ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ସୋମବାର ନୂଆ ମୋଡ଼ ନେଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଛନ୍ତି ସୂଚନ ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା।

କ୍ୟାମେରାମ୍ୟାନ ମାନସ ସ୍ଵାଇଁଙ୍କୁ ଭଦ୍ରକର ଚାନ୍ଦବାଲିରୁ ଉଠାଇ ଆଣି ଦୟାଲ ଆଶ୍ରମକୁ ନେଇ ମାଡ଼ ମାରିବା ଏବଂ ପରେ ହତ୍ୟା କରି ମାନସଙ୍କ ଶବକୁ ନୟାଗଡ଼ରେ ପୋତିବା ପର୍ଯ୍ୟନ୍ତ ନିରଞ୍ଜନ ସେଠୀ ସମସ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନେଇ ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଏହି ହତ୍ୟା ଘଟଣାରେ ପୋଲିସ ଅନ୍ୟ ଜଣଙ୍କୁ ଗିରଫ କରିଛି। ସେ ହେଉଛନ୍ତି ରାଜ କମ୍ୟୁନିକସେନର ମାଲିକ ରଂଜନ ନାୟକ। ଏକ ମେମୋରି ଚିପ୍‌କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ଏହି ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏକ ଓ୍ଵେବ ଚ୍ୟାନେଲର ମୁଖ୍ୟ ଶର୍ମିଷ୍ଠା ରାଉତ ଏବଂ ତାଙ୍କର ଜଣେ ସହଯୋଗୀ ଫେରାର ରହିଛନ୍ତି। ଇତି ମଧ୍ୟରେ ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀଙ୍କ ଗିରଫ ପରେ ଏହି ହତ୍ୟାକାଣ୍ଡ ଏବେ ନୂଆ ମୋଡ଼ ନେଇଛି। ତେବେ ନିରଞ୍ଜନ ମାନସ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ନା ଏହା ପଛରେ ଆଉ କାହାର ହାତ ରହିଛି ତାହା ଏବେ ବଡ଼ ପ୍ରଶ୍ନ।

ସୂଚନା ଅନୁସାରେ ଗତ ଫେବ୍ରୁଆରି ୭ ତାରିଖ କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ କରାଯାଇଥିଲା। ଦୀର୍ଘ ଦିନ ଧରି ମାନସଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ତାଙ୍କ ପରିବାର ଲୋକେ ଫେବ୍ରୁଆରି ୧୪ ତାରିଖ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଖୋଳତାଳ ବେଳେ ମାନସଙ୍କ ଅପହରଣରେ ବ୍ୟବହାର କରାଯାଇଥିବା ଗାଡ଼ିକୁ ପୋଲିସ୍ ମାର୍ଚ୍ଚ ୮ ତାରିଖରେ ଜବତ କରିଥିଲା। ଏହା ପରେ ଗତ ୧୬ ତାରିଖ ନୟାଗଡ଼ରୁ ମାଟି ତଳୁ ମାନସଙ୍କ ଶବ ଉଦ୍ଧାର କରାଯାଇଥିଲା।

Tag: #CameramanMurderCase #Arrest #FormerOISOffecer #NiranjanSethi #RanjanNayak #SarmisthaRaut

Comment