ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ଉପସ୍ଥାପନା କରି କୃଷି କ୍ଷେତ୍ର ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। ଅର୍ଗାନିକ ଫାର୍ମିଂ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି।

ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି) ପାଇଁ ୨.୩୭ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୨୦୨୨-୨୩ ବର୍ଷକୁ ଅନ୍ତର୍ଜାତୀୟ ବାଜରା ବର୍ଷ ଭାବେ ଘୋଷଣା କରାଯାଇଛି। ଏହା ସହ ଚାଷ ଜମିରେ କୀଟନାଶକ ପ୍ରୟୋଗ, ଜମି ମାପଚୁପ, ଶସ୍ୟ ପରିମାଣ ଆକଳନ ପାଇଁ ‘କିଷାନ ଡ୍ରୋନ’ ଉପଯୋଗ କରାଯିବ ବୋଲି କୁହାଯାଇଛି। ଆଗାମୀ ଦିନରେ କେମିକାଲ ଫ୍ରି ପ୍ରାକୃତିକ ଫାର୍ମିଂକୁ ପ୍ରୋତ୍ସାହିତ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପ୍ରଥମ ଚରଣରେ ଗଙ୍ଗାନଦୀ କରିଡରରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦିଆଯିବ।

ଘରୋଇ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଇଛି। କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ବ୍ୟବହାର ପାଇଁ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ପିପିପି ମଡେଲ ଅନ୍ତର୍ଗତ ସ୍କିମ ଅଣାଯିବ। ଏହି ସ୍କିମ ମାଧ୍ୟମରେ ଚାଷୀମାନଙ୍କୁ ଡିଜିଟାଲ ଏବଂ ହାଇଟେକ୍ ଜ୍ଞାନକୌଶଳ ସୁବିଧା ଯୋଗାଇ ଦିଆଯିବ। ନାବାର୍ଡ ଜରିଆରେ ଏଗ୍ରିକଲଚର ସହ ଜଡ଼ିତ ଷ୍ଟାଟଅପ୍ ଏବଂ ରୁରାଲ ଏଣ୍ଟରପ୍ରାଇଜେସକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

Comment