ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭାରେ ବିଜେଡିର ଖାଲି ପଡ଼ିଥିବା ୪ ଆସନ ପାଇଁ ବହୁ ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲା। କିନ୍ତୁ ରବିବାର ବିଜେଡି ସୁପ୍ରିମୋ ୪ ଜଣ ଯୁବ ଚେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ସେମାନଙ୍କ ନାଁ ଘୋଷଣା କରିଛନ୍ତି। ସେମାନେ ହେଲେ ସୁଲତା ଦେଓ, ମାନସ ରଞନ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଞ୍ଜନ ବିଶି। ତେବେ ସସ୍ମିତ ପାତ୍ରଙ୍କୁ ଛାଡ଼ି ଦେଲେ ଅନ୍ୟ ୩ ଜଣ ନୂଆ ମୁହଁ। ସେମାନେ ପ୍ରଥମ ଥର ପାଇଁ ରାଜ୍ୟସଭା ଯିବେ।

ସୁଲତା, ମାନସ ଓ ସସ୍ମିତ ୬ ବର୍ଷ ପାଇଁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବେ। ସୁବାସ ସିଂ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ହେଉଥିବା ଉପନିର୍ବାଚନରେ ନିରଞ୍ଜନ ପ୍ରାର୍ଥୀ ହେବେ। ତେଣୁ ସେ ସେହି ଆସନରେ ଅବଶିଷ୍ଟ ୪ ବର୍ଷ ପାଇଁ ସେ ପ୍ରତିନିଧିତ୍ୱ କରିବେ।

ସୁଲତା ଦେଓ ଏବେ ବିଜେଡିର ମୁଖପାତ୍ର ସହ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଅଛନ୍ତି। ପୂର୍ବରୁ ସେ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇଛନ୍ତି। ଯାଜପୁର ମୂଳବାସୀନ୍ଦା ସୁଲତା ଗତ ୨୦ ବର୍ଷ ହେଲା ବିଜେଡିରେ ରହିଛନ୍ତି। ଦୀର୍ଘ ବର୍ଷ ଧରି ଦଳ ପ୍ରତି ତାଙ୍କର ଆନୁଗତ୍ୟ ରହିଛି।

ସେହିପରି ମାନସ ମଙ୍ଗରାଜ ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି। ଏହାସହ ଦଳର ସମ୍ପାଦକ ଭାବେ ମଧ୍ୟ ସେ କାର୍ଯ୍ୟରତ। ମାନସ ସାମ୍ବାଦିକତାରୁ ରାଜନୀତିକୁ ଆସିଥିଲେ। ପ୍ରଥମେ କଂଗ୍ରେସରେ ଯୋଗ ଦେଇ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଆଦିବାସୀ ନେତା ନିରଞ୍ଜନ ବିଶିଙ୍କ ନାମ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଆଚମ୍ବିତ କରି ଦେଇଛନ୍ତି। ନିରଞ୍ଜନ ବିଶି ଆଦିବାସୀଙ୍କ ପାଇଁ ଦୀର୍ଘଦିନରୁ ଲଢ଼େଇ ଜାରି ରଖିଛନ୍ତି। ନିକଟରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।

ସସ୍ମିତ ପାତ୍ର ୨୦୧୯ରେ ରାଜ୍ୟସଭାକୁ ଯାଇଥିଲେ। ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କରେ ରାଜ୍ୟସଭାରେ ସେ ବଳିଷ୍ଠ ଉପସ୍ଥାପନ କରିଛନ୍ତି। ତାଙ୍କ ପ୍ରଦର୍ଶନକୁ ଦେଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାଇବାକୁ ସ୍ଥିର କରିଛନ୍ତି।

ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ଆସନ୍ତା ୧୦ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଚତୁର୍ଥ ଆସନ ଲାଗି ଆସନ୍ତା ୧୩ ତାରଖରେ ଉପନିର୍ବାଚନ ଲାଗି ସ୍ଥିର ହୋଇଛି। ପ୍ରାର୍ଥୀମାନେ ୩୧ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ।

Comment