ଡକ୍ଟର ଫକୀର ମୋହନ ନାହାକ
‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।
୨୦୦୭ ମସିହା ସେପ୍ଟେମ୍ବର ୨୪ ତାରିଖ। ଉତ୍ତର ଭାରତର ବିଭିନ୍ନ କ୍ଷେତ୍ର ତୀର୍ଥାଟନରେ ବାହାରିଥିଲେ ୪୨ ଜଣ ଯାତ୍ରୀ। ଗଞ୍ଜାମ ଜିଲ୍ଲାର ପୋଲସରା, ବୁଗୁଡ଼ା, ଖଲ୍ଲିକୋଟ, କୋଦଳା, ରମ୍ଭା, କବିସୂର୍ଯ୍ୟନଗର, ବେଗୁନିଆପଡ଼ା ଆଦି ଅଞ୍ଚଳର ଯାତ୍ରୀ ଥିଲେ ସମସ୍ତେ। ସମସ୍ତଙ୍କୁ ନେଇ ଯାଇଥିବା ବସ୍ ହରିଦ୍ୱାର ପହଞ୍ଚିବା ପୂର୍ବରୁ ଗୟା, ମଥୁରା, ବୃନ୍ଦାବନ, ଆଗ୍ରା ଆଦି ସ୍ଥାନ ବୁଲାଇ ସାରିଥିଲା ସମସ୍ତଙ୍କୁ। ଅତି ଆନନ୍ଦରେ ଏହି ଯାତ୍ରୀମାନେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗୟାରେ ପିଣ୍ଡଦାନ ଓ ତର୍ପଣ ବି କରିଥିଲେ। କିନ୍ତୁ ସେମାନେ କେହି ଜାଣିନଥିଲେ ଯେ, ତୀର୍ଥାଟନରେ ସେମାନଙ୍କ ଦ୍ୱାରା କରାଯାଇଥିବା ପିଣ୍ଡଦାନର ଏତେ ଖୁବ୍ କମ୍ ସମୟ ଭିତରେ ସେମାନଙ୍କ ଉଦ୍ଦେଶ୍ୟରେ କେହି ପୁଣି ପିଣ୍ଡଦାନ କରିବ। ଆଉ ସେମାନଙ୍କ ତୀର୍ଥଯାତ୍ରା ପାଲଟିଯିବ ଏକ ମହାଯାତ୍ରା।
ସେଦିନ ଥିଲା ୨୦୦୭ ମସିହା ଅକ୍ଟୋବର ୧୧ ତାରିଖ। ସମୟ ପାଖାପାଖି ଅପରାହ୍ଣ ସାଢ଼େ ପାଞ୍ଚଟା। ଈଟିଭି ଓଡ଼ିଆ ନ୍ୟୁଜ୍ ଡେସ୍କରେ ଖବର ପାଇଁ ଧାଁ ଦଉଡ଼। ଏତିକି ବେଳେ ହଠାତ୍ ନ୍ୟାସନାଲ ଡେସ୍କ ତରଫରୁ ଘୋଷଣା ହେଲା, ଉତ୍ତରାଖଣ୍ଡର ଚମୋଲିର ବିଷ୍ଣୁପ୍ରୟାଗ ନିକଟରେ ଅଳକନନ୍ଦା ନଦୀକୁ ଖସି ପଡ଼ିଲା ବଦ୍ରିନାଥ ଦର୍ଶନରୁ ଫେରୁଥିବା ଯାତ୍ରିବାହୀ ବସ୍। ଏଥିରେ ଥିବା ୪୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସମସ୍ତ ତୀର୍ଥଯାତ୍ରୀ ଓଡ଼ିଶାର। ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ମୃତଦେହ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ। ଏଇ ଖବରଟି ଯେମିତି ଦୋହଲାଇ ଦେଇଥିଲା ପୂରା ନ୍ୟୁଜ୍ ଡେସ୍କକୁ।
