୍ ଗ୍ରାମୀଣ ସର୍ଭିସ ଏବଂ ଆରବିଏସ୍ ଫାଉଣ୍ଡେସନ ଇଣ୍ଡିଆର ସହଯୋଗରେ ଗ୍ରାମବାସୀଙ୍କୁ ରୋଜଗାରର ସୁଯୋଗ ଦିଆଯାଇଥିଲା। ଏହାପରେ ଅଶୋକ ମଙ୍ଗଳାଯୋଡ଼ି ଇକୋ ଟୁରିଜିମ୍ କମ୍ୟୁନିଟିରେ ସାମିଲ ହେଲେ। ପ୍ରଥମେ ତାଙ୍କୁ କେବଳ କିପରି ପର୍ଯ୍ୟଟକମାନଙ୍କ ସହ କଥା ହେବ, କେମିତି ବ୍ୟବହାର କରାଯିବ ସେ ବାବାଦରେ ତାଲିମ ଦିଆଗଲା। ପକ୍ଷୀ ଚିହ୍ନିବା ବାବଦରେ ତାଙ୍କୁ କୌଣସି ବି ତାଲିମ ଦିଆଯାଇ ନଥିଲା।ତେଣୁ ସେମାନଙ୍କ ନାମ, ହାବଭାବ, ଖାଦ୍ୟ, ପ୍ରଜାତି ଆଦି ବିଷୟରେ ଜାଣିବା ପାଇଁ ସେ ଉତ୍ସାହିତ ଥିଲେ। ଏଥିପାଇଁ ସେ ଗୁରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ନେଇ ପ୍ରତିଦିନ ସକାଳୁ ମଙ୍ଗଳାଯୋଡ଼ିରେ ହାଜିର ହୋଇ ଯାଉଥିଲେ। ଇଚ୍ଛା ଥିଲା ଚଢ଼େଇମାନଙ୍କୁ ଚିହ୍ନିବେ, ସେମାନଙ୍କ ବିଷୟରେ ଅଧିକ ଜାଣିବେ। ମଙ୍ଗଳାଯୋଡ଼ି ଭିତରକୁ ଗଲାବେଳେ ସାଥିରେ ପକ୍ଷୀମାନଙ୍କୁ ଚିହ୍ନିବା ନିମନ୍ତେ ଏକ ପକ୍ଷୀ ଆଟଲାସ୍ ବହି ନେଇ ଯାଉଥିଲେ। ଗୁରୁ ଯେଉଁ ଚଢ଼େଇର ନାଁ ଓଡ଼ିଆରେ କହୁଥିଲେ, ତାର ଚିତ୍ରକୁ ବହି ଚିତ୍ର ସହ ମିଶାଇ ଚଢ଼େଇଟିର ଇଂରାଜୀ ନାମ ଉଚାରଣ କରୁଥିଲେ ଅଶୋକ।ଏଥିସହ ଯେତେବେଳେ କୌଣସି ଓ୍ଵାଇଲ୍‌ଡ ଲାଇଫ୍ ଫଟୋଗ୍ରାଫର କିମ୍ଵା ପ୍ରାଣୀବିତ୍‌ମାନେ ମଙ୍ଗଳାଯୋଡ଼ି ଆସନ୍ତି, ସେମାନଙ୍କ ସହ ଡଙ୍ଗାରେ ଯାଇ ବିଭିନ୍ନ ପକ୍ଷୀ ଚିହ୍ନିବାକୁ ଲାଗିଲେ ଅଶୋକ। ଏହିପରି ଅଭ୍ୟାସ କରୁ କରୁ ପ୍ରାୟ ୨ବର୍ଷ ପରେ ୨୦୧୦-୧୧ ବେଳକୁ ମଙ୍ଗଳାଯୋଡ଼ିକୁ ଆସୁଥିବା ସବୁ ପ୍ରଜାତିର ପକ୍ଷୀମାନଙ୍କ ନାମ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଜାଣିବା ସହ, ସେମାନେ କ’ଣ ଖାଆନ୍ତି, କେମିତି ରୁହନ୍ତି ଏ ସବୁ ବାବଦରେ ଅଶୋକଙ୍କର ଜ୍ଞାନ ଆସିଗଲା। ଏହାପରେ ସେ ଗାଇଡ୍ ହୋଇ ପର୍ଯ୍ୟଟକମାନଙ୍କୁ ପକ୍ଷୀ ଚିହ୍ନାଇବା ଆରମ୍ଭ କରିଥିଲେ।ଅଟୋରୁ ରୋଜଗାର ମିଳେ, ଗାଇଡ ହେବାରେ ଖୁସି

