ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମ୍ସରେ ଭାରତକୁ ମିଳିଛି ତୃତୀୟ ସ୍ଵର୍ଣ୍ଣ ପଦକ। ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ଭାରତୀୟ ଭାରୋତ୍ତଳକ ଅଚିନ୍ତା ସେଉଳି। ଭାରୋତ୍ତଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ସେଉଳି ସ୍ନାଚ୍‌ରେ ୧୪୩ କେଜି ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ଅଚିନ୍ତା ସେଉଳି କ୍ଲିନ୍ ଆଣ୍ଡ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କେଜି ଓଜନ ଉଠାଇଥିଲେ। ଦ୍ୱିତୀୟ ପ୍ରୟାସରେ ବିଫଳ ହୋଇଥିଲେ ମଧ୍ୟ ତୃତୀୟ ପ୍ରୟାସରେ ସେ ୧୭୦ କେଜି ଉଠାଇବା ସହ ମୋଟ ୩୧୩ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ରୌପ୍ୟ ପଦକ ପାଇଥିବା ପ୍ରତିଯୋଗୀଙ୍କଠାରୁ ୧୦ କେଜି ଅଧିକ ଓଜନ ଉଠାଇଛନ୍ତି ଅଚିନ୍ତା ସେଉଳି। ଭାରତକୁ କମନୱେଲଥ୍ ଗେମରେ ବର୍ତ୍ତମାନ ସୁଦ୍ଧା ୩ଟି ସ୍ଵର୍ଣ୍ଣ ପଦକକୁ ମିଶାଇ ମୋଟ ୬ଟି ପଦକ ହାସଲ ହୋଇଛି। ଏହି ସମସ୍ତ ମେଡାଲ ଭାରୋତ୍ତଳନରେ ହିଁ ମିଳିଛି।

ଅଚିନ୍ତା ସେଉଳିଙ୍କ ପୂର୍ବରୁ ମୀରାବାଇ ଚାନୁ କମନୱେଲଥ୍ ଗେମରେ ଭାରତ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଭାରୋତ୍ତନରେ ଜେରେମି ଲାଲରିନୁଙ୍ଗା ଭାରତ ପାଇଁ ଦ୍ଵିତୀୟ ସ୍ଵର୍ଣ୍ଣ ଜିତିଥିଲେ। କମନୱେଲଥ୍ ଗେମ୍ସରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିଲେ ସଙ୍କେତ ମହାଦେବ ସରଗର। ସେ ଭାରୋତ୍ତନରେ ରୌପ୍ୟ ପଦକ ହାସଲ କରିଥିଲେ। ବିନ୍ଦିଆଦେବୀ ରାଣୀ ମଧ୍ୟ ଭାରୋତ୍ତଳନରେ ରୌପ୍ୟ ପଦକ ଜିତିଥିଲେ। ଗୁରୁରାଜ ପୂଜାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତକୁ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। କମନୱେଲଥ୍ ଗେମରେ ଭାରୋତ୍ତନରେ ସବୁଠାରୁ ଅଧିକ ପଦକ ହାସଲ କରିଥିବା ଦେଶ ମଧ୍ୟରେ ଭାରତ ରହିଛି।

Tags: #Sports #commonwealthGames2022 #Medal #GoldMedal #SilverMedal #India #WeightLifting

Comment