ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଗତ ଏପ୍ରିଲ ୧୧ ତାରିଖ ରାତି ପ୍ରାୟ ସାଢେ ୨ଟାରୁ ୩ଟା ମଧ୍ୟରେ ଏହି ବୀଭତ୍ସ କାଣ୍ଡ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଲେଖ ସାହୁଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

ଗତ ୧୧ ତାରିଖ ବିଳମ୍ବିତ ରାତିରେ ବଡ଼ ଭାଇ ଅଲେଖ ସାହୁ ଏବଂ ତାଙ୍କ ପରିବାରର ମୋଟ ୫ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ସାନ ଭାଇ ଶିବ ସାହୁ। ହତ୍ୟା କରିବା ପରେ ଶିବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପର ଦିନ ଅର୍ଥାତ୍ ଏପ୍ରିଲ ୧୨ ତାରିଖରେ ଶିବ ଥାନାରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ପୋଲିସ୍ ଅଭିଯୁକ୍ତ ଶିବଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରିଥିଲା।

ହତ୍ୟା ପୂର୍ବରୁ ଅଲେଖଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ବିଷ ଦେବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା। କିନ୍ତୁ ସୋମବାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତକଙ୍କ ମଧ୍ୟରୁ କାହାରିକୁ ବିଷ ଦିଆଯାଇନଥିବା ସ୍ପଷ୍ଟ ହୋଇଛି।

୧୨ରୁ ୧୫ ବର୍ଷ ହେଲା ଶିବ ସାହୁ ଏବଂ ବଡ଼ ଭାଇ ଅଲେଖ ସାହୁଙ୍କ ମଧ୍ୟରେ ଜମିବାଡ଼ି ଏବଂ ଘରକୁ ନେଇ ବିବାଦ ଲାଗି ରହିଥିଲା। ଏପରିକି ଏହି ତିକ୍ତତା କାରଣରୁ ଅଭିଯୁକ୍ତ ଶିବ ନିଜ ପରିବାର ସହ କୁସୁପୁରରେ ଥିବା ନିଜ ପୈତୃକ ଘରେ ନ ରହି ଭଡ଼ାରେ ରହୁଥିଲେ। ବେଳେବେଳେ ପୈତୃକ ଘରକୁ ଯାଉଥିଲେ। କୁସୁପୁର ଘରେ ଶିବଙ୍କ ବଡ଼ ଭାଇ ଅଲେଖ ଏବଂ ତାଙ୍କ ପରିବାର ରୁହନ୍ତି।

ଏପ୍ରିଲ ୧୧ ତାରିଖରେ ଶିବଙ୍କ ପତ୍ନୀ ସୁନୀତା ଟଏଲେଟ ଯିବାକୁ ବାହାରିବା ବେଳେ ଟଏଲେଟରେ ତାଲା ଝୁଲିଥିଲା। ଶିବ ତାଙ୍କ ଭାଉଜଙ୍କୁ ଟଏଲେଟ ତାଲା ଖୋଲିବାକୁ କହିଥିଲେ। ଏହାକୁ ନେଇ ଉଭୟ ଦିଅର-ଭାଉଜଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଅଲେଖ ନିଦରୁ ଉଠି ଶିବଙ୍କୁ ଗାଳି ଗୁଲଜ କରିଥିଲେ। ବଚସା ଏତେ ବଢ଼ି ଯାଇଥିଲା ଯେ ବଡ଼ ଭାଇ ଏବଂ ତାଙ୍କ ପରିବାର ଲୋକେ ଶିବଙ୍କୁ ମାଡ଼ ମାରିଥିଲେ।

ଏହା ପରେ ଶିବ ନିଜ ରୁମକୁ ଆସିଯାଇଥିଲେ। କିନ୍ତୁ ସେହି ଦିନ ରାତି ପ୍ରାୟ ସାଢ଼େ ୨ଟା ବେଳେ ଏକ ଧାରୁଆ କଟୁରୀ ଧରି ଭାଇ ଭାଉଜଙ୍କ ରୁମରେ ପଶି ପ୍ରଥମେ ଭାଉଜ ରଶ୍ମିରେଖା ସାହୁଙ୍କୁ ହାଣି ହତ୍ୟା କରିଥିଲେ। ଏହା ପରେ ଭାଇ ଅଲେଖ, ଅଲେଖଙ୍କ ୨ ପୁଅ ସ୍ମୃତି ସୌରଭ ଏବଂ ସ୍ମୃତି ସାଇ ଏବଂ ଝିଅ ସ୍ମୃତି ସଂନ୍ଧ୍ୟାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଥିବା ପୋଲିସ୍ ଆଗରେ କହିଥିଲେ ଅଭିଯୁକ୍ତ ଶିବ।

Tags: #KusupurMurderCase #5Killed #PostMortem #SibaSahoo

Comment