ଗାଇଡ୍ ଅଶୋକଙ୍କର ରୋଜଗାରର ମୂଳ ଉତ୍ସ ହେଉଛି ଅଟୋ ଚଲାଇବା। ଏଥିପାଇଁ ସେ ଏବଂ ତାଙ୍କ ସାନ ଭାଇ ଦୁଇ ଖଣ୍ଡ ଅଟୋ କିଣିଛନ୍ତି। ବର୍ଷକ ବାରମାସ ଏହି ଅଟୋରୁ ଯାହା ରୋଜଗାର ହୁଏ ସେଥିରେ ସେମାନେ ନିଜର ପରିବାର ଚଳାନ୍ତି। କିନ୍ତୁ ପର୍ଯ୍ୟଟନ ଋତୁ ଆସିଲେ ଅଟୋଭଡ଼ା ବନ୍ଦ କରି ଅଶୋକ ଚାଲିଆସନ୍ତି ମଙ୍ଗଳାଯୋଡ଼ି। ନଭେମ୍ଵରରୁ ମାର୍ଚ୍ଚ, ପ୍ରାୟ ୪ରୁ ୫ ମାସ ପାଇଁ ଗାଇଡ୍ ଭାବେ କାମ କରନ୍ତି ଅଶୋକ। ଅଟୋ ଭଳି ଏଥିରେ ଭଲ ରୋଜଗାର ହୁଏନି, କିନ୍ତୁ ଗାଇଡ୍ ହୋଇ ପର୍ଯ୍ୟଟକମାନଙ୍କୁ ପକ୍ଷୀ ଦେଖାଇବାରେ ଅଶୋକଙ୍କୁ ଖୁସି ମିଳୁଥିବା ସେ କୁହନ୍ତି।

“ଜାନୁଆରିରୁ ସେପ୍ଟେମ୍ଵର ପର୍ଯ୍ୟନ୍ତ ଅଟୋ ମୁଁ ଚଲାଇଥାଏ। କିନ୍ତୁ ନଭେମ୍ଵର ବେଳକୁ ଯେତେବେଳେ ମଙ୍ଗଳାଯୋଡ଼ିକୁ ପକ୍ଷୀମାନେ ଆସନ୍ତି ଅଟୋକୁ ଘରେ ରଖି ମଙ୍ଗଳାଯୋଡ଼ି ପକ୍ଷୀବିହାରରେ ପହଞ୍ଚିଯାଏ। ଘରେ ଆଉ ରହି ହୁଏନାହିଁ। କମ୍ୟୁନିଟିରୁ ଡକରା ଆସେ। ଅନ୍ୟପଟେ ବିଗତ ବର୍ଷମାନଙ୍କରେ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଫୋନ କରି ଡାକନ୍ତି। ସେମାନଙ୍କ ଡାକରାକୁ ମନା କରି ହୁଏନି। ତେଣୁ ୪ ମାସ ପାଇଁ ମଙ୍ଗଳାଯୋଡ଼ିରେ ଗାଇଡ୍ ହେବାକୁ ମୁଁ ଚାଲିଆସେ। ଅଟୋ ଚଲାଇ ରୋଜଗାର କରିବା ଅପେକ୍ଷା ପର୍ଯ୍ୟଟକମାନଙ୍କୁ ପକ୍ଷୀ ଦେଖାଇବାରେ ଗାଇଡ୍ କରିବାରେ ଖୁସି ମିଳେ”, କହିଛନ୍ତି ଅଶୋକ କୁମାର ସାହୁ।ମଙ୍ଗଳାଯୋଡ଼ିର ଯୁବକମାନେ ଏବେ ଗାଇଡ୍ ହେବାକୁ ଆଉ ରାଜି ହେଉନାହାନ୍ତି। ଗାଇଡ୍ ହେବା ଅପେକ୍ଷା ବିଭିନ୍ନ କମ୍ପାନି କିମ୍ଵା ଦୋକାନରେ କାମ କରିବାକୁ ଏବେର ପିଲାମାନେ ଅଗ୍ରାଧିକାର ଦେଉଛନ୍ତି। ତେଣୁ ପାଠପଢ଼ା ଶେଷ ପରେ ପିଲାମାନେ ସାଧାରଣତଃ ସହରମୁହାଁ ହେଉଥିବା କହନ୍ତି ଅଶୋକ। ଏମିତିକି ମଙ୍ଗଳାଯୋଡ଼ିକୁ ପ୍ରତିବର୍ଷ ଏତେ ସଂଖ୍ୟାରେ ପକ୍ଷୀ ଆସୁଥିବା ମଧ୍ୟ ଗାଁର ଅଧାରୁ ଅଧିକ ପିଲା ଜାଣିନାହାନ୍ତି। ତେଣୁ ସରକାର ଯଦି ମଙ୍ଗଳାଯୋଡ଼ି ପର୍ଯ୍ୟଟନକୁ ଆହୁରି ଗୁରୁତ୍ଵ ଦେଇ ଏହାର ବିକାଶ ନିମନ୍ତେ କିଛି ପଦକ୍ଷେପ ନିଅନ୍ତେ, ଏହା ଅଧିକ ରୋଜଗାର ସୃଷ୍ଟିରେ ସହାୟ ହୁଅନ୍ତା ଏବଂ ଏବେର ଯୁବବର୍ଗ ଗାଇଡ୍ ହେବାକୁ ଇଚ୍ଛୁକ ହୁଅନ୍ତେ ବୋଲି ଅଶୋକ କହିଛନ୍ତି।

LEAVE A REPLY

Please enter your comment!
Please enter your name here