ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଫେସବୁକ୍, ହ୍ଵାଟ୍ସଆପ୍ ହେଉକି ଇନ୍‌ଷ୍ଟାଗ୍ରାମ୍ ସବୁଠି ଏବେ ସାଉଥ ଫିଲ୍ମ ପୁଷ୍ପାର ଡାଏଲଗ୍‌କୁ ନେଇ କ୍ରେଜ୍। ଫିଲ୍ମରେ ଆଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ପ୍ରାୟ କପି କରୁଥିବା ଦେଖିବାକୁ ମିଳୁଛି। ତେବେ ରିଲ୍‌ ଲାଇଫ୍‌ର ଏହି ଘଟଣାକୁ ରିଅଲ୍‌ ଲାଇଫ୍‌ରେ ଆପଣାଇ ପୋଲିସ ହାତରେ ବନ୍ଧା ହୋଇଛନ୍ତି ଜଣେ ନକଲି ‘ପୁଷ୍ପା’।

ପୂରା ଘଟଣାଟି ହେଉଛି, ବେଙ୍ଗାଳୁରୁର ଜଣେ ଡ୍ରାଇଭର ୟାଶିନ ଇନାୟତୁଲ୍ଲା ପୁଷ୍ପା ଫିଲ୍ମରୁ ପ୍ରେରିତ ହୋଇ ନାଲି ଚନ୍ଦନ କାଠର ଚୋରା ଚାଲାଣ କରିବାକୁ ପ୍ରୟାସ କରିଥିଲେ। ତେଣୁ ଫିଲ୍ମରେ ନାୟକ ଆଲ୍ଲୁ ଅର୍ଜୁନ ଯେପରି ପୋଲିସକୁ ଚକ୍‌ମା ଦେଇ କାଠ ଚାଲାଣ କରୁଥିଲେ, ସେହି ଟ୍ରିକ୍‌ ଆପଣାଇ ୟାଶିନ ମଧ୍ୟ କାଠ ଚାଲାଣ କରିବାକୁ ଭାବିଥିଲେ।ୟାଶିନ ନାଲି ଚନ୍ଦନକାଠ ବୋଝେଇ ଏକ ଟ୍ରକ୍‌କୁ କର୍ଣ୍ଣାଟକ-ଆନ୍ଧ୍ର ସୀମା ପାର୍‌ କରାଇ ମହାରାଷ୍ଟ୍ର ନେବାକୁ ଚେଷ୍ଟା କରିଥିଲେ। ତେତେ ସୀମା ପାର୍‌ ବେଳେ ମହାରାଷ୍ଟ୍ର ପୋଲିସର ହାବୁଡ଼ରେ ପଡ଼ିଥିଲେ ୟାଶିନ, ଆଉ ତାଙ୍କର ଏହି ଫିଲ୍ମି ଟ୍ରିକ୍‌ ଚୋରି ପାଣି ଫାଟି ଯାଇଥିଲା। ମହାରାଷ୍ଟ୍ର ମିରାଜ ନଗରର ଗାନ୍ଧୀ ଛକ ନିକଟରୁ ସାଙ୍ଗଲି ପୋଲିସ ୟାଶିନଙ୍କୁ ଧରିଥିଲା।

ସାଙ୍ଗଲି ପୋଲିସର ସୂଚନା ମୁତାବକ, ଏକ ଗୁପ୍ତ ସୁତ୍ରରୁ ଖବର ପାଇ ନାଲି ଚନ୍ଦନ କାଠ ବୋଝେଇ ଟ୍ରକ ଉପରେ ପୋଲିସ ଚଢ଼ାଉ କରିଥିଲା। ପୁଷ୍ପା ଫିଲ୍ମ ଭଳି ୟାଶିନ ମଧ୍ୟ ପୋଲିସକୁ ଚକ୍‌ମା ଦେବାକୁ ଯାଇ ଟ୍ରକର ଉପର ଭାଗରେ ଫଳ ଓ ପନିପରିବା ରଖିଥିଲେ, ଆଉ ଭିତରେ ଥିଲା ଚୋରା ନାଲି ଚନ୍ଦନ କାଠ। କେବଳ ସେତିକି ନୁହେଁ ଟ୍ରକରେ ସେ କୋଭିଡ୍-୧୯ ଅତ୍ୟାବଶ୍ୟକ ଦ୍ରବ୍ୟର ଏକ ଷ୍ଟିକର ମଧ୍ୟ ଲଗାଯାଇଥିଲା। ହେଲେ ୟାଶିନର ସବୁ ପ୍ଲାନକୁ ପୋଲିସ ପ୍ଲପ୍ କରିଦେଲେ।

ଟ୍ରକରୁ ପୋଲିସ ପ୍ରାୟ ୨.୪୫ କୋଟି ଟଙ୍କାର ନାଲି ଚନ୍ଦନ କାଠ ଜବତ କରିଥିଲା। ଏଥିସହ ଜବତ ଟ୍ରକର ଦାମ ପାଖାପାଖି ୧୦ ଲକ୍ଷ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here