ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଜଳସମ୍ପଦ ସଚିବ ଅନୁ ଗର୍ଗ ଗୁରୁବାର ଗଜପତି ଜିଲ୍ଲା ଗସ୍ତରେ ଯାଇ ଛେଳିଗଡ଼ ଜଳସେଚନ (ଜଳବିଦ୍ୟୁତ) ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଟନେଲ କାମ ଅନୁଧ୍ୟାନ କହିଛନ୍ତି। ନିର୍ମାଣସ୍ଥଳକୁ ଯାଇ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ଆଜି ସକାଳ ୭ଟା ୪୦ ମିନିଟରେ ହେଲିକପ୍ଟର ଯୋଗେ କୁଆଁପଡ଼ା ଗାଁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ନିର୍ମାଣାଧୀନ ଟନେଲ ପରିଦର୍ଶନରେ ଯାଇଥିଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଓ ଜଳସମ୍ପଦ ସଚିବ। ଆସନ୍ତା ୨୦୨୪ ମସିହା ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬,୨୬୦ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ କରାଯାଇପାରିବ। ଗଜପତି ଜିଲ୍ଲାର ୫୦୦ ଓ ଗଞ୍ଜାମ ଜିଲ୍ଲାର ୫,୭୬୦ ହେକ୍ଟର ଜମି ଜଳସେଚିତ ହେବ। ଏହାଛଡ଼ା ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହୋଇପାରିବ। ୨୦୦୫-୦୬ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି।

୧୨ଶହ ମିଟର ଟନେଲ କାମ ହେବାକୁ ଥିବାବେଳେ ବର୍ତ୍ତମାନ ପ୍ରାୟ ୨୦୦ ମିଟର କାମ ଶେଷ ହୋଇଛି। ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଟନେଲ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଡ୍ୟାମ କାମ ମଧ୍ୟ ଚାଲିଛି। ଡ୍ୟାମ କାମ ସମ୍ପୂର୍ଣ୍ଣ ନହେଲେ ମଧ୍ୟ ଟନେଲ କାମ ଶେଷ ହେଲେ ଖୁବ୍ ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏହି ପ୍ରକଳ୍ପରୁ ୩୬ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ଜଳ ନିଷ୍କାସନ ପାଇଁ ପାହାଡ଼ ମଝିରେ ୧,୨୮୦ ମିଟର ଲମ୍ବର ଏକ ସୁଡ଼ଙ୍ଗ ନିର୍ମାଣ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ୬୬ କୋଟି ବ୍ୟୟ ବରାଦ ହୋଇଥିବାବେଳେ ଏବେ ଏହା ୭୦୮ କୋଟିରେ ପହଞ୍ଚିଛି।

Tags: #ChiefSecretary #5TSecretary #HydropowerProject #Gajapati #VKPandian

Comment