ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନିର୍ବାଚନ ସମୟ ଆସିଲେ ଆଳି ଥାନା ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ନ୍ତି। କାରଣ ଅନେକ ସମୟରେ ଏହି ଥାନା ଅଞ୍ଚଳରେ ନିର୍ବାଚନୀ ହିଂସା ହତ୍ୟାକାଣ୍ଡର ରୂପ ନେଇଛି। ନିର୍ବାଚନ ହିଂସା ଯୋଗୁଁ ଅନେକ ପରିବାର ଛାରଖାର ହୋଇଯାଇଛି। ପୂର୍ବରୁ ନିର୍ବାଚନ ସମୟରେ ବଡ଼ିହ, ପତ୍ରପୁର ଓ ଅଟ୍ଟାଳ ଗ୍ରାମରେ ନିର୍ବାଚନ ହିଂସା ଓ ହତ୍ୟାକାଣ୍ଡକୁ ନେଇ ଏବେବି ଲୋକଙ୍କ ମନରେ ଭୟ ରହିଛି। ଗତ ସୋମବାର ରାତିରେ ମାଣିକପାଟଣା ଗାଁର ଠାକୁରଦାଣ୍ଡି ପଡ଼ାରେ ଘଟିଥିବା ନିର୍ବାଚନୀ ହିଂସାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ସୋମବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ମାଣିକପାଟଣା ଗାଁର ଠାକୁରଦାଣ୍ଡି ପଡ଼ାରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଫାର୍ସା, ଲୁହା ରଡ୍ ଓ ଠେଙ୍ଗା ଆଦି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଗଣ୍ଡଗୋଳରେ ୪ ଜଣ ଗୁରୁତର ଆହତ ହୋଇଥିବାବେଳେ ଦୁଇଟି ବାଇକକୁ ଚୁନା କରିଦିଆଯାଇଛି।

ଏହା ସହ ଜଣଙ୍କ ଘରର କବାଟ ଭାଙ୍ଗି ଏକାଧିକ ଲୋକେ ଘର ଭିତରେ ପଶି ତୁମୂଳକାଣ୍ଡ ଘଟାଇଥିଲେ। ଖବର ପାଇ ଆଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏକ ନିର୍ବାଚନ ଭୋଜିକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି। ଏହାକୁ ନେଇ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ ହୋଇଥିବା ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ସୂଚନା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର ମଧ୍ୟ ଆଳି ଥାନାର ଜୁଆଣିଆ ଗ୍ରାମରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଆଳି ଅଞ୍ଚଳରେ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟୁଥିବାରୁ ପୋଲିସ ସଜାଗ ରହିଛି। ଆବଶ୍ୟକ ହେଲେ ଆଳି ଅଞ୍ଚଳରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ କହିଛନ୍ତି।

Comment