ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ବିଜେଡି ଆଗରେ ରହିଥିବା ବେଳେ ବିଜେପି ପଛରେ ପଡ଼ି ଯାଇଛି। କଂଗ୍ରେସ ତୃତୀୟ ସ୍ଥାନରେ ରହିଥିବା ସୂଚନା ମିଳିଛି।

୨୬ ତାରିଖରେ ୩୦ଟି ଜିଲ୍ଲାର  ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି କରାଯାଉଛି। ଏଥିପାଇଁ ସମସ୍ତ ବ୍ଲକସ୍ତରରେ ଭୋଟ ଗଣତି କେନ୍ଦ୍ର କରାଯାଇଛି। ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ ଭିତରୁ ବିଜେଡି ୨୭୫ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୨୧ଟି ଏବଂ କଂଗ୍ରେସ ୧୪ଟି ଜୋନରେ ଆଗରେ ରହିଛି। ସବୁଠୁ ବଡ଼ କଥା ହେଉଛି, ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବିଜେପି ଯେଉଁ ହାରରେ ଜୋନ୍‌ ଅକ୍ତିଆର କରିଥିଲା ତାହା ଚଳିତ ଥର ଦେଖିବାକୁ ମିଳିନି।

୨୦୧୭ରେ ବିଜେପି ମୟୂରଭଞ୍ଜରେ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରୁ ଯାହା ରିପୋର୍ଟ ଆସିଛି ସେଥିରେ ବିଜେପି ଭଲ ପ୍ରଦର୍ଶନ କରିନାହିଁ। ମୟୂରଭଞ୍ଜର ମୋଟ ୫୬ଟି ଆସନରୁ ଆଜି ୨୬ଟି ଜୋନର ଭୋଟ ଗଣତି କରାଯାଉଛି। ସେଥିମଧ୍ୟରୁ ବିଜେଡି ୨୪ଟିରେ ଆଗୁଆ ରହିଥିବା ବେଳେ ଅନ୍ୟମାନେ ୨ଟିରେ ଆଗୁଆ ଅଛନ୍ତି। ବିଜେପି ଏବଂ କଂଗ୍ରେସକୁ ପ୍ରଥମ ପର୍ଯ୍ୟାୟରେ ବଡ଼ କ୍ଷତି ସହିବାକୁ ପଡ଼ିଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେପି ଓ କଂଗ୍ରେସକୁ ଝଟକା ଲାଗିଛି। ମୋଟ ୩୫ଟି ଜିଲ୍ଲା ପରିଷଦ ଆସନରୁ ପ୍ରଥମ ପର୍ଯ୍ୟାୟରେ ୧୭ଟି ଜୋନରେ ଭୋଟ ଗଣତି କରାଯାଉଛି। ସେଥିମଧ୍ୟରୁ ବିଜେଡି ୧୬ଟିରେ ଆଗୁଆ ରହିଥିବା ବେଳେ ବିଜେପି ଓ କଂଗ୍ରେସ ନିରାଶ ହୋଇଛନ୍ତି। ସେହିପରି ୨୦୧୯ ନିର୍ବାଚନରେ ବିଜେପି ଯେଉଁସବୁ ଲୋକସଭା ଆସନରେ ବିଜୟୀ ହୋଇଥିଲା ସେଠି ମଧ୍ୟ ଭଲ ପ୍ରଦର୍ଶନ କରିବାରେ ଦଳ ବିଫଳ ହୋଇଛି।

ରବିବାର ଦିନ ୩୦୭ଟି ଜୋନରେ ଭୋଟ ଗଣତି କରାଯିବ। ସୋମବାର ଦିନ ୨୨୯ଟି ଜୋନରେ ଭୋଟ ଗଣତି କରାଯିବ।

Comment