ଓଡ଼ିଶାଲାଇଭ୍ ବ୍ୟୁରୋ

ପୌର ନିର୍ବାଚନ ପାଇଁ କୋଭିଡ କଟକଣା ରହିବ ନାହିଁ। ପ୍ରାର୍ଥୀମାନେ ପୂର୍ବପରି ପ୍ରଚାର କରିପାରିବେ। ରାଜ୍ୟରେ କୋଭିଡ ସଂକ୍ରମଣ କମୁ ଥିବାରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ଆଗକୁ କୋଭିଡ ସଂକ୍ରମଣ ବୃଦ୍ଧି ପାଇଲେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ଚଳିତ ଥର ମୋଟ ୧,୮୯୯ଟି ଓ୍ୱାର୍ଡରେ ପୌର ନିର୍ବାଚନ ହେବ। ୪ ହଜାର ୪୭୫ଟି ବୁଥ୍‌ରେ ୪୨ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ। ମାର୍ଚ୍ଚ ୭ ତାରିଖ ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ଥିଲା। ସମସ୍ତ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ।

ଆସନ୍ତା ୧୪ ତାରିଖ ଦିନ ୩ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ଚଳିତ ଥର ନିର୍ବାଚନ ଇଭିଏମ୍‌ରେ ହେଉଥିବାରୁ ୩ଟି ଷ୍ଟ୍ରଙ୍ଗରୁମ୍‌ ବ୍ୟବସ୍ଥା କରାଯାଇଛି। ଗୋଟିଏ ଷ୍ଟ୍ରଙ୍ଗ ରୁମରେ କାଉନସିଲର କିମ୍ବା କର୍ପୋରେଟରଙ୍କ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ। ଅନ୍ୟ ଷ୍ଟ୍ରଙ୍ଗରୁମ୍‌ରେ ମେୟର ଓ ଚେୟାରମ୍ୟାନଙ୍କ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ। ତୃତୀୟ ଷ୍ଟ୍ରଙ୍ଗରୁମ୍‌ରେ ରିଜର୍ଭ ଇଭିଏମକୁ ରଖାଯିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ପଞ୍ଚାୟତ ନିର୍ବାଚନରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୩ ଜଣ ପୋଲିଂ ଅଧିକାରୀ ଥିବାବେଳେ ଏଥର ପୌର ନିର୍ବାଚନରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୪ ଜଣ ପୋଲିଂ ଅଧିକାରୀ ନିୟୋଜିତ ହେବେ। ନିର୍ବାଚନ ପରିଚାଳନାରେ ନିୟୋଜିତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ଚାହିଁଲେ ବାଲାଟ ପେପରରେ ଭୋଟ୍‌ ଦେଇପାରିବେ। ନିର୍ବାଚନ ଦାୟିତ୍ୱରେ ଯିବା ପୂର୍ବରୁ ଭୋଟ୍ ଦେଇପାରିବେ। ତେବେ ଏଥିପାଇଁ ସେମାନଙ୍କୁ ପୂର୍ବରୁ ଆବେଦନ କରିବାକୁ ପଡ଼ିବ।

Tag: #Election #OdishaElection #MunicipalElection #Mayor #Councilor

Comment