ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ହେବାକୁ ଥିବା ଏନ୍ଇଇଟି(ନିଟ୍) ପିଜି ପରୀକ୍ଷା ସ୍ଥଗିତ ରଖାଯାଇଛି। ୨୦୨୨ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ନିଟ୍ ପିଜି ପରୀକ୍ଷାକୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୧୨ ତାରିଖରେ ପରୀକ୍ଷା କରାଯିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।

ଗତ ଜାନୁଆରି ୭ ତାରିଖରେ ଏନ୍ଇଇଟି(ନିଟ୍) କାଉନସେଲିଂ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ନିଟ୍ ପିଜି ଏବଂ ୟୁଜି ୨୦୨୧ ନାମ ଲେଖା ପାଇଁ ଏହି ରାୟ ପ୍ରକାଶ ପାଇଥିଲା। ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ଆର୍ଥିକ ଅନଗ୍ରସର(ଇଡବ୍ଲ୍ୟୁଏସ୍) ବର୍ଗଙ୍କ ପାଇଁ ସଂରକ୍ଷଣ ସହ ମେଡିକାଲ ପିଜି ନାମ ଲେଖାକୁ ମଞ୍ଜୁରୀ ମିଳିଥିଲା। ପୂର୍ବରୁ ରହିଥିବା ଓବିସି ସଂରକ୍ଷଣ ବଳବତ୍ତର ରହିବା ସହ ମେଡିକାଲ ପିଜି ନାମ ଲେଖା କ୍ଷେତ୍ରରେ ଓବିସି ବର୍ଗ ପାଇଁ ୨୭ ପ୍ରତିଶତ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନକ ବୈଧତା ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ।

ଗତ ୨୦୨୧ ନଭେମ୍ବର ୨୭ଠାରୁ ନିଟ୍ ପିଜି କାଉନସେଲିଂକୁ ବାରମ୍ବାର ସ୍ଥଗିତ ରଖାଯାଇଥିବାରୁ ମେଡିକାଲ କଲେଜରେ ରେସିଡେଣ୍ଟ ଡାକ୍ତରମାନଙ୍କର ନୂଆ ବ୍ୟାଚର ପ୍ରବେଶ ଅଟକି ରହିଥିଲା। ୨୦୨୧ର କାଉନସେଲିଂରେ ହେଉଥିବା ବିଳମ୍ବ ବିରୋଧରେ ସମଗ୍ର ଦେଶରେ ହରତାଳ କରାଯାଇଥିଲା। ଜୁନିଅର ଡାକ୍ତରଙ୍କ ହରତାଳ ଯୋଗୁଁ ସ୍ଵାସ୍ଥ୍ୟ ସେବା ଉପରେ ବିଶେଷ ପ୍ରଭାବ ପଡ଼ିଥିଲା।

Comment