ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ନିଜର ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କ ମନ୍ତ୍ରୀ ମଣ୍ଡଳର ୧୦ ଜଣ ମାର୍ଚ୍ଚ ୧୯ ତାରିଖ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ମାନଙ୍କ ମନ୍ତ୍ରୀ ମଣ୍ଡଳରେ ୧୦ ମନ୍ତ୍ରୀ ସାମିଲ୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ମନ୍ତ୍ରୀ ରହିଛନ୍ତି। ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ ବିଧାୟକଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ପରେ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନଙ୍କ ସହ ଆଲୋଚନା କରିଥିଲେ। ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ବିଧାନସଭା ନିର୍ବାଚନ ୨୦୨୨ରେ ବିପୁଳ ବିଜୟ ପରେ ଆମ୍ ଆଦମୀ ପାର୍ଟି(ଆପ୍)ର ପ୍ରାର୍ଥୀ ହୋଇଥିବା ଭଗବନ୍ତ ସିଂ ମାନ ଗତ ୧୬ ତାରିଖରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନୂଆ ମନ୍ତ୍ରୀ ମଣ୍ଡଳରେ ସବୁ ବର୍ଗକୁ ଗୁରୁତ୍ବ ଦିଆଯାଇଛି। ମାନଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୮ ଜଣଙ୍କୁ ମନ୍ତ୍ରୀ କରାଯାଇଛି। ଏହା ସହ ଆମ୍ ଆଦମୀ ପାର୍ଟିରୁ ଦ୍ବିତୀୟ ଥର ଲାଗି ବିଧାୟକ ନିର୍ବାଚିତ ହୋଇଥିବା ଦୁଇ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଛି।

କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ୧୦ ମନ୍ତ୍ରୀ ହେଲେ ହରପାଲ ସିଂ ଚିମା, ଡାକ୍ତର ବଲଜିତ କୌର, ହରଭଜନ ସିଂହ ଇଟିଓ, ଡାକ୍ତର ବିଜୟ ସିଙ୍ଗଲା, ଲାଲଚନ୍ଦ କଟାରୁଚକ, ଗୁରମିତ ସିଂହ ମିତ ହେୟର, ହରଜୋତ ସିଂ ବୈଂସ, ଲାଲଜିତ ଭୁଲ୍ଲର, ବ୍ରହ୍ମଶଙ୍କର ଜିମ୍ପା ଓ କୁଲଦୀପ ସିଂ ଧାଲିଭାଲ।

ହରପାଲ ସିଂ ଚିମା

ପଞ୍ଜାବର ଦିଡ଼ବା ବିଧାନସଭା ଆସନରୁ କ୍ରମାଗତ ଦ୍ୱିତୀୟ ଥର ବିଧାୟକ ନିର୍ବାଚିତ ହୋଇଥିବା ହରପାଲ ସିଂ ଚିମା ବିରୋଧୀ ଦଳର ନେତା ରହିସାରିଛନ୍ତି। ଚେମା ବୃତ୍ତିରେ ଜଣେ ଓକିଲ ଏବଂ ଆମ୍ ଆଦମୀ ପାର୍ଟିରେ ଆରମ୍ଭରୁ ସାମିଲ ଅଛନ୍ତି।

ଡାକ୍ତର ବଲଜିତ କୌର

ଡାକ୍ତର ବଲଜିତ କୌର ମଲୋଟ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚତ ହୋଇଛନ୍ତି। ସେ ପେଶାରେ ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ। ସେ ମାନଙ୍କ ମନ୍ତ୍ରୀ ମଣ୍ଡଳର ଏକ ମାତ୍ର ମହିଳା ମନ୍ତ୍ରୀ।

ହରଭଜନ ସିଂ ଇଟିଓ

ହରଭଜନ ସିଂ ଇଟିଓ ଜଣ୍ଡିଆଲା ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ହରଭଜନ ସିଂ ୨୦୧୭ରେ ନିଜ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଆମ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ।

ଡାକ୍ତର ବିଜୟ ସିଙ୍ଗଲା

ପଞ୍ଜାବର ମାନସା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଡାକ୍ତର ବିଜୟ ସିଙ୍ଗଲା ସୁପରିଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ପ୍ରାର୍ଥୀ ସିଦ୍ଧୁ ମୁସେବାଲାଙ୍କୁ ହରାଇଥିଲେ। ସେ ବୃତ୍ତିରେ ଜଣେ ଡେଣ୍ଟାଲ ସର୍ଜନ।