କିଛି ସମୟ ପାଇଁ ହଠାତ୍ ସମସ୍ତେ ହତବାକ୍ ହୋଇଯାଇଥିଲେ। ତା’ ପରେ ଆରମ୍ଭ ହେଲା ବ୍ରେକିଂ ନ୍ୟୁଜ୍। ଈଟିଭିର ଚମୋଲି-ହରିଦ୍ୱାର ପ୍ରତିନିଧି ଆଶିଷ ମିଶ୍ର ପ୍ରତି ମୁହୂର୍ତ୍ତର ଖବର ଦେଉଥାନ୍ତି। ଉଦ୍ଧାର କାର୍ଯ୍ୟ, ମୃତଦେହ ଚିହ୍ନଟ, ସେମାନଙ୍କ ବ୍ୟବଚ୍ଛେଦ, ସେ ସବୁ ଖବର ପାଇଁ ଆଶିଷ ସଜାଗ ଥାଆନ୍ତି। ଏତିକିବେଳେ ଦର୍ଶକଙ୍କ ଭିତରେ ସୃଷ୍ଟି ହୋଇସାରିଥଏ ହଇଚଇ। ଈଟିଭି ନ୍ୟୁଜ୍ ଡେସ୍କକୁ ଘନ ଘନ ଫୋନ୍ କଲ୍ ଆସିବାରେ ଲାଗିଲା। ସବୁ କଲ୍ ଥିଲା ତୀର୍ଥଯାତ୍ରୀଙ୍କ ସମ୍ପର୍କୀୟମାନଙ୍କର। ସମସ୍ତେ ଜାଣିବାକୁ ଚାହୁଁଥିଲେ ନିଜ ପ୍ରିୟ ପରିଜନମାନଙ୍କ ସମ୍ପର୍କରେ।
ଏଣେ ହାଇଦ୍ରାବାଦ ନ୍ୟୁଜ୍ ଡେସ୍କରୁ ବ୍ରହ୍ମପୁର ପ୍ରତିନିଧି ରଙ୍ଗାଧର ପଣ୍ଡାଙ୍କୁ ସଜାଗ କରିଦିଆଯାଇଥାଏ। କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟଙ୍କ ସହିତ ସେ ମୃତକମାନଙ୍କ ସଠିକ୍ ତାଲିକା ସଂଗ୍ରହ କରିବାରେ ଲାଗି ପଡ଼ିଲେ। ସେତେବେଳେ ଗଞ୍ଜାମ ଜିଲ୍ଲାପାଳ ଥାଆନ୍ତି ଭି କାର୍ତ୍ତିକେୟ ପାଣ୍ଡିୟାନ। ଏଣେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିଲେ ମନମୋହନ ସାମଲ। ଗଞ୍ଜାମ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏବଂ ଉତ୍ତରାଖଣ୍ଡ ସରକାର ଓ ଚମୋଲି ଜିଲ୍ଲା ପ୍ରଶାସନଙ୍କ ମଧ୍ୟରେ ଖବର ଆଦାନ ପ୍ରଦାନ ସହ ଯୋଗାଯୋଗ ସ୍ଥାପନ କରାଇବା ଦିଗରେ ଏକ ମୁଖ୍ୟ ଭୂମିକା ତୁଲାଇ ଥିଲା ଈଟିଭି ନେଟୱର୍କ। ଈଟିଭିର ଦିଲ୍ଲୀ ବ୍ୟୁରୋରେ କାର୍ଯ୍ୟରତ ଅର୍ଦ୍ଧେନ୍ଦୁ ଶେଖର ଏବଂ କ୍ୟାମେରାମ୍ୟାନ୍ ପବନ ନେଗୀଙ୍କୁ ତୁରନ୍ତ ହରିଦ୍ୱାର ପଠାଇ ଦିଆଯାଇଥିଲା। ଈଟିଭି ଉତ୍ତରାଖଣ୍ଡର ହରିଦ୍ୱାର ବ୍ୟୁରୋ ସହାୟତାରେ ସେଠାରୁ ଭିଜୁଆଲ ପାଇବାରେ କୌଣସି ସମସ୍ୟା ଉପୁଜିଲା ନାହିଁ। ବରଂ ସେମାନଙ୍କ ସହାୟତାରେ ସିଧାପ୍ରସାରଣ କରିବା ସମ୍ଭବପର ହୋଇପାରିଥିଲା ଈଟିଭି ପାଇଁ।
