ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ। ଦୀର୍ଘ ଦିନ ପରେ କଟକରେ ମ୍ୟାଚ ଅନୁଷ୍ଠିତ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଅନ୍ୟପଟେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମହାମୁକାବିଲା ପାଇଁ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ। ପ୍ରସ୍ତୁତ ରହିଛି ଓଡ଼ିଶା କ୍ରିକେଟ ଆସୋସିଏସନ। ଏପଟେ କଟକ ଡିସିପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ଶାନ୍ତିଶୃଙ୍ଖଳାର ସହ ମ୍ୟାଚ ସମ୍ପାଦନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହ ମ୍ୟାଚ ସମୟରେ ଷ୍ଟାଡିୟମ ଭିତରକୁ କ’ଣ ଆଣିବେ କ’ଣ ନାହିଁ ସେ ସମ୍ପର୍କରେ ସୂଚନା ଦେଇଛନ୍ତି। ବିନା ମାସ୍କରେ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ବାରବାଟୀ ମୁକାବିଲା ପାଇଁ ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ। ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଇନ୍ସପେକ୍ଟର, ୨୭୦ ଏସ୍ଆଇ ରାଙ୍କର ଅଧିକାରୀ, ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଳ ମୁତୟନ ରହିବେ।

ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେବା ଉପରେ କଟକଣା ଲାଗୁ କରାଯାଇଛି। ଏହାସହ ମ୍ୟାଚ୍ ବକ୍ସ, ହେଲ୍‌ମେଟ୍, ବ୍ୟାଗ ମଧ୍ୟ ଷ୍ଟାଡିୟମ ଭିତରକୁ ନେବା ପାଇଁ ଅନୁମତି ନାହିଁ। ଖୁଚୁରା ପଇସା ନଆଣିବାକୁ ଡିସିପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିନା ମାସ୍କରେ ଷ୍ଟାଡିୟମ ଭିତରକୁ କାହାରିକୁ ଯିବାକୁ ଦିଆଯିବ ନାହିଁ ବୋଲି ସଫା ସଫା କହିଛନ୍ତି କଟକ ଡିସିପି।

ମ୍ୟାଚ ଦେଖିବାକୁ ଆସିବା ପୂର୍ବରୁ ମାସ୍କ ପିନ୍ଧିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଷ୍ଟାଡିୟମରେ ମୁତୟନ ହୋଇଥିବା ପୋଲିସଙ୍କ ପାଇଁ ମଧ୍ୟ ମାସ୍କ ପରିଧାନ ବାଧ୍ୟତାମୂଳକ ରହିଛି। ଅସନ୍ତା ରବିବାର, ଜୁନ ୧୨ ତାରିଖରେ ଟି-୨୦ ମ୍ୟାଚ ଥିବାରୁ ପୋଲିସ୍‌ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମ୍ୟାଚ୍ ପାଇଁ କଟକରେ ୬୨ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ସହ ମୋଟ୍‌ ୮୨ ପ୍ଲାଟୁନ୍  ଫୋର୍ସ ମୁତୟନ ହୋଇଛନ୍ତି।

Tags: #Sports #Cricket #Match #T20Match

Comment