ଡକ୍ଟର ଫକୀର ମୋହନ ନାହାକ
ପ୍ରସାରଣ ଆରମ୍ଭର ପ୍ରାୟ ପାଞ୍ଚ ବର୍ଷ ଭିତରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା ଈଟିଭି ଓଡ଼ିଆ। ଏଥିରେ ପ୍ରସାରିତ ମନୋରଞ୍ଜନ କାର୍ଯ୍ୟକ୍ରମ ସାଙ୍ଗକୁ ନ୍ୟୁଜ୍ ଏବଂ ଅନ୍ୟାନ୍ୟ ରିୟଲିଟି ସୋ’ ଚାନେଲକୁ ଲୋକଙ୍କ ନିକଟତର କରାଇ ପାରିଥିଲା। ମୋଟାମୋଟି କହିବାକୁ ଗଲେ ଚାନେଲର ପ୍ରସାରଣ ସେବା ଆରମ୍ଭ ବେଳେ ଯେଉଁ ସ୍ଲୋଗାନ୍ ଥିଲା – ଈଟିଭି ଆମ ଟିଭି, ତାହା ଅନେକାଂଶରେ ଚରିତାର୍ଥ ହୋଇସାରିଥିଲା। ଓଡ଼ିଶାର ସାଧାରଣ ଲୋକେ, ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅଧିବାସୀମାନେ ଈଟିଭିକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିଥିଲେ ବୋଲି କହିଲେ ଭୁଲ୍ ହେବନି।
କାରଣ ପ୍ରତିଦିନ ସନ୍ଧ୍ୟାରେ ଯେତେବେଳେ ଈଟିଭିରେ ମେଗା ଧାରାବାହିକ ପ୍ରସାରିତ ହେଉଥିଲା, ସେତେବେଳେ ସବୁ ଲୋକ ନିଜ କାମଦାମ ଛାଡ଼ି ବସି ଯାଉଥିଲେ ଟିଭି ସାମ୍ନାରେ। ଯାହା ଫଳରେ ଗାଁଗଣ୍ଡାର ରାସ୍ତାଘାଟ ଶୂନଶାନ ହୋଇଯାଉଥିଲା। ‘ମାଉସୀ’, ‘ପଣତକାନି’, ‘ତୁଳସୀ’, ‘ତାସର ଘର’ ଓ ‘ବଡ଼ଘର ବଡ଼ ଗୁମରକଥା’ ଇତ୍ୟାଦି ମେଗା ଧାରାବାହିକ ସତେ ଯେମିତି ଲୋକଙ୍କୁ କରିଥିଲା ମୋହଗ୍ରସ୍ତ। ଈଟିଭିର ଲୋକପ୍ରିୟତା ପଛରେ ରହିଥିଲା ମୁଖ୍ୟତଃ ଏହାର ଗୁଣାତ୍ମକ କାର୍ଯ୍ୟକ୍ରମ ଓ ଏହାର ବିବିଧତା। ସବୁ ବର୍ଗର ଦର୍ଶକଙ୍କ ପାଇଁ ଏଥିରେ ଥିଲା ମନଲାଖି କାର୍ଯ୍ୟକ୍ରମ। ଯେଉଁଥିପାଇଁ ଦର୍ଶକମାନେ ନିଜ ପସନ୍ଦ ମୁତାବକ ସୂଚନା ଓ ମନୋରଞ୍ଜନର ଖୋରାକ ପାଇ ପାରୁଥିଲେ ଈଟିଭିରୁ। ଏହି ପାଞ୍ଚବର୍ଷ ଭିତରେ ଈଟିଭିର ପ୍ରତିଦ୍ୱନ୍ଦ୍ୱୀ ଥିଲେ ବିଭିନ୍ନ ଜାତୀୟ ସ୍ତରର ଚାନେଲ ତଥା ହିନ୍ଦୀ ଓ ଇଂରାଜୀ ଚାନେଲ। କାରଣ ଓଡ଼ିଶାର ଅନ୍ୟ କୌଣସି ଘରୋଇ ଚାନେଲ ନଥିଲେ ସେତେବେଳେ।