ସେ ସମୟରେ ସବୁଠୁ ବଡ଼ ଚାଲେଞ୍ଜ ଥିଲା ସମସ୍ତ ମୃତଦେହକୁ ଚିହ୍ନଟ କରିବା। କାରଣ ଏହି ଦୁର୍ଘଟଣାରେ ବଞ୍ଚିଯାଇଥିଲା ଗୋଟିଏ ପନ୍ଦର ବର୍ଷର ଝିଅ। ଆଉ ସେ ଥିଲା ନିଶ୍ଚେତ। ତେଣୁ ତା’ଠାରୁ କୌଣସି ତଥ୍ୟ ସଂଗ୍ରହ କରିବା ସମ୍ଭବ ନଥିଲା। ବାପାଙ୍କ ସହିତ ତୀର୍ଥଯାତ୍ରାରେ ଯାଇଥିବା ସ୍କୁଲ ଛାତ୍ରୀଟିଏ ଯେତେବେଳେ ନିଜକୁ ଡାକ୍ତରଖାନାର ଶଯ୍ୟା ଉପରେ ଆବିଷ୍କାର କରେ ଏବଂ ଜାଣିପାରେ ଯେ, ତା’ ସାଙ୍ଗରେ ଥିବା ବାପା, ମା’, ଭାଇ ଭଉଣୀ ଆଉ କେହି ଏ ଦୁନିଆରେ ନାହାନ୍ତି, ସେତେବେଳେ ତା’ର ମାନସିକ ସ୍ଥିତି କେମିତି ଥିବ, ତାହା ଯେକେହି ସହଜରେ ଅନୁମାନ କରିପାରୁଥିବେ। ହଁ, ଚମୋଲି ଅଳକାନନ୍ଦା ବସ୍ ବୁଡ଼ି ଘଟଣାରେ ସମସ୍ତଙ୍କୁ ଭିତରୁ ବଞ୍ଚି ଯାଇଥିବା ଏକମାତ୍ର ଝିଅ ସସ୍ମିତାର ଏ କାହାଣୀ, ସେ ସମୟରେ ନିକଟ ସମ୍ପର୍କୀୟ ଓ ରାଜ୍ୟବାସୀ, ସମସ୍ତଙ୍କ ହୃଦୟ ବିଦାରି ଦେଇଥିଲା। ଖରସ୍ରୋତା ପାହାଡ଼ୀ ନଦୀ ଅଳକନନ୍ଦାର ସ୍ରୋତରେ ଭାସିଯାଇ ଗୋଟିଏ ବୁଦାରେ ଲାଗି ଯାଇଥିଲା ସେ। ଈଶ୍ୱରଙ୍କ କୃପାରୁ ପାଇ ଯାଇଥିଲା ଏକ ନୂଆ ଜୀବନ। କିନ୍ତୁ ତା’ର ସମସ୍ତ ସହଯାତ୍ରୀ ନେଇଥିଲେ ସଲିଳସମାଧି।
ଏହି ଘଟଣା ଥିଲା ଓଡ଼ିଶା ଇତିହାସର ଏକ ବିରଳ ଘଟଣା। କାରଣ ଏକା ସଙ୍ଗରେ ଏତେ ସଂଖ୍ୟାରେ ଯାତ୍ରୀ ତୀର୍ଥାଟନରେ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇ ପାଣିରେ ବୁଡ଼ି ମରିବା ଭଳି ଘଟଣା କେବେ ଘଟିନଥିଲା। ଏହା ଥିଲା ରାଜ୍ୟ ସରକାରଙ୍କ ପାଇଁ ଏକ ଆହ୍ୱାନ। ଘରଠାରୁ ପ୍ରାୟ ଅଢେଇ ହଜାର କିଲୋମିଟର ଦୂରରେ, ହିମାଳୟ ଓ ଅଳକନନ୍ଦା ଭଳି ବିପଦପୂର୍ଣ୍ଣ ସ୍ଥାନରେ କେମିତି ନିଖୋଜ ମୃତଦେହ ଠାବ ହେବ, ଯଦି ହେବ, ସେମାନଙ୍କ ପାଖରେ କେମିତି ପହଞ୍ଚିପାରିବେ ପରିବାର ଲୋକେ ଏବଂ କିଏ ଏମାନଙ୍କ ଶେଷକୃତ୍ୟ କରିବ, ତାହାଥିଲା ସବୁଠୁ ବଡ଼ ପ୍ରଶ୍ନ। କିନ୍ତୁ ରାଜ୍ୟ ସରକାର ଏ ଦିଗରେ ପ୍ରକୃତ ବନ୍ଧୁ ଓ ପୃଷ୍ଠପୋଷକର ଦାୟିତ୍ୱ ନିର୍ବାହ କରିଥିଲେ।