ଲାଲଚନ୍ଦ କଟାରୁଚକ

ପଞ୍ଜାବର ଭୋଆ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି ଲାଲଚନ୍ଦ କଟାରୁଚକ। ଦୀର୍ଘ ଦିନ ହେଲା ସେ ସମାଜସେବା କ୍ଷେତ୍ରରେ ସକ୍ରିୟ ଥିଲେ। ପ୍ରଥମ ଥର ନିର୍ବାଚନ ଲଢ଼ି ସେ ଜିତ ହାସଲ କରିଛନ୍ତି। ଲାଲଚନ୍ଦ କଟାରୁଚକ କଂଗ୍ରେସର ବରିଷ୍ଠ ନେତା ଜୋଗିନ୍ଦର ପାଲଙ୍କୁ ମାତ ଦେଇଥିଲେ।

ଗୁରମିତ ସିଂ ମିତ ହେୟର

ଗୁରମିତ ସିଂ ମିତ ହେୟର ଲଗାତର ଭାବେ ଦ୍ବିତୀୟ ଥର ବରନାଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ବିଟେକ୍ ପଢ଼ିବା ପରେ ସିଭିଲ ସର୍ଭିସେସ ପ୍ରସ୍ତତି କରିବାକୁ ଦିଲ୍ଲୀ ଯାଇଥିଲେ। ସେହିଠାରେ ଗୁରୁମିତ ଆନ୍ନା ହଜାରେଙ୍କ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଏବଂ ପରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଲେ। ମାତ୍ର ୩୨ ବର୍ଷ ବୟସରେ ଗୁରମିତ ସିଂ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ହରଜୋତ ସିଂ ବୈଂସ

ଶ୍ରୀ ଆନନ୍ଦପୁର ସାହିବ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ହରଜୋତ ସିଂ ବୈଂସ। ହାରଜୋତ ସିଂ ପଞ୍ଜାବର ଗତ ସରକାରର ବିଧାନସଭା ବାଚସ୍ପତି ଥିବା ରାଣା କେପି ସିଂଙ୍କୁ ମାତ ଦେଇଥିଲେ। ଲଣ୍ଡନରୁ ପାଠ ପଢ଼ିଥିବା ହରଜୋତ ସିଂ ବୃତ୍ତିରେ ଜଣେ ଓକିଲ। ଗତ ଥର ସେ ସାହନେବାଲରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ବିଜୟ ମିଳିନଥିଲା। ହରଜୋତ ଆମ ଆଦମୀ ପାର୍ଟିର ୟୁଥ ଓ୍ବିଂଗର ଅଧ୍ୟକ୍ଷ ଅଛନ୍ତି।

ଲାଲଜିତ ଭୁଲ୍ଲର

ପଞ୍ଜାବର ପଟ୍ଟି ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି ଲାଲଜିତ ଭୁଲ୍ଲର। ଏହି ନିର୍ବାଚନରେ ସେ ଆଦେଶ ପ୍ରତାପ ସିଂ କୈରୋଙ୍କୁ ମାତ ଦେଇଥିଲେ।

ବ୍ରହ୍ମଶଙ୍କର ଜିମ୍ପା

ପଞ୍ଜାବର ହୋସିଆରପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି ବ୍ରହ୍ମଶଙ୍କର ଜିମ୍ପା। ସେ ଚନ୍ନି ସରକାରଙ୍କ ମନ୍ତ୍ରୀ ସୁନ୍ଦର ଆରୋଡାଙ୍କୁ ମାତ ଦେଇଥିଲେ। ବୃତ୍ତିରେ ସେ ଜଣେ ବ୍ୟବସାୟୀ। ବ୍ରହ୍ମଶଙ୍କର ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଅଛନ୍ତି।

କୁଲଦୀପ ସିଂ ଧାଲିଭାଲ

ଅଜନାଲା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କୁଲଦୀପ ସିଂ ଧାଲିଭାଲ। ସାତ ବର୍ଷ ପୂର୍ବରୁ ସେ ଆମ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ।

ପଞ୍ଜାବ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ପଦ ସହ ୧୮ଟି ପଦବୀ ରହିଛି। ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏକାକୀ ୯୨ଟି ଆସନରେ ବିଜୟ ଲାଭ କରିଛି। ।

Tags: #PunjabElection #PunjabAssemblyElection #Minister #CM #CabinetMinisters #PunjabNewMinsters

Comment