ତେବେ ୨୦୦୬ ମସିହାର ମଧ୍ୟ ଭାଗରେ ଈଟିଭି ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଲା ଏହାର ଡିଷ୍ଟ୍ରିବ୍ୟୁସନ୍। କାରଣ ଲୋକଙ୍କ ପାଖରେ ସେମାନଙ୍କ ଘରେ ଥିବା ଟିଭିରେ ଯଦି ଈଟିଭି ଦେଖାଯିବ ନାହିଁ, ତା’ହେଲେ ଯେତେ ଉଚ୍ଚ ମାନର କାର୍ଯ୍ୟକ୍ରମ ହେଉନା କାହିଁକି ତାକୁ ଦେଖିବ କିଏ? ସେତେବେଳେ ଓଡ଼ିଶାର ଏକ ପ୍ରମୁଖ ଡିଷ୍ଟ୍ରିବ୍ୟୁଟର ବା କେବୁଲ ଅପରେଟର ଥିଲା ଓରଟେଲ୍। ଓରଟେଲ କମ୍ୟୁନିକେସନ୍ ନାଁରେ ଥିବା ଏହି କମ୍ପାନି ମୁଖ୍ୟତଃ ରାଜ୍ୟରେ ପ୍ରସାରିତ ବିଭିନ୍ନ ଘରୋଇ ଚାନେଲକୁ ଲୋକଙ୍କ ନିକଟରେ ପହଞ୍ଚାଉଥିଲା। ଆଉ ଏହି କମ୍ପାନି ଅଧୀନରେ ହିଁ ଥିଲା ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ – ଓଟିଭି। କିନ୍ତୁ ଏହା ସେତେବେଳକୁ ସୀମିତ ଥିଲା ଏକ କେବୁଲ୍ ଚାନେଲ ଭାବରେ। ସେହି ବର୍ଷ ହିଁ ଓଟିଭିକୁ ସାଟେଲାଇଟ୍ ପ୍ରସାରଣ ପାଇଁ ଅନୁମତି ମିଳିଥିଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ।
ଅନ୍ୟପକ୍ଷରେ ଈଟିଭି ଓଡ଼ିଆ ମାଗଣାରେ ଉପଲବ୍ଧ ଚାନେଲ (Free to Air)ରୁ ପାଲଟି ଯାଇଥିଲା ଏକ ପେ’ ଚାନେଲ। ତେଣୁ ସେତେବେଳେ ଓରଟେଲ ସହିତ ଈଟିଭିର ବୁଝାମଣା ଠିକ୍ ଭାବେ ହୋଇ ନପାରିବା ଫଳରେ ହଠାତ୍ ଦିନେ ଈଟିଭି ବ୍ଲାକ୍ ଆଉଟ୍ ହେଲା। ଓରଟେଲ୍ ଉପଭୋକ୍ତାମାନେ ଆଉ ଈଟିଭି ଦେଖିବାର ସୁଯୋଗ ପାଇପାରିଲେ ନାହିଁ। କେବଳ ସେତିକି ନୁହେଁ, ଭୁବନେଶ୍ୱର ଓ କଟକ ଦ୍ୱୈତନଗରୀର ସୀମାକୁ ଅତିକ୍ରମ କରି ଓରଟେଲ ରାଜ୍ୟର ଅନ୍ୟାନ୍ୟ ସହରରେ ନିଜର କାୟା ବିସ୍ତାର କରିସାରିଥିଲା। ଯାହା ଫଳରେ ଓରଟେଲ ନିକଟରେ ବଢ଼ିଥିଲା ଉପଭୋକ୍ତାଙ୍କ ସଂଖ୍ୟା। ତେଣୁ ପୂର୍ବରୁ ନିର୍ଦ୍ଧାରିତ କ୍ୟାରିଅର ଫି’ ବଢ଼ିବା ସ୍ୱାଭାବିକ। ହେଲେ ଏହି ବର୍ଦ୍ଧିତ ଅର୍ଥ ଦେବାକୁ ପ୍ରସ୍ତୁତ ନଥିଲା ଈଟିଭି। ଯାହା ଫଳରେ ଦର୍ଶକଙ୍କ ନିକଟରୁ ବିଦାୟ ନେଲା। ଆଉ କେବୁଲରେ ଉପଲବ୍ଧ ନଥିଲା ଈଟିଭି। ଓରଟେଲ ବ୍ୟତୀତ ରାଜ୍ୟର ଅନ୍ୟ ଯେଉଁ କେତେକ ସ୍ଥାନରେ ଅନ୍ୟ କେବୁଲ ଅପରେଟରମାନେ ଥିଲେ, ସେମାନେ ଈଟିଭିକୁ ଉପଲବ୍ଧ କରାଉଥିଲେ।