ହରିଦ୍ୱାର ଶ୍ମଶାନଘାଟରୁ ଈଟିଭିର ତତ୍କାଳୀନ ଦିଲ୍ଲୀ ପ୍ରତିନିଧି ଅର୍ଦ୍ଧେନ୍ଦୁ ଶେଖର ଏବଂ ଗଞ୍ଜାମରୁ ଈଟିଭିର ତତ୍କାଳୀନ ବ୍ରହ୍ମପୁର ପ୍ରତିନିଧି ରଙ୍ଗାଧର ପଣ୍ଡା
ପ୍ରତ୍ୟେକ ମୃତକଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲା। ସେମାନଙ୍କ ସହିତ ଥିଲେ ରାଜ୍ୟ ସରକାରଙ୍କ ତତ୍କାଳୀନ ଦୁଇ ମନ୍ତ୍ରୀ ମନମୋହନ ସାମଲ ଏବଂ ପଦ୍ମନାଭ ବେହେରା, କୋଦଳା ବିଧାୟକ ନିରଞ୍ଜନ ପ୍ରଧାନ ଏବଂ ଗଞ୍ଜାମ ଜିଲ୍ଲାପାଳ ଭି କାର୍ତ୍ତିକେୟ ପାଣ୍ଡିୟାନ। ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଜଣେ ଥିଲେ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସାଗର ହରାଇଥିଲେ ତାଙ୍କ ମା’ ହାରାମଣି ତ୍ରିପାଠୀଙ୍କୁ। କେବଳ ସେତିକି ନୁହେଁ, ସେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରୁ ୫ ଜଣଙ୍କୁ ହରାଇଥିଲେ ଏକା ସଙ୍ଗରେ।
ସେଠାରେ ଥିବା ଓଡ଼ିଶା ଭବନରେ ଅବସ୍ଥାପିତ ଆବାସିକ କମିସନର ସୁରେଶ ପ୍ରସାଦ ପାଢ଼ୀ ଏବଂ ପରିଚାଳକ କୃପାନିଧି ବିଶ୍ୱାଳ ମୃତଯାତ୍ରୀଙ୍କ ସମ୍ପର୍କୀୟମାନେ ହରିଦ୍ୱାର କିଭଳି ଯାଇପାରିବେ, ତାହାର ବ୍ୟବସ୍ଥା କରିଥିଲେ। ଅକ୍ଟୋବର ୧୨ ତାରିଖ ଦିନ ଅଧିକାଂଶ ମୃତଦେହ ଉଦ୍ଧାର ହୋଇ ସାରିଥିଲା। ଗଞ୍ଜାମର ୪୧ ଜଣ ଯାତ୍ରୀଙ୍କ ସହ ପ୍ରାଣ ହରାଇଥିଲେ ବସ୍ର ଡ୍ରାଇଭର।
