ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ୪୯ ନମ୍ବର ଓ୍ଵାର୍ଡର ବିଜେଡି କର୍ପୋରେଟର ଦମୟନ୍ତୀ ମାଝି ନିର୍ବାଚିତ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ୪୨ ନମ୍ବର ଓ୍ଵାର୍ଡର କର୍ପୋରେଟର ଇ.ବିବେକ ରେଡ୍ଡୀ।

କଟକର ଡେପୁଟି ମେୟର ଦମୟନ୍ତୀ ମାଝି ମାତ୍ର ୨୧ ବର୍ଷ ବୟରେ ଏହି ବିଜୟ ହାସଲ କରିଛନ୍ତି। କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ଏମକମ୍‌ ଶେଷ ବର୍ଷର ଛାତ୍ରୀ ହେଉଛନ୍ତି ଦମୟନ୍ତୀ। ବସ୍ତିର ଝିଅ କଟକ ସହରବାସୀଙ୍କ ଭରସା ଜିତି ଆଜି ଡେପୁଟି ମେୟର ହୋଇପାରିଛନ୍ତି। ପାଠପଢ଼ା ସହ ନିଜ ପଦବୀ ସମ୍ଭାଳିବେ ବୋଲି କହିଛନ୍ତି ଦମୟନ୍ତୀ। କେବଳ ବସ୍ତି ବାସିନ୍ଦା ନୁହଁନ୍ତି କଟକ ସହରବାସୀଙ୍କ ବିକାଶ ପାଇଁ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ।

ଦମୟନ୍ତୀ ଗରିବ ଶ୍ରେଣୀର ଲୋକଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ସହଯୋଗର ହାତ ବଢ଼ାଇଥାନ୍ତି। ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିଲେ ମଧ୍ୟ ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି ସେ। କଟକ ମହାନଗର ନିଗମର ଡେପୁଟି ମେୟର ହେବା କଥା ସେ ସ୍ଵପ୍ନରେ ଭାବିନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ଦମୟନ୍ତୀ।

ସେହିପରି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୪୨ ନମ୍ବର ଓ୍ଵାର୍ଡର ପର୍କୋରେଟର ଇ.ବିବେକ ରେଡ୍ଡୀ। ବ୍ରହ୍ମପୁର ମହାନଗରରେ ସର୍ବାଧିକ ଭୋଟ ପାଇଥିଲେ ବିବେକ। ଡେପୁଟି ମେୟର ଦୌଡ଼ରେ ଅନେକ ଆଶାୟୀ ରହିଥିଲେ ମଧ୍ୟ ବିବେକଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ବିଜେଡି।

କଟକ ଡେପୁଟି ମେୟର ଦମୟନ୍ତୀଙ୍କ ଭଳି ବିବେକ ରେଡ୍ଡୀ ମଧ୍ୟ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିପୁଳ ପରିମାଣରେ ଭୋଟ ପାଇ ୪୨ ନମ୍ବର ଓ୍ଵାର୍ଡର କର୍ପୋରେଟର ନିର୍ବାଚିତ ହୋଇଥିଲେ। ଏବେ ସେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପଦବୀରେ। ଆଗାମୀ ଦିନରେ ବ୍ରହ୍ମପୁରର ବିକାଶ ପାଇଁ କାମ କରି ଲୋକଙ୍କ ଆହୁରି ନିକଟତର ହେବାକୁ ଆଶା ରଖିଛନ୍ତି ବିବେକ।

Tags: #CMCDeputyMayor #BeMCDeputyMayor #DamayantiMajhi #VibekReddy

Comment