ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମରେ ପହଞ୍ଚିବା ପରେ ବୁଧବାର ଦିନ ଭାଟିକାନ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କୁ ଭେଟିଛନ୍ତି। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ବିଦେଶରେ ପୋପଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ରହିଛନ୍ତି।

ଭାଟିକାନ ସିଟିର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ପୋପ ଫ୍ରାନ୍ସିସଙ୍କ ସହ କାଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୋପଙ୍କ ସହ ସାକ୍ଷାତ ସମୟରେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପୋପଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ଇଟାଲି ଏବଂ ଗ୍ରୀସ୍ ସମେତ ୟୁରୋପରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ବିକାଶରେ ସହଯୋଗର ହାତ ବଢ଼ାଇବାକୁ ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିବେ ବୋଲି ଜଣାପଡ଼ିଛି। ଏହା ସହ ଓଡ଼ିଶାର କଳା ଏବଂ ସଂସ୍କୃତିର ବିକାଶରେ ସେମାନଙ୍କ ଅବଦାନ ନେଇ ଆଲୋଚନା କରିବେ।

ରୋମ ଏବଂ ଦୁବାଇ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଇଟାଲୀରେ ପହଞ୍ଚିବା ପରେ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମୋଲହୋତ୍ରାଙ୍କ ସହ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶ ଗସ୍ତ ସମୟରେ ଅନେକ କାର୍ଯ୍ୟକ୍ରମ ରହିଛି।

ଆସନ୍ତା ଜୁନ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ରୋମରୁ ୟୁରୋପ ଗସ୍ତରେ ଯିବେ। ଜୁନ ୨୬ ତାରିଖରେ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ। ଜୁନ ୨୯ ତାରିଖରେ ଦୁବାଇରେ ମିଡିଲ ଇଷ୍ଟ ପୁଞ୍ଜି ନିବେଶକାରୀଙ୍କ ସହ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ବୈଦେଶିକ ପୁଞ୍ଜି ନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଞ୍ଜି ନିବେଶକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ୧୦ ଦିନ ବିଦେଶ ଗସ୍ତ ସାରି ଜୁନ ୩୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଦୀର୍ଘ ୧୦ ବର୍ଷ ପରେ ବିଦେଶ ଗସ୍ତରେ ଯାଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁଇ ଜଣ ମନ୍ତ୍ରୀଙ୍କୁ ସାଂଗରେ ଧରି ୨୦୧୨ ମସିହାରେ ବିଦେଶ ଯାଇଥିଲେ।

Tags: #Politics #CMOdisha #NaveenPatnaik #ForeignVisits #PopeFrancis

Comment