ଯେହେତୁ ଦର୍ଶକମାନଙ୍କ ପାଇଁ ଈଟିଭି ଏକ ନିଶାରେ ପରିଣତ ହୋଇଥିଲା, ତେଣୁ ତା’ରି ସ୍ଥାନ ପୂରଣ କରିବା ଓରଟେଲ ପାଇଁ ପାଲଟିଥିଲା ଏକ ଚାଲେଞ୍ଜ୍। ସେହି ସମୟରେ ବହୁ ସଂଖ୍ୟାରେ ଉପଭୋକ୍ତା ଓରଟେଲ ସେବାକୁ ପରିତ୍ୟାଗ କରି ଡିଟିଏଚ୍ କିଣିବା ଆରମ୍ଭ କରିଦେଇଥିଲେ। ୨୦୦୬ ମସିହାର ଶେଷ ଭାଗକୁ ଟାଟା ସ୍କାଏ ଏବଂ ଡିସ୍ ଟିଭି ଥିଲେ ସବୁଠୁ ଲୋକପ୍ରିୟ ଡିଟିଏଚ୍ କମ୍ପାନି। ଯଦି ରାଜ୍ୟରେ ସେହି ସମୟର ଡିଟିଏଚ୍ ବିକ୍ରିର ହିସାବ ବାହାର କରାଯାଏ, ତା’ହେଲେ ଏହି ବିକ୍ରି ପୂର୍ବ ସମୟ ତୁଳନାରେ ଦୁଇ ଶହ ପ୍ରତିଶତରୁ ଅଧିକ। ତେବେ ଦର୍ଶକଙ୍କ ଆକ୍ରୋଶ ଏବଂ ଦାବିକୁ ପ୍ରତିହତ କରିବା ଭଳି ଏକ ବଡ଼ ପଦକ୍ଷେପ ଥିଲା ଓଟିଭିର ସାଟେଲାଇଟ୍ ସଂସ୍କରଣ। ଅର୍ଥାତ୍ ୧୯୯୭ ମସିହାରୁ ଏକ କେବୁଲ୍ ଚାନେଲ ଭାବେ କାମ କରୁଥିବା ଓଟିଭି ୨୦୦୬ ମସିହା ଡିସେମ୍ବର ୨ ତାରିଖରେ ସାଟେଲାଇଟ୍ ଚାନେଲ୍ ଭାବେ ଆରମ୍ଭ କରିଥିଲା ଏହାର ପ୍ରସାରଣ ସେବା। ମାନେ ଓଟିଭି ପାଲଟିଗଲା ରାଜ୍ୟର ଦ୍ୱିତୀୟ ଘରୋଇ ସାଟେଲାଇଟ୍ ଟେଲିଭିଜନ୍ ଚାନେଲ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାର ଦର୍ଶକଙ୍କ ପାଇଁ ଈଟିଭି ଏବଂ ଓଟିଭି ଭିତରେ ପାର୍ଥକ୍ୟ ବାରିବା ସହଜ ନଥିଲା। କାରଣ ସେ ସମୟରେ ଓଟିଭି ପରଦାରେ ଖବର ପରିବେଷଣ ପାଇଁ ଆସୁଥିବା ଅଧିକାଂଶ ଲୋକପ୍ରିୟ ଚେହେରା ଥିଲେ ଈଟିଭିର। ୨୦୦୬ ମସିହାରେ ପ୍ରଥମ କର୍ମଚାରୀ ଭାବେ ଈଟିଭି ନ୍ୟୁଜ୍ ଡେସ୍କରୁ ଓଟିଭିକୁ ଆସିଥିଲେ ଅମର ପଟ୍ଟନାୟକ। ତା’ ପରେ ପରେ ଓଟିଭିର ଦୀର୍ଘଦିନ ଧରି ସମ୍ପାଦକ ଦାୟିତ୍ୱ ତୁଲାଇଥିବା ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ ଈଟିଭି ଛାଡ଼ି ଯୋଗ ଦେଇଥିଲେ ଏଇଠି। ସେହିଭଳି ସନ୍ତୋଷ ମହାପାତ୍ର, ଅର୍ଦ୍ଧେନ୍ଦୁ ଦାସ, ଭାରତ ମାଝୀ, ମିତ୍ରଭାନୁ ନାୟକ, ଅମରେଶ ବିଶ୍ୱାଳ, ଦୁର୍ଗାଶିଷଙ୍କ ଭଳି ବହୁ ଈଟିଭି ସାମ୍ବାଦିକ ଯୋଗ ଦେଇଥିଲେ ଓଟିଭିରେ। ଏହାସହ ବିଭୂତି ବିଶ୍ୱାଳ ଓ ମୃଣାଳକାନ୍ତି ନନ୍ଦ ନ୍ୟୁଜ୍ ଆଙ୍କର ଭାବେ ଈଟିଭିରୁ ଓଟିଭିକୁ ଆସିଥିଲେ।