ଏସବୁ କାମ ଏତେ ସୁରୁଖୁରୁରେ ଏବଂ ଏତେ ତୀବ୍ରତାର ସହ ହେଉଥିଲା ଯେ, ତାହା ଆଦୌ ବିଶ୍ୱାସ କରିହେଉନଥିଲା। ଓଡ଼ିଶାରୁ ଉତ୍ତରାଖଣ୍ଡ ଯାଏଁ ସବୁଠି ଯୋଗାଯୋଗକୁ ସମ୍ପୂର୍ଣ୍ଣ ବଳବତ୍ତର ରଖିଥିଲା ଈଟିଭି। ପ୍ରତିଟି ଖବରକୁ ଟିକିନିଖି ଦର୍ଶକଙ୍କ (ମୂଳତଃ ମୃତ ତୀର୍ଥଯାତ୍ରୀଙ୍କ ପରିବାର ଓ ସମ୍ପର୍କୀୟଙ୍କ) ନିକଟରେ ପହଞ୍ଚାଇଥିଲା ଈଟିଭି। ଏତେ ସଂଖ୍ୟାରେ ମୃତଦେହ ବ୍ୟବଚ୍ଛେଦ କରାଇବା ବି ଥିଲା କାଠିକର ପାଠ। ତଥାପି ଉତ୍ତରାଖଣ୍ଡ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ କାମ ଦ୍ରୁତଗତିରେ ବଢୁଥାଏ। ଅକ୍ଟୋବର ୧୩ ତାରିଖ ଦିନ ହରିଦ୍ୱାରର ଗଙ୍ଗାକୂଳରେ ଥିବା ଖରଖରି ଘାଟରେ ସମସ୍ତ ମୃତଦେହର ସାମୂହିକ ଅନ୍ତ୍ୟେଷ୍ଟି କରିବା ପାଇଁ କରାଗଲା ବ୍ୟବସ୍ଥା। ଓଡ଼ିଶାରୁ ଯାଇଥିବା ପରିବାର ସମ୍ପର୍କୀୟମାନେ ନିଜ ଆଖି ସାମ୍ନାରେ ଏତେ ସଂଖ୍ୟାରେ ମୃତଦେହ ଏବଂ ସେମାନଙ୍କ ମଧ୍ୟରେ ନିଜ ପରିବାର ଆତ୍ମୀୟ ସ୍ୱଜନଙ୍କୁ ଦେଖିଦେଲା ପରେ ସେମାନଙ୍କ କାନ୍ଦ ଓ ହୃଦୟ ବିଦାରକ ଚିତ୍କାରରେ ଫାଟିପଡୁଥିଲା ଗଙ୍ଗାକୂଳ।
ଏକ ମାତ୍ର ବଞ୍ଚିଯାଇଥିବା ଝିଅ ସସ୍ମିତାକୁ ଉତ୍ତରାଖଣ୍ଡର ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସ୍ଥାନୀୟ ପ୍ରଶାସନ। ତାଙ୍କୁ ଯାଇ ଡାକ୍ତରଖାନାରେ ଦେଖାକରିଥିଲେ ଈଟିଭିର ଦିଲ୍ଲୀ ବ୍ୟୁରୋ ରିପୋର୍ଟର ଅର୍ଦ୍ଧେନ୍ଦୁ ଶେଖର। ଏହାସହ ଗଙ୍ଗାକୂଳରେ ଏତେ ସଂଖ୍ୟାରେ ମୃତଦେହ ଦେଖିବା, ସେମାନଙ୍କ ପରିବାର ସମ୍ପର୍କୀୟଙ୍କ କାନ୍ଦବୋଳିର ଦୃଶ୍ୟ, ତାରି ଭିତରେ ଶ୍ମଶାନପାଳଙ୍କ ମନ୍ତ୍ରୋଚ୍ଚାରଣ, ଏ ସବୁ କିଛି ଥିଲା ଏକ ଭିନ୍ନ ଅନୁଭବ ଅର୍ଦ୍ଧେନ୍ଦୁ ଶେଖରଙ୍କ ପାଇଁ। କିନ୍ତୁ ନିର୍ବିକାର ଭାବେ ସେଠାରୁ ସେ ସିଧାପ୍ରସାରଣ କରିବାରେ ସକ୍ଷମ ହୋଇଥିଲେ।
