ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ୍ ୨୦୨୪-୨୫। ଜାଣନ୍ତୁ କ’ଣ ରହିଛି ସାଧାରଣ ନିର୍ବାଚନ ପୂର୍ବରୁ ଆସିଥିବା ଏହି ବଜେଟରେ।

ନୂଆ ସଂସଦ ଭବନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ପୂର୍ବ ବର୍ଷ ଭଳି ଏ ବର୍ଷର ବଜେଟ୍ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଆକାରରେ ଉପସ୍ଥାପନ କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ଏହି ବଜେଟ୍ ଆସୁଥିବାରୁ ଏହା ଉପରେ ସବୁ ଦେଶବାସୀଙ୍କ ନଜର ରହିଛି।

“୨୦୪୭ ସୁଦ୍ଧା ଭାରତକୁ ବିକଶିତ ଅର୍ଥନୀତିରେ ପରିଣତ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ସବୁ ବର୍ଗର ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏଥର ବଜେଟରେ ଗରିବ, ମହିଳା, ଯୁବ ଏବଂ କୃଷକଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଗରିବ କଲ୍ୟାଣ ଓ ଦେଶର କଲ୍ୟାଣରେ ଏହା ବହୁତ ସହାୟକ ହେବ”, କହିଛନ୍ତି ନିର୍ମଳା ସୀତାରମଣ।   

  • ଏଥର ବଜେଟରେ ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଚାଲୁ ରହିବ।
  • ୨୦୨୩-୨୪ରେ ବିତ୍ତୀୟ ନିଅଣ୍ଟ ୫.୧ ପ୍ରତିଶତ ରହିବାର ସମ୍ଭାବନା ରହିଛି। ୨୦୨୪-୨୫ରେ ଏହାକୁ ୪.୫ ପ୍ରତିଶତକୁ ହ୍ରାସ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
  • ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ବିଭିନ୍ନ ଭିତ୍ତିଭୂମିର ବିକାଶ ପାଇଁ ସରକାର ୧୧.୧୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଆର୍ଥିକ ବର୍ଷ ୨୦୨୩-୨୪ ତୁଳନାରେ ୧୧.୧ ପ୍ରତିଶତ ଅଧିକ।
  • ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ।
  • ଆଉ ୫୭୦ଟି ନୂଆ ରୁଟ୍‌ରେ ଉଡାନ ଯୋଜନା ଅନ୍ତର୍ଗତ ବିମାନ ସେବା ଆରମ୍ଭ ହେବ। ଏହାଦ୍ଵାା ୧ କୋଟିରୁ ଅଧିକ ଯାତ୍ରୀ ସୁବିଧା ପାଇବେ।
  • ଦେଶରେ ମାଲ୍ ପରିବହନ ପାଇଁ ୩ଟି ନୂଆ ରେଳ କରିଡର (ଡିଏଫସି) ବ୍ୟବସ୍ଥା କରାଯିବ।
  • ରେଳବାଇରେ ଏବେ ଥିବା ୪୦ ହଜାରରୁ ଅଧିକ ସାଧାରଣ ଟ୍ରେନ ବଗିକୁ ବନ୍ଦେ ଭାରତ ବଗିକୁ ରୂପାନ୍ତରଣ କରାଯିବ।
  • କୃଷି କ୍ଷେତ୍ରରେ ବିଶେଷ କରି ତୈଳବୀଜ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ସରକାର ନୂଆ ନିୟମ ଆଣିବେ।
  • ସବୁଜ ଶକ୍ତିର ବିକାଶ ପାଇଁ କେନ୍ଦ୍ର ସରକାର ଏମ ନୂଆ ବାୟୋ ମାନୁଫାକ୍ଚରିଂ ପଲିସି ଆଣିବେ।
  • ସରକାର ଇଲେକ୍ଟ୍ରିକ ବାହନ ଇକୋସିଷ୍ଟମକୁ ସମ୍ପ୍ରସାରଣ ଏବଂ ସୁଦୃଢ଼ କରିବା ପାଇଁ ଏହାର ଉତ୍ପାଦନ ଏବଂ ଚାର୍ଜିଂ ଭିତ୍ତିଭୂମିକୁ ବ୍ୟାପକ କରିବା ପାଇଁ ଯୋଜନା ଆଣିବେ।
  • ନୂଆ ନୂଆ ବିଷୟରେ ଗବେଷଣା ପାଇଁ ଘରୋଇ କ୍ଷେତ୍ରକୁ ୫୦ ବର୍ଷର ସୁଧମୁକ୍ତ ଋଣ କିମ୍ବା କମ୍ ସୁଧ ହାରରେ ଦୀର୍ଘମିଆଦୀ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଗଠନ ହେବ।
  • ଗର୍ଭାଶୟ କର୍କଟ ନିରାକରଣ ପାଇଁ ଝିଅମାନଙ୍କ ଟିକାକରଣକୁ ପ୍ରୋତ୍ସାହିତ କରାଯିବ।
  • କେନ୍ଦ୍ର ସରକାର ଦେଶରେ ବର୍ତ୍ତମାନ ଥିବା ଡାକ୍ତରଖାନାର ଭିତ୍ତିଭୂମିକୁ ବ୍ୟବହାର କରି ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। ଏ ନେଇ ସୁପାରିସ କରିବା ପାଇଁ ଏକ କମିଟି ଗଠନ କରାଯିବ।
  • ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲିଥିବା ଆୟୁଷ୍ମାନ ଭାରତ ଯୋଜନାକୁ ସବୁ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଲାଗୁ କରାଯିବ।
  • ଭାରତର ୧ କୋଟି ଘରକୁ ୩୦୦ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ। ଏଥିପାଇଁ ଆଗକୁ ଯୋଜନା ଆସିବ।
  • ଦେଶରେ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। ଆଗାମୀ ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

Tags: #InterimBudget2024 #UnionFinanceMinister #NirmalaSitaraman #BudgetUpdates #India

Comment