ଦୁଇ ଦିନ ତଳେ ଯେଉଁ ଚେହେରାକୁ ଲୋକେ ଈଟିଭିରେ ଦେଖୁଥିଲେ, ତାକୁ ଦୁଇ ଦିନ ପରେ ଯେତେବେଳେ ଓଟିଭିରେ ଦେଖିଲେ, ସେତେବେଳେ ସେମାନଙ୍କ ମନରେ ଭ୍ରମ ସୃଷ୍ଟି ହେବା ସ୍ୱାଭାବିକ। ପରବର୍ତ୍ତୀ ସମୟରେ ଈଟିଭିର ବହୁ କର୍ମଚାରୀ ଓଟିଭିରେ ଯୋଗଦେଇଥିଲେ। ଏହିଭଳି ଭାବରେ ରାଜ୍ୟର ଦ୍ୱିତୀୟ ସାଟେଲାଇଟ୍ ଚାନେଲର ଅୟମାରମ୍ଭ ହେଲା।
ଯେ କୌଣସି ସଂସ୍ଥା ବା ପ୍ରତିଷ୍ଠାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତିବନ୍ଧକ ସୃଷ୍ଟି ହେବା କିଛି ନୂଆ କଥା ନୁହେଁ। ସାଟେଲାଇଟ୍ ଚାନେଲ ଭାବେ ଓଟିଭି, ଆରମ୍ଭ ହେବାର ପ୍ରାରମ୍ଭିକ ଦିନଗୁଡ଼ିକରେ ଏହାକୁ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଛି। କେତେବେଳେ ବୈଷୟିକ ତ୍ରୁଟି ତ ପୁଣି କେତେବେଳେ କର୍ମଚାରୀଙ୍କ ସମ୍ପାଦକୀୟ ଅନଭିଜ୍ଞତା, ପରଦାରେ ଦେଖିବାକୁ ମିଳିଛି। କିନ୍ତୁ ସମୟ କ୍ରମେ ଧୀରେ ଧୀରେ ଓଟିଭି ନିଜ ବୈଷୟିକ ଦକ୍ଷତା ଓ ସମ୍ପାଦକୀୟ ଦକ୍ଷତାରେ ଅହେତୁକ ପରିବର୍ତ୍ତନ ଆଣିପାରିଛି। ଯାହାର ଫଳ ସ୍ୱରୂପ ନିରବଚ୍ଛିନ୍ନ ଭାବରେ ଦୀର୍ଘ ବର୍ଷ ଧରି ଏହା ରାଜ୍ୟର ଏକ ନମ୍ବର ଚାନେଲରେ ପରିଗଣିତ ହୋଇପାରିଛି। ଦର୍ଶକୀୟ ଆଦୃତି, ଗୁଣାତ୍ମକ କାର୍ଯ୍ୟକ୍ରମ, ଖବରର ଗ୍ରହଣୀୟତା ଏବଂ ପରିବେଷଣ ଶୈଳୀରେ ଏହା ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଚାନେଲମାନଙ୍କୁ ମାତ୍ ଦେଇଛି କହିଲେ ଭୁଲ୍ ହେବନି। ଓଟିଭି ଆରମ୍ଭ ସମୟର ଅନେକ କଥା ଏବଂ ସେ ସମୟର ଅନେକ ଘଟଣା ସମ୍ପର୍କରେ ଏହି ସିରିଜରେ ଆଗକୁ ବି ଜାରି ରହିବ ଲେଖା।। ଏହାସହ ପରବର୍ତ୍ତୀ ସମୟରେ ରାଜ୍ୟରେ ଅନ୍ୟ ସାଟେଲାଇଟ୍ ଚାନେଲଙ୍କ ଅଭ୍ୟୁଦୟ ଏବଂ ବିଲୋପ ସମ୍ପର୍କରେ ବି ଆଲୋଚନା କରିବା।
(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)
Tags: #DrFakirMohanNahak #SatelliteChannels #Television #ETvOdia #OTV #Reporting