ଓଡ଼ିଶାଲାଇଭ ବ୍ୟୁରୋ

କ୍ଵିବକୁ ସ୍ଥାନାନ୍ତର କରିବାକୁ ଜେଲେନସ୍କିଙ୍କୁ ଆମେରିକା ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ୟୁକ୍ରେନ । ଅଧିକାରୀଙ୍କ କହିବାନୁସାରେ, ଜେଲେନସ୍କି କହିଛନ୍ତି, ସ୍ଥାନାନ୍ତରଣ ନୁହେଁ ଅସ୍ତ୍ର ଓ ଗୋଳାବାରୁଦର ଦରକାର।

ତୃତୀୟ ଦିନରେ ବି ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ ଜାରି ରଖିଛି ରୁଷ। ରୁଷ ସେନା ଏବେ ୟୁକ୍ରେନ ରାଜଧାନୀ କ୍ଵିବ ଯାଏଁ ପହଞ୍ଚିଲାଣି । ଲୋକେ ଭୟବୀତ ଅବସ୍ଥାରେ ଅଛନ୍ତି, ଭୋକ ଉପାସରେ ଜୀବନ ବିତାଉଛନ୍ତି। ତେଣୁ କ୍ଵିବର ନାଗରିକ ମାନଙ୍କୁ ଅନ୍ୟତ୍ର ସ୍ତାନାନ୍ତର କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। କିନ୍ତୁ ଏହି ପ୍ରସ୍ତାବକୁ ଜେଲେନସ୍କି ପ୍ରତ୍ୟାଖାନ କରିଛନ୍ତି। ସେ କହିଛନ୍ତି ଯେ, “ସ୍ଥାନାନ୍ତରଣ ନୁହେଁ, ମୋତେ ଅସ୍ତ୍ରଶସ୍ତ୍ର ଦରକାର। ରୁଷ ବିରୋଧରେ ୟୁକ୍ରେନ ଦୃଢ ଭାବରେ ଛିଡା ହେବ।”

କିନ୍ତୁ ଏହି ସମୟରେ, ଖବର ଆସିଥିଲା ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରାଜଧାନୀ କ୍ଵିବ ଛାଡି ପଳାୟନ କରିଛନ୍ତି। ତେବେ ଏହି ଗୁଜବକୁ ଖଣ୍ଡନ କରି ରାଷ୍ଟ୍ରପତି ନିଜେ ଏକ ଭିଡିଓ ଜାରି କରି କହିଛନ୍ତି, ସେ ତାଙ୍କ ଦେଶ ୟୁକ୍ରେନରେ ଅଛନ୍ତି । କ୍ଵିବ ମାଟିରେ ଠିଆ ହୋଇଛନ୍ତି ଏବଂ ୟୁକ୍ରେନକୁ ରକ୍ଷା ଦେଉଛନ୍ତି। ଭିଡିଓରେ ତାଙ୍କ ପରାମର୍ଶଦାତା ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ଥିବା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ ଭିଡିଓଟି ସୁଟିଂ କରାଯାଇଥିଲା ।

ସୂଚନା ଥାଉକି, ଯୁଦ୍ଧ ଆରମ୍ଭ ହେବା ପରେ ୟୁକ୍ରେନର ରାଷ୍ଟ୍ରପତିଙ୍କର ଏହା ହେଉଛି ଦ୍ୱିତୀୟ ଭିଡିଓ। ଏହାପୂର୍ବରୁ, ଜେଲେନସ୍କି ଏକ ଭିଡିଓ ଜାରି କରି ଏକ ଭାବପ୍ରବଣ ନିବେଦନ କରିଥିଲେ। ସେ କହିଥିଲେ ଯେ “ମୁଁ, ମୋ ପରିବାର ଏବଂ ମୋର ପିଲାମାନେ ସମସ୍ତେ ୟୁକ୍ରେନରେ ଅଛନ୍ତି । ସେମାନେ ଦେଶଦ୍ରୋହୀ ନୁହଁନ୍ତି, ସେମାନେ ୟୁକ୍ରେନର ନାଗରିକ ।” ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ, “ମୁଁ ଜାଣିବାକୁ ପାଇଛି ଯେ ମୁଁ ରୁଷର ପ୍ରଥମ ଟାର୍ଗେଟ ଥିବାବେଳେ ମୋ ପରିବାର ଦ୍ୱିତୀୟ ଟାର୍ଗେଟରେ।”

Comment