ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ରୋମରେ ପହଞ୍ଚିବା ପରେ ଭାଟିକାନ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖ୍ରୀଷ୍ଟ ଧର୍ମଗୁରୁ ପୋପଙ୍କୁ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ତରଫରୁ ପଟ୍ଟଚିତ୍ର ପେଣ୍ଟିଂ ଉପହାର ସ୍ଵରୂପ ପ୍ରଦାନ କରିଥିଲେ। ଏହି ପଟ୍ଟଚିତ୍ରର ଥିମ ରହିଥିଲା ‘ଟ୍ରି ଅଫ ଲାଇଫ’।

ଏହି ପଟ୍ଟଚିତ୍ରଟିକୁ ରଘୁରାଜପୁର ଗାଁର ପଟ୍ଟଚିତ୍ର ଶିଳ୍ପୀ ଅପିନ୍ଦ୍ର ସ୍ଵାଇଁ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ପଟ୍ଟଚିତ୍ରରେ ଓଡ଼ିଶାର କଳା ଏବଂ ସାଂସ୍କୃତିକୁ ଉପସ୍ଥାପିତ କରାଯାଇଛି। ପୋପଙ୍କୁ ଉପହାର ପ୍ରଦାନ କରିବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ।

ଭାଟିକାନ ସିଟିର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ପୋପ ଫ୍ରାନ୍ସିସଙ୍କୁ ଭେଟିବାରେ ସାରା ଦେଶରେ ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ। ପୋପଙ୍କ ସହ ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପୋପଙ୍କ ସହ ସାକ୍ଷାତ ସୁଖଦ ଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ନିଜର ଭାବନା ବ୍ୟକ୍ତ କରିଛନ୍ତି।

ପୋପଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ଇଟାଲି ଏବଂ ଗ୍ରୀସ୍ ସମେତ ୟୁରୋପରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ବିକାଶରେ ସହଯୋଗର ହାତ ବଢ଼ାଇବାକୁ ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିବେ ବୋଲି ଜଣାପଡ଼ିଛି। ଏହା ସହ ଓଡ଼ିଶାର କଳା ଏବଂ ସଂସ୍କୃତିର ବିକାଶରେ ସେମାନଙ୍କ ଅବଦାନ ନେଇ ଆଲୋଚନା କରିବେ।

Tags: #CMNaveenPatnaik #ForeignVisit #PopeFrancis #PattachitraPainting

Comment