ଏହି ସାମୂହିକ ଅନ୍ତ୍ୟେଷ୍ଟିର ଚିତ୍ର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ହରିଦ୍ୱାରର ସେହି ଶ୍ମଶାନଘାଟରୁ ସିଧାପ୍ରସାରଣ କରିଥିଲା ଈଟିଭି। ଏଣେ ଗଞ୍ଜାମ ଜିଲ୍ଲାର ପୋଲସରାରେ ସାଗର ରଞ୍ଜନଙ୍କ ଘର ଆଗରେ ଲାଗିଥିଲା ଈଟିଭି। ଶହ ଶହ ସଂଖ୍ୟାରେ ପୁରୁଷ ଏବଂ ମହିଳା ଏକାଠି ହୋଇଥିଲେ ହରିଦ୍ୱାରର ସେହି ଦୃଶ୍ୟ ଦେଖିବା ପାଇଁ। ତୃଣମୂଳ ସ୍ତରରେ ଦର୍ଶକଙ୍କ ନିକଟରେ ଈଟିଭି କି ଛାପ ଛାଡ଼ିଥିଲା, ତାହା ସେଦିନର ସେହି ଦୃଶ୍ୟ ହିଁ ବର୍ଣ୍ଣନା କରୁଛି। ଡାକ୍ତର ସାଗର ରଞ୍ଜନଙ୍କ କହିବା ଅନୁସାରେ, ଏ ସମ୍ପୂର୍ଣ୍ଣ ଘଟଣାକ୍ରମ ଥିଲା ଏକ ଅଦ୍ଭୂତ ସମନ୍ୱୟର ପ୍ରତୀକ। ସେଠାରେ ସେ ନିଜ ମା’ଙ୍କ ମୃତଦେହକୁ ଅଗ୍ନିସଂଯୋଗ କରିବା ପୂର୍ବରୁ ପୋଲସରାରେ ବସିଥିବା ନିଜ ବାପାଙ୍କ ଉଦ୍ଦେଶ୍ୟରେ ମା’ଙ୍କ ହାତକୁ ଉଠାଇ ଦେଇ କାନ୍ଦିବାରେ ଲାଗିଥିଲେ। ଏଣେ ତାଙ୍କ ବାପା କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସର୍ବସମ୍ମୁଖରେ ଈଟିଭିକୁ ଭୂୟସୀ ପ୍ରଶଂସା କରୁଥିଲେ ଏବଂ କହୁଥିଲେ, ହେ ଈଟିଭି କର୍ତ୍ତୃପକ୍ଷ, ଆପଣମାନଙ୍କ ସହଯୋଗ ବିନା ମୁଁ ମୋ ବିଦାୟୀ ପତ୍ନୀଙ୍କ ଶେଷ ଦର୍ଶନ କରିବା ସମ୍ଭବ ନଥିଲା।
ଅକ୍ଟୋବର ୧୩ ତାରିଖର ଦିନ ଗୋଟାଏ ନ୍ୟାସନାଲ ବୁଲେଟିନରେ ଉପସ୍ଥାପନ ହେଲା ସ୍ୱତନ୍ତ୍ର ବୁଲେଟିନ୍ – ‘ତୀର୍ଥଯାତ୍ରା ହେଲା ମହାଯାତ୍ରା’। ନିଜର ଦିବଙ୍ଗତ ନିକଟ ସମ୍ପର୍କୀୟମାନଙ୍କ ଆଭାସୀ ଶେଷ ଦର୍ଶନ କରିବା ପରିବାର ଲୋକଙ୍କ ପାଇଁ କେବଳ ସମ୍ଭବ ହୋଇପାରିଥିଲା ଈଟିଭି ଯୋଗୁଁ। ସେମାନେ ମୁକ୍ତସ୍ୱରରେ କହୁଥିଲେ, ଈଟିଭି କେବଳ ଏକ ଚାନେଲ ଭାବେ କାମ କରିନାହିଁ, ବରଂ ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ସେମାନଙ୍କ ପାଖରେ ଠିଆ ହୋଇଛି। ତେଣୁ ତାକୁ ଆମେ ଅନ୍ତରରୁ ଧନ୍ୟବାଦ ଦେଉଛୁ।
