ଓଡ଼ିଶାଲାଇଭ୍ ବ୍ୟୁରୋ

ଇମ୍ରାନ ଖାନଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଏପ୍ରିଲ ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ। ଏଥିରେ ଇମ୍ରାନଙ୍କ ଚୌକି ଯିବା ପ୍ରାୟ ସୁନିଶ୍ଚିତ ହୋଇଛି। କାରଣ ବିରୋଧଙ୍କ ପାଖରେ ଏବେ ପ୍ରାୟ ୨୦୦ ସାଂସଦଙ୍କ ସମର୍ଥନ ରହିଥିବା କୁହାଯାଉଛି।

ସଂସଦରେ ଅନାସ୍ଥା ଭୋଟର ସମ୍ମୁଖୀନ ହେବା ପରିବର୍ତ୍ତେ ସଂସଦକୁ ଭାଙ୍ଗି ପୁନର୍ବାର ନିର୍ବାଚନ କରିବାକୁ ଇମ୍ରାନ ଖାନ ଯୋଜନା କରିଥିଲେ। ଇମ୍ରାନ ଖାନଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଆରିଫ ଆଲଭି ଗତ ଏପ୍ରିଲ ୩ ତାରିଖରେ ସଂସଦ ଭଙ୍ଗ କରି ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ସୁପ୍ରିମ କୋର୍ଟ ଅସାମ୍ବିଧାନିକ ଦର୍ଶାଇବା ସହ ସଂସଦର ପୁନଃସ୍ଥାପନା କରିଛନ୍ତି।

ଅପର ପକ୍ଷରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ଅନୈତିକ ବୋଲି ଦର୍ଶାଇଛନ୍ତି କୋର୍ଟ। ଏହି ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୯ ତାରିଖରେ ଭୋଟ ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ଦିନ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ପରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବେଞ୍ଚରେ ମୁଖ୍ୟ ବିଚାରପତି ଜଷ୍ଟିସ ଅମର ଆତା ବନ୍ଦିୟାଲଙ୍କ ସହ ଜଷ୍ଟିସ ଏଜାଜୁଲ ଅହମ୍ମଦ, ଜଷ୍ଟିସ ମୋହମ୍ମଦ ଅଲୀ ମଜହର, ଜଷ୍ଟିସ ମୁନୀବ ଅଖତର ଏବଂ ଜଷ୍ଟିସ ଜମାଲ ଖାନ ମଣ୍ଡୋଖେଲ ରହିଛନ୍ତି। ଏହି ବେଞ୍ଚ ଉପବାଚସ୍ପତି ଏବଂ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି।

ପଦବୀ ଫେରି ପାଇଲେ ମନ୍ତ୍ରୀ

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଗତ ଏପ୍ରିଲ ୩ ତାରିଖରେ ପୂର୍ବର ସ୍ଥିତିରେ ସୁଧାର ଆସୁଛି। ସଂସଦର ପୁନଃସ୍ଥାପନା ହେବା ସହ ସମସ୍ତ ମନ୍ତ୍ରୀ ନିଜ ନିଜ ପଦବୀ ଫେରିପାଇଛନ୍ତି। ଆସନ୍ତା ଶନିବାର ଦିନ ସଂସଦର ପୁନର୍ବାର ଅଧିବେଶନ ବସିବ। ସକାଳ ୧୦ଟାରେ ଅଧିବେଶନ ବସିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ପୁନର୍ବାର ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ। ଯାହା ଉପରେ ଭୋଟିଂ ହେବ।

ଅନାସ୍ଥା ପ୍ରସ୍ତାବରେ ଇମ୍ରାନ ଖାନ ପରାଜୟ ହେବା ପ୍ରାୟ ସୁନିଶ୍ଚିତ ହୋଇଥିବା କୁହାଯାଉଛି। କାରଣ ୧୯୫ ସାଂସଦଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି ବିରୋଧୀ। ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ୧୭୨ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକତା ରହିଛି।

ଯଦି ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ଭୋଟରେ ହାରନ୍ତି ତେବେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ସୁପ୍ରିମ କୋର୍ଟ କହିଛନ୍ତି, “ଅନାସ୍ଥା ପ୍ରସ୍ତାବ ପାସ୍ ହୋଇ ସରକାର ଭାଙ୍ଗିଲେ ତୁରନ୍ତ ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚନ କରାଯିବ। ଯାହା ଦ୍ଵାରା ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିତରତାରେ ପୂର୍ଣ୍ଣଛେଦ ପଡ଼ିପାରିବ”।

କ’ଣ ରହିବ ଇମ୍ରାନ ଖାନଙ୍କ ପରବର୍ତ୍ତୀ ଆଭିମୁଖ୍ୟ?

ବର୍ତ୍ତମାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପାଖରେ ନିଜ ଚୌକି ବଞ୍ଚାଇବାକୁ ସବୁ ରାସ୍ତା ବନ୍ଦ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ନିର୍ବାଚନ ହେବ। ଏବେ ଇମ୍ରାନ ଖାନ ଏହି ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। କିନ୍ତୁ ଶେଷ ମୁହୂର୍ତ୍ତରେ ବାଜି ପଲଟିପାରେ ବୋଲି କହିଛନ୍ତି ଇମ୍ରାନ।

ଇମ୍ରାନ ଖାନଙ୍କ ଚୌକି ଏଥର ଯାଇପାରେ ବୋଲି ଏଥିପାଇଁ କୁହାଯାଉଛି, କାରଣ ବିରୋଧୀଙ୍କ ପାଖରେ ପ୍ରାୟ ୨୦୦ ସାଂସଦ ରହିଥିବା ଦାବି ହେଉଛି। ଏହା ସହ ଇମ୍ରାନଙ୍କର ସମର୍ଥନରେ ରହିଥିବା ୨୪ ଜଣ ସାଂସଦ ମଧ୍ୟ ଇମ୍ରାନ ଖାନଙ୍କ ହାତ ଛାଡ଼ି ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନର କୌଣସି ବି ପ୍ରଧାନମନ୍ତ୍ରୀ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି। ଏବେ ଏହି ଦୌଡ଼ରେ ସାମିଲ ହେବାକୁ ଯାଉଛନ୍ତି ଇମ୍ରାନ ଖାନ।

Tags: #PakistanaCrisis #PoliticalCrisis #ImranKhan

Comment