ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଲାଲ ବାହିନୀର ଉଦ୍ୟମ ବିଫଳ ହୋଇଛି। ଯବାନମାନଙ୍କୁ ଟାର୍ଗଟେ କରି କଲ୍ୟାଣସିଂହପୁରଠାରୁ ପାରସାଲି ଯିବା ରାସ୍ତା ନିୟମଗିରି ପାହାଡ଼ ନିକଟରେ ରଖାଯାଇଥିବା ଜୀବନ୍ତ ଟିଫିନ୍ ବୋମା ଠାବ କରାଯାଇଛି।

ମାଓବାଦୀମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ସହ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଯୋଜନା କରିଥିଲେ। ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇ ଭୋଟ ପ୍ରତ୍ୟାହାର କରିବାକୁ ଉଭୟ ଭୋଟର ଏବଂ ପ୍ରାର୍ଥୀମାନଙ୍କୁ ଚେତାବନୀ ଦେଇଥିଲେ ମାଓବାଦୀ। ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସିଆରପିଏଫ, ଡିଭିଏଫ ଓ ବିଏସଏଫ ଯବାନ ଜୋରଦାର କମ୍ବିଂ ଚଳାଇଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି।

ଡିଭିଏଫ ଯବାନମାନେ କଲ୍ୟାଣସିଂହପୁର-ପାରସାଲି ଅଞ୍ଚଳରେ କମ୍ବିଂ ଅପରେସନ ଚାଲୁ ରଖିଲେ। ପାରସାଲି ଯିବା ରାସ୍ତାର କାଳିଆଗୁଡ଼ା ଓ କେଶବନାଇଗୁଡ଼ା ନିକଟସ୍ଥ ଏକ କଲଭର୍ଟ ନିକଟରେ ଥିବା ପଥର ଗଦା ଯାଞ୍ଚ କରିବା ପରେ ସେଠାରୁ ଏକ ଟିଫିନ୍ ବକ୍ସରେ ବୋମାକୁ ଖଞ୍ଜା ଯାଇଥିବା ଯବାନମାନେ ଦେଖିବାକୁ ପାଇଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମା ନିଷ୍କ୍ରିୟ କରିଥିଲେ। ସାଧାରଣ ଯାତ୍ରୀଙ୍କ ପାଇଁ ଏହି ସମୟରେ ତିନି ଘଣ୍ଟା ଧରି ସମ୍ପୃକ୍ତ ରାସ୍ତାକୁ ବନ୍ଦ ରଖାଯାଇଥିଲା।

ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାସ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଶ୍ଵାସନା ପରେ ସ୍ଥାନୀୟ ବୁଥରେ ମତଦାନ କରିଥିଲେ ଭୋଟର। ଆଖପାଖ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର କରିବା ସହ ସୂଚନା ଆଧାରରେ ମାଓବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଥିଲେ। ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଭଣ୍ଡୁର କରିବାକୁ ମାଓବାଦୀ ଏହିଭଳି କାଣ୍ଡ କରିଥିବା କୁହାଯାଉଛି।

Comment