ଏକଥା ଶୁଣିଲା ବେଳକୁ ଈଟିଭି ଡେସ୍କରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଆଖି ଜକେଇ ଆସିଥିଲା। ତିନି ଦିନର ଅକ୍ଳାନ୍ତ ପରିଶ୍ରମ ଫଳବତୀ ହେଲା ଭଳି ଅନୁଭବ ହେଉଥିଲା। ଡାକ୍ତର ସାଗର ରଞ୍ଜନ କହୁଥିଲେ, ଏହି ଦେବୀପକ୍ଷରେ ମୁଁ ମୋ ମା’ଙ୍କୁ ନେଇ ଶ୍ରାଦ୍ଧ କରାଇଥାନ୍ତି। କିନ୍ତୁ ସେ ଆଜି ଦିବଙ୍ଗତା। ଆଜି ଦୁଃଖର ସହ ମୋତେ ତାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ଶ୍ରଦ୍ଧାଞ୍ଜଳି ଦେବାକୁ ପଡୁଛି। ସେବେଠାରୁ ଆଜି ଯାଏଁ ସାଗରଙ୍କ ଉଦ୍ୟମରେ ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ସେହି ମୃତକମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଉଛି। ଦିବଙ୍ଗତ ୪୨ ଜଣଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜଳାଇ ଦିଆଯାଉଛି ୪୨ଟି ଦୀପ।
ଏ ସବୁ ବ୍ୟତିରେକ ଏତେ ବଡ଼ ଗୋଟିଏ ଖବର, ଯାହାର ଅନ୍ତଃରାଜ୍ୟ ସମ୍ପର୍କ ରହିଛି, ସେଭଳି ଏକ ଖବରକୁ ଆଦୌ ଗୁରୁତ୍ୱ ଦେଇନାହାନ୍ତି ଲ୍ୟୁଟିୟନସ୍ ଦିଲ୍ଲୀରେ ବସି କାମ କରୁଥିବା ବଡ଼ ବଡ଼ ଚାନେଲର ସ୍ୱଘୋଷିତ ତଥାକଥିତ ବଡ଼ ସାମ୍ୱାଦିକମାନେ। ଅନ୍ୟପକ୍ଷରେ ‘ଦି ହିନ୍ଦୁ’ ପକ୍ଷରୁ ଏହି ଖବରକୁ ସେଦିନର ପ୍ରକାଶନରେ ସ୍ଥାନ ଦେବା ସହ ଈଟିଭିର ପଦକ୍ଷେପକୁ ଭୂୟସୀ ପ୍ରଶଂସା କରାଯାଇଥିଲା। ମୋଟାମୋଟି ଭାବେ କହିବାକୁ ଗଲେ, ଈଟିଭି ଲୋକଙ୍କ ପାଇଁ ଥିଲା ଏକ ଆତ୍ମୀୟ ଶବ୍ଦ ଏବଂ ଅସମୟର ବନ୍ଧୁ। ଉତ୍ସବ, ବ୍ୟସନ, ରାଜଦ୍ୱାର, ଶ୍ମଶାନ, ଦୁର୍ଭିକ୍ଷ, ରାଷ୍ଟ୍ରବିଗ୍ରହ ଏ ସମସ୍ତ ସ୍ଥାନରେ ଯିଏ ଠିଆହୁଏ, ସେ ହେଉଛି ପ୍ରକୃତ ବନ୍ଧୁ। ଏହି ଆପ୍ତବାକ୍ୟକୁ ବାରମ୍ବାର ପ୍ରମାଣିତ କରୁଥିଲା ଈଟିଭି ଓଡ଼ିଆ। ଆଉ ଓଡ଼ିଶାର ଟେଲିଭିଜନ ଇତିହାସରେ ଏହାଥିଲା ପ୍ରଥମ ଏବଂ ଏକ ବହୁ ପ୍ରଶଂସନୀୟ କାର୍ଯ୍ୟକ୍ରମ।
(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)
Tags: #DrFakirMohanNahak #Television #ETvOdia #Reporting