ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୟୁକ୍ରେନକୁ ଥରହର କରୁଥିବାବେଳେ ସେଠାରେ ଫସି ରହିଛନ୍ତି ବିଭିନ୍ନ ଦେଶର ନାଗରିକ। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଦେଶୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଜୋରସୋର ଉଦ୍ୟମ ଜାରି ରହିଛି। ଭାରତର ଜାତୀୟ ପତାକା ତ୍ରିରଙ୍ଗା ପାଇଁ ସୁରକ୍ଷିତ ଭାବେ ୟୁକ୍ରେନରୁ ବାହାରି ପାରୁଛନ୍ତି ଭାରତୀୟ। କେବଳ ଭାରତୀୟ ନୁହଁନ୍ତି ତ୍ରିରଙ୍ଗା ଯୋଗୁଁ ୟୁକ୍ରେନରେ ଫସି ରହିଥିବା ପାକିସ୍ତାନ ଏବଂ ତୁର୍କି ଛାତ୍ରଛାତ୍ରୀ ନୂଆ ଜୀବନ ପାଇଛନ୍ତି।

ଭାରତକୁ ସବୁବେଳେ ନିଜର ଶତ୍ରୁ ଭାବୁଥିବା ପାକିସ୍ତାନର ନାଗରିକ ଭାରତର ଜାତୀୟ ପତାକା ଦେଖାଇ ୟୁକ୍ରେନରୁ ସୁରକ୍ଷିତ ସୀମା ପାର ହୋଇଛନ୍ତି। ଖାଲି ପାକିସ୍ତାନ ନାଗରିକ ନୁହନ୍ତି କେତେଜଣ ତୁର୍କୀ ଛାତ୍ରଛାତ୍ରୀ ମଧ୍ୟ ଭାରତର ଜାତୀୟ ପତାକା ଆଢ଼ୁଆଳରେ ୟୁକ୍ରେନ ବର୍ଡର ପାର କରିଛନ୍ତି। ୟୁକ୍ରେନରୁ ରୋମାନିଆର ବୁଖାରିଷ୍ଟ ସହର ପହଞ୍ଚିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଏହି କଥା କହିଛନ୍ତି।

ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା ଆରମ୍ଭ ହୋଇଛି। ଅପରେସନ ଗଙ୍ଗା ଅନ୍ତର୍ଗତ ଭାରତୀୟ ବାୟୁସେନା ବିମାନ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଭାରତ ଆଣୁଛି। ଦକ୍ଷିଣ ୟୁକ୍ରେନର ଓଡ଼େଶାରୁ ଆସିଥିବା ଜଣେ ଛାତ୍ର କହିଛନ୍ତି, ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା ତ୍ରିରଙ୍ଗା ପତାକା ଦେଖାଇଲେ ୟୁକ୍ରେନରୁ ବାହାରିବା ପାଇଁ ଭାରତୀୟମାନଙ୍କୁ କୌଣସି ପ୍ରକାର ସମସ୍ୟା ହେବ ନାହିଁ।

ଏହା ପରେ ଭାରତୀୟ ଛାତ୍ରଛାତ୍ରୀ ବଜାରକୁ ଯାଇ ରଙ୍ଗ ଏବଂ କପଡ଼ା କିଣି ଭାରତର ଜାତୀୟ ପତାକା ତ୍ରିରଙ୍ଗା ପ୍ରସ୍ତୁତ କରିଥିଲେ। ଭାରତୀୟ ଛାତ୍ରଛାତ୍ରୀ ତ୍ରିରଙ୍ଗା ଧରି ୟୁକ୍ରେନରୁ ବାହାରିବାକୁ ଚେଷ୍ଟା କରିଥିଲେ। ଭାରତୀମାନଙ୍କୁ ଦେଖି କିଛି ପାକିସ୍ତାନୀ ଏବଂ ତୁର୍କି ଛାତଛାତ୍ରୀ ତ୍ରିରଙ୍ଗା ପତାକା ଦେଖାଇ ସେଠାରୁ ବାହାରିବାକୁ ଚେଷ୍ଟା କରିଥିବା କହିଛନ୍ତି ଭାରତୀୟ ଛାତ୍ର।

Comment